{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ନରସିଂହପୁର ଗାଁରେ ଦୀର୍ଘ ବର୍ଷ ଧରି ଚାଲିଛି କଙ୍ଗାରୁ କୋର୍ଟ। ସ୍ଥାନୀୟ ସରପଞ୍ଚଙ୍କ ସମେତ ଏହି ଗ୍ରାମର କମିଟି ଗୋଟିଏ ପରିବାରକୁ ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରୁ ବାସନ୍ଦ କରିଛନ୍ତି। ପରିବାର ଲୋକେ କମିଟି ଦ୍ଵାରା ନିର୍ଯତନାର ଶିକାର ହୋଇଥିବା ନେଇ ବସନ୍ତ କୁମାର ପରିଡ଼ା ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ପୁଲିସ ସ୍ଥାନୀୟ ସରପଞ୍ଚଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବସନ୍ତଙ୍କ ଅଭିଯୋଗ ମୁତାବକ, ତୁଳଙ୍ଗସରପଞ୍ଚ ନିବେଦିତା ମଲ୍ଲିକ, ନରସିଂହପୁର ଗାଁର ଘନଶ୍ୟାମ ମଲ୍ଲିକ, ପ୍ରଦୀପ୍ତ କିଶୋର ପରିଡ଼ା ଓ କୈଳାସ ମହାନ୍ତି ଙ୍କ ପରାମର୍ଶ ରେ ଗତ, ୩-୪ ବର୍ଷ ଧରି ଗ୍ରାମରେ ବେଆଇନ ଭାବରେ କଙ୍ଗାରୁ କୋର୍ଟ ପରିଚାଳିତ ହେଉଛି। ଉକ୍ତ ବ୍ୟକ୍ତିମାନେ ତାଙ୍କ ପରିବାରକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବରେ ଗାଁର ସାମାଜିକ କାର୍ଯ୍ୟକ୍ରମରୁ ବାସନ୍ଦ କରିଛନ୍ତି। ଫଳରେ ତାଙ୍କ ପରିବାର ଗ୍ରାମ ମଧ୍ୟରେ ସାଧାରଣ ସାମାଜିକ ଏବଂ ଆର୍ଥିକ ସମ୍ପର୍କରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛନ୍ତି। ଏମିତିକି ସ୍କୁଲ୍ରେ ଅଧ୍ୟୟନ କରୁଥିବା ତାଙ୍କର ନାତି, ନାତୁଣୀଙ୍କୁ ମଧ୍ଯ ଗାଁର ଅନ୍ୟ ପିଲାଙ୍କସହିତ ସମ୍ପର୍କ ରଖିବାକୁ ବାରଣ କରାଯାଇଛି। ଯଦି କୌଣସି ପରିବାର ବସନ୍ତଙ୍କ ସହ ସମ୍ପର୍କରେ ଆସନ୍ତି ତେବେ ସେ ଗାଁରେ ୨୦୦ ଟଙ୍କା ଜରିମାନା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଗ୍ରାମ କମିଟିର କିଛି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବସନ୍ତ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ପରେ ଗ୍ରାମବାସୀଙ୍କ ଦ୍ବାରା ନିର୍ଯାତନା ଅତ୍ୟଧୁକହେବାରୁ ଅସହ୍ୟ ହୋଇ ଉକ୍ତ ପରିବାର ପୁଲିସ ନିକଟରେ ଲିଖିତ ଅଭିଯୋଗ ଆଣି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ତେବେ ଅଭିଯୋଗ ସଂପର୍କରେ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ପଚାରିବାରୁ ଏହି ବ୍ୟକ୍ତିଙ୍କର ଗାଁ ସମସ୍ୟା ନେଇ ପୂର୍ବରୁ ବିବାଦ ରହିଥିଲା। ଏହି କାରଣରୁ ଗ୍ରାମ୍ୟ କମିଟି ତାଙ୍କୁ ଗ୍ରାମରେ ବାଛନ୍ଦ ରଖିଥବା ନେଇ ଏତଲା ହେଇଥିଲା। ଏତଲା ଆଧାରରେ ଆମେ ତଦନ୍ତ ଜାରି ରଖିଛୁ ବୋଲି ଶ୍ରୀ ସେଠୀ କହିଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ସରପଞ୍ଚଙ୍କ କିମ୍ବା ଗ୍ରାମ କମିଟିର ମତାମତ ମିଳିପାରି ନାହିଁ।


Comments are closed, but trackbacks and pingbacks are open.