ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲ୍ଲାପାଳ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ଜାନୁୟାରୀ ୧ ରୁ ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବୁଧବାର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା ପୁଲିସ ପ୍ରଶାସନ ଓ ଜିଲ୍ଲାସଡକ ସୁରକ୍ଷା ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ, ନବବର୍ଷର ପ୍ରଥମ ଦିନ ସକାଳେ କଲେକ୍ଟରେଟ୍‌ଠାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ। ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଏବଂ ସ୍ବେଛାସେବୀ ସଂଗଠନ ମାନେ ପ୍ଲାକାର୍ଡ ସହିତ ସଚେନତା ଶୋଭାଯାତ୍ରାରେ ରଥ ସହିତ ସହର ପରିକ୍ରମା କରିଥିଲେ ।ଏହି ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଲିଫ୍‌ଲେଟ୍‌ ବଣ୍ଟନ କରାଯାଇ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍‌ର ବ୍ୟବହାର, ଚାରି ଚକିଆ ଯାନରେ ସିଟ୍‌ ବେଲ୍‌ଟର ବ୍ୟବହାର, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା ନ କରିବା ଏବଂ ଟ୍ରାଫିକ୍‌ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଯମରାଜା-ଚିତ୍ରଗୁପ୍ତ ସମ୍ବାଦ। ସ୍ଥାନୀୟ କଳାକାର ମାନେ ଯମରାଜ ଏବଂ ଚିତ୍ରଗୁପ୍ତ ବେଶ ଧରି ପଥପ୍ରାନ୍ତ ସଚେତନତା ନାଟକ କରିବା ସହିତ ରାସ୍ତାରେ ଯେଉଁମାନେ ହେଲମେଟ ନ ପିନ୍ଧି ଗାଡି ଚଳାଉଥିଲେ ସେମାନଙ୍କୁ ସଚେତନ କରିବା ସହିତ ପୁଲିସ ସହାୟତାରେ ଦଣ୍ଡବିଧାନ ମଧ୍ୟ କରୁଥିଲେ। ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିନା ହେଲମେଟ ଗାଡି ଚାଳନା କରୁଥିବା ଚାଳକଙ୍କୁ ମାଗଣାରେ ହେଲମେଟ ମଧ୍ୟ ପ୍ରଦାନ କରାଯାଉଥିଲା।ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵରାଜ ବେହେରା, ସହକାରୀ ପରିବହନ ଅଧିକାରୀ ସାଲକୋ ମୁର୍ମୁ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ପୋଲିସ ପ୍ରଶାସନ ଓ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ, ଏହି ମାସ ପାଳନ ଅବସରରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ ଓ ସବଡ଼ିଭିଜନରେ ସଚେତନତା ର଼୍ୟାଲି ଆୟୋଜନ କରାଯିବା ସହ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସମ୍ବନ୍ଧୀୟ ୱାଲ ପେଣ୍ଟିଂ ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା, ଡ୍ରାଇଭରମାନଙ୍କ ନିମନ୍ତେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଦି ଆୟୋଜନ କରାଯିବ। ଏହି ଅବସରରେ ଜିଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା ସହିତ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ। ଟ୍ରାଫିକ ନିୟମ ମାନି ଗାଡି ଚଳାଇ ଜିଲ୍ଲାରେ ଦୁର୍ଘଟଣାହାର ହ୍ରାସ କରିବାରେ ସହଯୋଗ ନିମନ୍ତେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons