ଅଜଣା ଜ୍ୱରରେ ଆଖି ବୁଜିଲେ ଭାଇଉଭଣୀ

Get real time updates directly on you device, subscribe now.

ଲହୁଣିପଡ଼ା,(ବି.ବି.ନୁ୍ୟଜ): ଅଜଣା ଜ୍ୱରରେ ଆକ୍ରାନ୍ତ ହେଲେ ମା’ ଓ ୩ ଶିଶୁ । ଚିକିତ୍ସା ଅବହେଳାରୁ ଘର ଭିତରେ ଆଖି ବୁଜିଲେ ଦୁଇ ଶିଶୁ । ଏବେ ମା’ ଓ ଦେଢ଼ ବର୍ଷର ଶିଶୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏଭଳି ଘଟଣା ଘଟିଛିି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତର ଦମାଳୁ ଗ୍ରାମରେ ।
ଏହି ଗ୍ରାମରେ ରହନ୍ତି କିଶୋର ତନ୍ତୀ, ତାଙ୍କ ପତ୍ନୀ ଇନ୍ଦି (୩୦), ୮ ବର୍ଷର ଝିଅ ଆଶ୍ରିତା, ୬ ବର୍ଷର ପୁଅ ଅଞ୍ଜୟ ଏବଂ ଦେଢ଼ÿ ବର୍ଷର ପୁଅ ଫିରୁ । ଏକ ସଡ଼କ ଦୁର୍ଘଟଣାରେ କିଶୋରଙ୍କ ମୃତୁ୍ୟ ଘଟିଥିଲା । ସ୍ୱାମୀଙ୍କ ମୃତୁ୍ୟ ପରେ ବିଧବା ଇନ୍ଦି ତିନି ଛୁଆଙ୍କୁ ଧରି ରହୁଥିଲେ । ଇନ୍ଦି ମଜୁରି କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ । ତେବେ ଗତ କିଛି ଦିନ ହେଲା ଇନ୍ଦି ଓ ତାଙ୍କର ତିନି ଶିଶୁଙ୍କୁ ଜ୍ୱର ହେଲା । ତେବେ ପାଖରେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ସେଠାରେ ଥିବା ଜଣେ କ୍ୱାକ୍ଙ୍କ ପାଖରୁ ଔଷଧ ଆଣିଥିଲେ । ସୋମବାର ଅପରାହ୍ନରେ ଅଞ୍ଜୟର ଦେହ ଅତ୍ୟଧିକ ଖରାପ ହେଲା ଓ ଘରେ ହିଁ ତା’ର ମୃତୁ୍ୟ ଘଟିଥିଲା । ମୃତ ଅଞ୍ଜୟଙ୍କ ଶବକୁ ପୋତିକି ମା’ ଘରକୁ ଫେରିବା ପରେ ଆଶ୍ରିତା ଗୁରୁତର ହେବାରେ ଲାଗିଲା । ଏ ନେଇ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଆସିଲା ନାହିଁ । ରାତି ହୋଇଯିବାରୁ ଇନ୍ଦି କୁଆଡେ଼ ଯିବେ କିଛି ଭାବି ପାରିଲେ ନାହିଁ । ତେବେ ଆଜି ସକାଳେ ଆଶ୍ରିତା ମଧ୍ୟ ଆଖି ବୁଜି ଦେଲା । ଅନ୍ୟ ଉପାୟ ନପାଇ ଇନ୍ଦି ଏକ ଅଟୋରେ ମୃତ ଆଶ୍ରିତାର ଶବ ଓ ଜ୍ୱର ଆକ୍ରାନ୍ତ ଥିବା ଫିରୁକୁ ଧରି ଲହୁଣିପଡ଼ା ଡାକ୍ତରଖାନାରେ ପହଞ୍ଚିଥିଲେ । ଡାକ୍ତରଖାନାରେ ଇନ୍ଦି ଓ ଫିରୁକୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons