{ ମାଲକାନଗିରିରୁ ବାସୁଦେବ ଜେନାଙ୍କ ରିପୋର୍ଟ } : ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଥିଲେ ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି । ବଣ୍ଡା ଘାଟିର ମୁଦୁଲିପଡା ଯାଇ ଆଦିମ ଜନଜାତିଙ୍କୁ ଭେଟିବା ସହ ପ୍ରାଚୀନ ଜନଜାତିଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ମହାମହିମ ରାଜ୍ୟପାଳ । ସରକାରୀ ଯୋଜନା ଆଦିମ ଜନଜାତିଙ୍କ ପାଖରେ ପହଂଚି ପାରୁଛି କି ନାହିଁ ତାହା ଗୋଟି ଗୋଟି କରି ବଣ୍ଡା ଲୋକଙ୍କୁ ପଚାରି ଥିଲେ ରାଜ୍ୟପାଳ । ବିଦ୍ୟାଳୟର ଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବଣ୍ଡାଘାଟିର ବିକାଶ ଲାଗି ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି ମହାମହିମ ।ଆଦିମ ଜନଜାତିଙ୍କ ପାଖକୁ ଗଲେ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ଓ ତୁରନ୍ତ ବଣ୍ଡା ଲୋକଙ୍କୁ ସରକାରଙ୍କ ମୌଳିକ ସୁବିଧା ପ୍ରଦାନ କରିବା ଲାଗି ତାଗିଦ ମଧ୍ୟ କଲେ। ଏମିତିରେ ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ନେତା ମନ୍ତ୍ରୀଙ୍କର ପାଦ ପଡେ ନାହିଁ । ହେଲେ ଯେତେବେଳେ ମହାମହିମ ରାଜ୍ୟପାଳ ଆଦିମ ଜନଜାତିଙ୍କ ପାଖକୁ ଯାଇଛନ୍ତି ସେତେବେଳେ ବଣ୍ଡା ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଜଙ୍ଗଲ ଜମି ପଟ୍ଟା, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଆଦିମ ଜନଜାତିଙ୍କ ପାଖରେ ଠିକ ଭାବରେ ପହଂଚି ପାରୁଛି କି ନାହିଁ ତାହା ବଣ୍ଡା ଲୋକଙ୍କୁ ପଚାରି ବୁଝିଥିଲେ ରାଜ୍ୟପାଳ । କିଛି ବଣ୍ଡା ଲୋକେ ସରକାରୀ ଯୋଜନା ବିଷୟରେ ଅବଗତ ଥିବା ବେଳେ ଆଉ କିଛି ଲୋକେ ସରକାରଙ୍କ ଅନେକ ଯୋଜନା ବିଷୟରେ ଜାଣି ନ ଥିବା ମହାମହିମଙ୍କୁ କହିଥିଲେ । ଏଭଳି ସ୍ଥିତିରେ ବଣ୍ଡା ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ସଚେତନ କରିବା ସହ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ ରାଜ୍ୟପାଳ ।ବଣ୍ଡାଘଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ଲାଗି ସଡ଼କ ପଥରେ ଅଙ୍କା ବଙ୍କା ଘାଟି ଦେଇ ମୁଦୁଲିପଡାର ସିତାକୁଣ୍ଡରେ ପହଁଚି ଥିଲେ ମହାମହିମ । ସୀତାକୁଣ୍ଡ ପରିଦର୍ଶନ କରି ବଣ୍ଡା ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବୁଲି ଦେଖିଥିଲେ ରାଜ୍ୟପାଳ । ବଣ୍ଡା ମହିଳାଙ୍କ ପାରମ୍ପରିକ ବେଶବୁସା ବୁଲି ଦେଖିଥିଲେ ରାଜ୍ୟପାଳ । ଏହା ସହ ମହିଳାମାନେ ସ୍ୱାବଲମ୍ବୀ ହେବା ଲାଗି ଘାଟିରେ ଥିବା ସିଲେଇ କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ସେଠାକାର ଏକ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ବୃକ୍ଷରୋପଣ କରିବା ସହ ବିଦ୍ୟାଳୟର ଛାତ୍ରୀଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିଥିଲେ ରାଜ୍ୟପାଳ । ବଣ୍ଡା ଛାତ୍ରୀଙ୍କ ଭବିଷ୍ୟତ ଚିନ୍ତାଧାରା ସମ୍ପର୍କରେ ପଚାରି ବୁଝିଥିଲେ ରାଜ୍ୟପାଳ । ନିଜ ଅଞ୍ଚଳରେ ମହାମହିମ ରାଜ୍ୟପାଳଙ୍କୁ ଦେଖି ବେଶ ଖୁସି ହୋଇଥିଲେ ଆଦିମ ଜନଜାତିର ବଣ୍ଡା ଲୋକେ ।ଆଦିମ ଜନଜାତିର ବଣ୍ଡା ଲୋକଙ୍କ ଲାଗି ସରକାରଙ୍କ ଅନେକ ଯୋଜନା ରହିଛି । ସେମାନଙ୍କ ବିକାଶ ଲାଗି ସ୍ୱତନ୍ତ୍ର ଭାବେ ବଣ୍ଡା ଉନ୍ନୟନ ସଂସ୍ଥା ମଧ୍ୟ କାମ କରୁଛି । ହେଲେ ବର୍ତମାନ ସୁଦ୍ଧା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରି ନାହାନ୍ତି ବଣ୍ଡା ଜନଜାତିର ଲୋକେ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟପାଳ ।
Comments are closed, but trackbacks and pingbacks are open.