ଚନ୍ଦକା, (ବି.ବି.ନୁ୍ୟଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ମନୋରଞ୍ଜନର ମୁଖ୍ୟ ଆକର୍ଷଣ ସାଜୁଥିବା ଧଳାବାଘ ଶୁଭ୍ରାଂଶୁର ଆଜି ସକାଳ ୧୦ଟା ୧୫ ମିନିଟ୍ରେ ମୃତୁ୍ୟ ଘଟିଛି । ୫ ବର୍ଷିୟ ବାଘ ଶୁଭ୍ରାଂଶୁ ରକ୍ତ ସଂକ୍ରମଣ ଜନିତ ରୋଗରେ ପ୍ରାଣ ହରାଇଥିବା ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ କହିଛନ୍ତି । ସେପ୍ଟେମ୍ବର ୨୨ରେ ପ୍ରଥମେ ତାକୁ ଅସୁସ୍ଥ ଥିବା କର୍ତ୍ତୃପକ୍ଷ ଲକ୍ଷ୍ୟ କରିଥିଲେ । ଲିଭର ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ତା’ର ତରଳ ଝାଡ଼ା ହେଉଥିଲା । ତେଣୁ ତା’ ଶରୀର ଦୁର୍ବଳ ହେବା ସହ ଖାଦ୍ୟ ବି କମିଯାଇଥିଲା । ଦୈନିକ ଆହାର ୧୫ କିଲୋ ମାଂସରୁ ୫ କିଲୋକୁ ଖସିଆସିଥିଲା । ଶୁଭ୍ରାଂଶୁର ଏପରି ସ୍ୱାସ୍ଥ୍ୟାବସ୍ଥା ଦେଖି ନନ୍ଦନକାନନ କର୍ତ୍ତୃପକ୍ଷ ପଶୁ ଚିକିତ୍ସକଙ୍କ ସହାୟତା ନେଇଥିଲେ । ପଶୁ ଚିକିତ୍ସକମାନେ ବାଘର ରକ୍ତ ନମୁନା ଓୟୁଏଟିକୁ ପରୀକ୍ଷା ନିମନ୍ତେ ପଠାଇଥିଲେ । ସେପ୍ଟେମ୍ବର ୨୫ ତାରିଖରୁ ଶୁଭ୍ରାଂଶୁକୁ ଫିଡିଂ ଚାମ୍ବରରେ ରଖି ଚିକିତ୍ସା କରାଯାଉଥିଲା ।
ତରଳଝାଡ଼ାରେ ଆକ୍ରାନ୍ତ ହେବାର କିଛିଦିନ ଅନ୍ତରରେ ସେ ସାମାନ୍ୟ ଆରୋଗ୍ୟ ଲାଭ କରିଥିଲା । କିନ୍ତୁ ଏଇ ୫ ଦିନ ହେବ ସେ ପୁଣି ଅସୁସ୍ଥ ହୋଇପଡ଼ିଲା । ଶନିବାରଠାରୁ ସେ ଖାଦ୍ୟ ଗ୍ରହଣ କରୁନଥିଲା । ରକ୍ତ ଜନିତ ସଂକ୍ରମଣର ଶିକାର ହୋଇଥିଲେ ବି ଏଇ ୫ ଦିନ ମଧ୍ୟରେ ଶୁଭ୍ରାଂଶୁକୁ ଉପଯୁକ୍ତ ଚିକିତ୍ସା ନମିଳିଥିବା ଅଭିଯୋଗ ହୋଇଛି । ତେବେ ମିଳିଥିବା ସୂଚନା ମୁତାବକ ମୃତ ବାଘର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଇଣ୍ଡିଆନ୍ ଭେଟେରିନାରି ରିସର୍ଚ୍ଚ ଇନଷ୍ଟିଚୁ୍ୟଟ୍ ବରେଲି ଓ ଚେନ୍ନାଇ ପଠାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ଏହାଦ୍ୱାରା ବାଘ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ଓ ରୋଗ ମଧ୍ୟ ଚିହ୍ନଟ ହୋଇପାରିବ । ଏହା ସହିତ ଓୟୁଏଟି ଭୁବନେଶ୍ୱରସ୍ଥିତ ସେଣ୍ଟର ଫର ୱାଇଲ୍ଡ ଲାଇଫ୍ ସେଣ୍ଟରେ ମଧ୍ୟ ଏସବୁ ପରୀକ୍ଷା ନିରୀକ୍ଷା କରାଯିବ ।
ସୂଚନାଯୋଗ୍ୟ, ଶୁଭ୍ରାଂଶୁ ୨୦୧୪ ମସିହା ଜୁଲାଇ ୨୮ ତାରିଖରେ ସାଧାରଣ ବାଘ ମନିଷ ଓ ଧଳାବାଘୁଣୀ ସ୍ନେହାର ମିଳନରୁ ଜନ୍ମଗ୍ରହଣ କରିଥିଲା । ଏଇ ବାଘଟିର ମୃତୁ୍ୟ ପରେ ବର୍ତ୍ତମାନ ନନ୍ଦନକାନନରେ ଆଉ ୮ଟି ଧଳାବାଘ ରହିଲେ । ତେବେ ମୋଟ୍ ବାଘ ସଂଖ୍ୟା ଏବେ ୨୫ ରହିଛି । ସେମାନଙ୍କ ମଧ୍ୟରେ ସାଧାରଣ ବାଘ ୧୩ ଓ କଳାଲୋମଯୁକ୍ତ ବାଘ ୪ଟି ରହିଛନ୍ତି । ଏହି ୨୫ଟି ବାଘ ମଧ୍ୟରେ ଅଣ୍ଡିରା ବାଘ ୧୨ଟି ରହିଛନ୍ତି ଓ ୧୩ଟି ବାଘୁଣୀ ରହିଛନ୍ତି ।
Comments are closed, but trackbacks and pingbacks are open.