ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା ବୈଠକ

Get real time updates directly on you device, subscribe now.

(ଜଗତସିଂହପୁରରୁ ରାକେଶ କୁମାର ରାୟ ଙ୍କ ରିପୋର୍ଟ) : ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବିଧାୟକ ଶ୍ରୀ ଦାସ ଅଧ୍ୟକ୍ଷତା କରି କହିଲେ ଯେ,ସରକାରୀ ଯୋଜନା ସଠିକ ଢଙ୍ଗରେ ସଠିକ ଲୋକ ପାଖରେ ପହଂଚିବା ଦରକାର।ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରିବ।ଜନପ୍ରତିନିଧି ଓ ପ୍ରଶାସନ ର ସହଯୋଗ ରେ ସରକାରୀ ଯୋଜନା ର ସଫଳ ରୂପାୟନ ହୋଇପାରିବ। କୌଣସି ବାହ୍ୟ ଶକ୍ତି ଦ୍ଵାରା ପ୍ରଭାବିତ ନହୋଇ ସଠିକ ହିତାଧିକାରୀ ଚୟନ କରିବା ଦରକାର। ବର୍ତ୍ତମାନ ର ସରକାର କିଛି ଭଲ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ସମସ୍ତଙ୍କର ସହଯୋଗ ଓ ଏକ ସୁସ୍ଥ ବାତାବରଣ ରହିଲେ ଜଗତସିଂହପୁର ପରି ଏକ ସାକ୍ଷର ଓ ସଜାଗ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ଏତଦବ୍ୟତୀତ ସମ୍ପ୍ରତି ଜିଲ୍ଲା ରେ ଖାଲି ଥିବା ଅଧିକାରୀ ମାନଙ୍କ ପଦବୀ ତୁରନ୍ତ ପୂରଣ କରିବା ପାଇଁ ସେ ଆଶାପୋଷଣ କରିଥିଲେ। ଏହା ପରେ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ବିଭାଗୀୟ କାର୍ଯ୍ୟାବଳୀ ର ସମୀକ୍ଷା କରିଥିଲେ। ଜିଲ୍ଲା ରେ ମେଡିକାଲ୍ କଲେଜ୍ ସ୍ଥାପନ କରିବା, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ର ଆୟୋଜନ କରିବା, ଜିଲ୍ଲା ରେ ଅଧିକ କ୍ରୀଡାବିତ୍ ସୃଷ୍ଟି କରିବା, ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ କ୍ରିକେଟ, ଆଥଲେଟିକ, ଭଲିବଲ୍ ଓ ଫୁଟବଲ୍ କ୍ରୀଡାବିତ୍ ମାନଙ୍କ ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ କରାଇବା,ତଳିଆ ଅଞ୍ଚଳରେ ଜଳ ନିଷ୍କାସନ, ହାଟ ବଜାର ଅଞ୍ଚଳରେ ଡ୍ରେନେଜ ସୁବିଧା, ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ଯୋଗାଣ ରେ ଅନିୟମିତତା, ବୁଲା ପ୍ରାଣୀ ତଥା ଗାଈଗୋରୁଙ୍କ ନିମନ୍ତେ ଶେଡ଼ ଓ ଖାଦ୍ୟ ବ୍ୟବସ୍ଥା,ମିଶନ୍ ଶକ୍ତି ଦ୍ଵାରା ମା ମାନଙ୍କର ଉନ୍ନତି,ମିଶନଶକ୍ତି ସ୍କୁଟି ଯୋଜନା,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା,ମୁନିସିପାଲିଟି ରେ ପାଇଖାନା ଓ ଆବାସ ଯୋଜନା ର ସଠିକତା ନିରୂପଣ,ମତ୍ସ୍ୟ ପୋଖରୀ ଯୋଜନା, ଚୋରା ମଦ କାରବାର ରୋକିବା ,ରାସ୍ତା ଘାଟ ନିର୍ମାଣ ଓ ମରାମତି,ବେଆଇନ ବାଲି ଉଠାଣ,ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,ଏଲ୍ ଆଇ ପଏଣ୍ଟ କାର୍ଯ୍ୟକ୍ଷମ, ଅଙ୍ଗନବାଡି ରେ ଦିଆଯାଉଥିବା ଛତୁଆ ର ମାନ ତଦାରଖ, ପୋଷାକ ଓ ଖାଦ୍ୟପେୟ ଯୋଗାଉଥିବା ସଂସ୍ଥା ର ତଦାରଖ ଓ ଅର୍ଡର ଡେଲିଭରି ହେବାବେଳେ ତାହାର କ୍ୱାଲିଟି ଚେକ୍ କରିବା,ବଡବାଗ ତନ୍ତୁବାୟ ସମିତି ର ପୁନରୁଦ୍ଧାର ଓ ପ୍ରୋତ୍ସାହନ, ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲା ର ପାରାଦ୍ଵୀପ ଠାରେ ଥିବା ବୃହତ ଶିଳ୍ପ ସଂସ୍ଥା ଗୁଡ଼ିକର ସି ଏସ୍ ଆର ଫଣ୍ଡ କୁ 4 ଟି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ରେ ବିନିଯୋଗ କରିବା ପାଇଁ ସେ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ। ଜଗତସିଂହପୁର ଜିଲ୍ଲା ର ବିସ୍ତୃତ ବେଳାଭୂମି ଓ ଉନ୍ନତ ଚାଷ ଜମି ରହିଛି, ତେଣୁ ବିଭିନ୍ନ କୃଷି ଉଦ୍ୟୋଗୀ ଯୋଜନା ଯଥା ମିଲେଟ ଚାଷ, ଫୁଲ ଚାଷ, ଫଳ ଓ ପନିପରିବା, ମତ୍ସ୍ୟ ଚାଷ, କୁକୁଡା ପାଳନ, ଗୋପାଳନ ଆଦି କୁ ଚାଷୀ ମାନଙ୍କ ପାଖରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପହଞ୍ଚାଇବାକୁ ବିଧାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ସହରାଞ୍ଚଳରେ ସି ଏମ୍ କିଷାନ ଯୋଜନା ର ସଫଳ ରୂପାୟନ, ଧାଡ଼ି ରୁଆ, ମକା ପରି ଅର୍ଥକାରୀ ଫସଲ ଚାଷ ସହ ସରକାର ଙ୍କ ତରଫରୁ ଧାନ ମଣ୍ଡି ରେ 3100 ଟଙ୍କା ଏମ୍ ଏସ୍ ପି ଯୋଗାଇବା ବିଷୟରେ ସୂଚନା ଦେଇଥିଲେ ।ଜିଲ୍ଲା ରେ ଥିବା ଶିକ୍ଷିତ ଉଦ୍ୟୋଗୀ ମାନଙ୍କୁ ଉନ୍ନତ ଏବଂ ଆଧୁନିକ ତଥା ବୈଜ୍ଞାନିକ ପଦ୍ଧତି ରେ ଚାଷ କରିବା ପାଇଁ ପ୍ରେରିତ କରିବା ସହ ସମସ୍ତ ସାଧନ ଯୋଗାଇଦେବା ଓ ଆବଶ୍ୟକ ସ୍ଥଳେ ରିସୋର୍ସ ପର୍ସନ ମାନଙ୍କ ଦ୍ଵାରା କୃଷି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।ବିଧାୟକ ଶ୍ରୀ ଦାସ ଜଗତସିଂହପୁର ଓ ନାଉଗାଁ ର ବିଡିଓ ତହସିଲଦାର ଙ୍କ ସହ ଅନଲାଇନ ପଟ୍ଟା ବଣ୍ଟନ, ଜମି ଡିମାର୍କେସନ,ପାଇଖାନା ଓ ଆବାସ ଯୋଜନା ର ତଦାରଖ ଆଦି ବିଷୟରେ ସମୀକ୍ଷା କରିଥିଲେ। ଜିଲ୍ଲା ର ପ୍ରମୁଖ ଶିଳ୍ପାଞ୍ଚଳ ପାରାଦ୍ଵୀପ ର ବିଭିନ୍ନ କମ୍ପାନୀ ମାନଙ୍କ ରେ ଜିଲ୍ଲା ର ଯୋଗ୍ୟ ଶିକ୍ଷାର୍ଥୀ ମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରମୁଖତଃ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ତଥା ସମ୍ପୂର୍ଣ୍ଣ ଜିଲ୍ଲା ର ଶିକ୍ଷା,ସ୍ୱାସ୍ଥ୍ୟ, କୃଷି, ପଞ୍ଚାୟତିରାଜ ଓ ଆଇନ୍ ଶୃଙ୍ଖଳା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଷଦ ଭାବେ ଆଲୋଚନା କରିଥିଲେ । ବୈଠକରେ ଉପସ୍ଥିତ ରହି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ ସମସ୍ତ ଅଧିକାରୀ ମାନଙ୍କୁ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ଉପରେ ସମୟ ସମୟରେ ସମୀକ୍ଷା ବୈଠକ କରିବାକୁ କହିଥିଲେ। ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଓ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ଜିଲ୍ଲା ପରିଷଦ ତଥା ବିଭାଗୀୟ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକର ପ୍ରାରମ୍ଭ ରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀମତୀ ସବିତା ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons