ଜଗତସିଂହପୁର: ହାତଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ!ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିକୁଦା ଥାନା ଅନ୍ତର୍ଗତ ଦାଆ ଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା ବାତ୍ୟା ଆଶ୍ରୟସ୍ଥଳର ସିଡି ନିକଟରେ କିଛି ଜଳୁଥିବା ନେଇ ପୁଲିସ୍ ଖବର ପାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଦେଖିବାକୁ ପାଇଥିଲା ଯେ ଜଣେ ଯୁବକଙ୍କ ଦେହରେ ନିଆଁ ଲାଗି ଯାଇଛି। ପୁଲିସ୍ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଆଜି ସକାଳେ ଯୁବକଙ୍କର ମୃତ୍ୟୁ ଘଟିଛି।
ଗତକାଲି ଯୁବକ ଜଣକ ବାଲିକୁଦା ବଜ଼ାରରେ ବୁଲୁଥିବା ଦେଖିବାକୁ ମିଳିଥିଲା।ତେବେ ଯୁବକ ଜଣକ କିଏ ଓ ତାଙ୍କୁ କିଏ ଓ କାହିଁକି ପୋଡ଼ିଲା ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ପୁଲିସ୍ ଏହାକୁ ଏକ ଆତ୍ମହତ୍ୟା ମାମଲା ବୋଲି କହିଛି। ଘଟଣାସ୍ଥଳରୁ ଏକ ଛୋଟ ଛୁରୀ ଜବତ ହୋଇଛି। ସମ୍ପୃକ୍ତ ଯୁବକ ଜଣକ ଛୁରୀରେ ହାତ କାଟି ଦେଇଛନ୍ତି ଓ ମଧୁ ବୋଲି କିଛି ଲେଖା ହୋଇଥିବା କୁହାଯାଉଛି। ହେଲେ ପ୍ରକୃତରେ ଘଟଣା କ’ଣ ତାହା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
Comments are closed, but trackbacks and pingbacks are open.