{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କୋଲର ପଞ୍ଚାୟତର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଲର–ଯଇପୁର ପରିସରରେ ବିଦ୍ୟାଳୟର ୧୯୯୯ ମସିହା ମେଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ହର୍ଷୋଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୨୭ ବର୍ଷ ପରେ ପୁରୁଣା ସହପାଠୀମାନେ ପୁନର୍ବାର ଏକତ୍ରିତ ହେବା ପାଇଁ କିଛି ପୂର୍ବତନ ଛାତ୍ର ଉଦ୍ୟମ ନେଇ ସହପାଠୀମାନଙ୍କୁ ଯୋଗାଯୋଗ କରିଥିଲେ।ସମସ୍ତଙ୍କ ସହମତି ଓ ସହଯୋଗରେ ଏହି ବନ୍ଧୁମିଳନ ସଫଳ ଭାବେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୧୯୯୯ ମେଟ୍ରିକ୍ ବ୍ୟାଚ୍ର ପ୍ରାୟ ସମସ୍ତ ସହପାଠୀ ସପରିବାର ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଅବସରରେ ସମୁହ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା।ଦୀର୍ଘଦିନ ପରେ ପୁରୁଣା ବନ୍ଧୁମାନଙ୍କୁ ଦେଖି ସମସ୍ତେ ବାଲ୍ୟକାଳର ସ୍ମୃତିକୁ ସ୍ମରଣ କରି ଆତ୍ମବିଭୋର ହୋଇପଡ଼ିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ପୁରାତନ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ସଭା ଆରମ୍ଭରେ ପରଲୋକଗତ ଶିକ୍ଷକ,ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ବେହେରା ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ପରିସରରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ, ଯାହାଦ୍ୱାରା ଭବିଷ୍ୟତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ ସହଜ ହୋଇପାରିବ।ଏହି ପ୍ରସ୍ତାବକୁ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସମର୍ଥନ କରି ୧୯୯୯ ବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କୁ ମଣ୍ଡପ ନିର୍ମାଣରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ଏବଂ ଆସନ୍ତା ବର୍ଷ ସେହି ମଣ୍ଡପରେ ବନ୍ଧୁମିଳନ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଥିଲେ।ପରିଶେଷରେ ସମସ୍ତ ସହପାଠୀ ଏକାଠି ହୋଇ କାର୍ଯ୍ୟକ୍ରମ ଆୟୋଜନରେ ଅଗ୍ରଣୀ ଭୂମିକା ନେଇଥିବା ସାଙ୍ଗମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ବର୍ଷ ପୁନର୍ବାର ବନ୍ଧୁମିଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Comments are closed, but trackbacks and pingbacks are open.