ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଡିସେମ୍ବର ୧୫ରୁ ଖରିଫ ଧାନ ସଂଗ୍ରହ

Get real time updates directly on you device, subscribe now.

{ ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ } : ନବରଙ୍ଗପୁର ଜିଲ୍ଲାରେ ଚଳିତ ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଆସନ୍ତା ଡିସେମ୍ବର ୧୫ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏହି ଉପଲକ୍ଷେ ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଧାନ ସଂଗ୍ରହର ସୁବ୍ୟବସ୍ଥିତ ପରିଚାଳନା ଓ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ନରସିଂହ ଭତ୍ରା ଏବଂ ସାଂସଦଙ୍କ ପ୍ରତିନିଧି, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ଗତ ଖରିଫ ଓ ରବି ବିପଣନ ଋତୁ ୨୦୨୫-୨୬ର ଧାନ ସଂଗ୍ରହ ଲକ୍ଷ୍ୟ ଓ ସଫଳତା ସମୀକ୍ଷା କରାଯାଇଥିଲା। ଗତ ଋତୁରେ ଖରିଫ ଓ ରବି ମିଶାଇ ମୋଟ ୨,୮୫,୪୮୫.୦୭୫ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ବେଳେ ୨,୭୮,୬୩୬.୨୭୨ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏହା ଧାର୍ଯ୍ୟ ଲକ୍ଷ୍ୟର ୯୭.୬୦ ପ୍ରତିଶତ। ଏହି ପ୍ରକ୍ରିୟାରେ ମୋଟ ୪୮,୦୯୨ ଜଣ ଚାଷୀ ଧାନ ବିକ୍ରୟ କରିଥିଲେ। ସେହିପରି ଗତ ଖରିଫ ଋତୁରେ ସଂଗୃହୀତ ଧାନରୁ ୧,୭୮,୨୬୪.୭୪୭ ମେଟ୍ରିକ ଟନ୍ କଷ୍ଟମ ମିଲ୍ଡ ରାଇସ୍ (ସିଏମ୍‌ଆର୍‌) ଡେଲିଭରି ଯୋଗ୍ୟ ଥିବାବେଳେ ୧,୦୨,୩୬୩.୪୦୫ ମେଟ୍ରିକ ଟନ୍ ଚାଉଳ ଡେଲିଭରି ହୋଇଛି। ଅବଶିଷ୍ଟ ଚାଉଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଡେଲିଭରି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଚଳିତ ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଜିଲ୍ଲାରେ ମୋଟ ୫୩,୩୧୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ୫୩,୧୭୭ ଜଣଙ୍କ ପଞ୍ଜୀକରଣ ଯାଞ୍ଚ ହୋଇଥିବାବେଳେ ୫୩,୧୭୪ ଜଣ ଚାଷୀଙ୍କ ତଥ୍ୟ ଅପଡେଟ୍ ହୋଇଛି। ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୧୯,୦୬୭ ଜଣଙ୍କର ଏଗ୍ରି ଷ୍ଟାକ୍ ଆଇଡି ରହିଛି। ଅନ୍ୟପକ୍ଷରେ ୧,୨୯୨ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାର ଇ-କେୱାଇସି ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନଥିବାରୁ ଏହାକୁ ଶୀଘ୍ର ସମ୍ପନ୍ନ କରିବାକୁ ଆଲୋଚନା ହୋଇଥିଲା।ଧାନ କ୍ରୟ ପାଇଁ ଚଳିତ ବର୍ଷ ୧୩ଟି ଲାମ୍ପସ୍‌କୁ ନିଯୁକ୍ତ କରାଯାଇଛି। ଏଥିସହ ଗତ ବର୍ଷ ୩୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୨ଟି ପାଣି ପଞ୍ଚାୟତ ଧାନ କ୍ରୟ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଚଳିତ ବର୍ଷ ଜିଲ୍ଲାରେ ମୋଟ ୫୮ଟି ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ସେଥିମଧ୍ୟରୁ ୫୩ଟି ଆର୍‌ଏମ୍‌ସି ୟାର୍ଡ ଏବଂ ୫ଟି ଅସ୍ଥାୟୀ ସେଡ୍‌ରେ କାର୍ଯ୍ୟ କରିବ।ଧାନର ଅବାଧ ଓ ସ୍ୱଚ୍ଛ ସଂଗ୍ରହ ସୁନିଶ୍ଚିତ କରିବା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଅନ୍ୟ ଜିଲ୍ଲାରୁ ବେଆଇନ ଭାବେ ଧାନ ଆମଦାନି ରୋକିବା ନିମନ୍ତେ ଜିଲ୍ଲାର ପାଞ୍ଚଟି ସ୍ଥାନରେ ସୀମା ଯାଞ୍ଚ କେନ୍ଦ୍ର ସ୍ଥାପନ କରାଯିବ। ଏଥିମଧ୍ୟରେ ରାଇଘର ବ୍ଲକର କୁଣ୍ଡେଲି, ଉମରକୋଟ ବ୍ଲକର କୋଣ୍ଡାଗାଁଓ, ଚନ୍ଦାହାଣ୍ଡି ବ୍ଲକର ଖିଲୋଲି, କୋଷାଗୁମୁଡା ବ୍ଲକର ସନ୍ତୋଷପୁର ଏବଂ ପାପଡ଼ାହାଣ୍ଡି ବ୍ଲକର ମୈଦଲପୁର ଯାଞ୍ଚ ବ୍ୟବସ୍ଥା କରାଯିବ। ଏହି କେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ସଂଯୁକ୍ତ ଯାନ ନିୟୋଜନ ସହ ଆବଶ୍ୟକୀୟ କର୍ମଚାରୀ ଓ ପୋଲିସ କର୍ମୀ ମୁତୟନ କରାଯିବ। ସାଟେଲାଇଟ୍ ମାଧ୍ୟମରେ ଚିହ୍ନଟ ହେବାକୁ ଥିବା ସନ୍ଦେହଜନକ ଜମି ପ୍ଲଟ୍‌ଗୁଡ଼ିକର କ୍ଷେତ୍ରସ୍ତରୀୟ ଯାଞ୍ଚ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏ ସମ୍ପର୍କିତ ତଥ୍ୟ ଖାଦ୍ୟ ଯୋଗାଣ ବିଭାଗଠାରୁ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।ଚାଷୀମାନେ ଯେପରି ସୁବିଧାରେ ଓ ସ୍ୱଚ୍ଛତାର ସହିତ ନିଜ ଉତ୍ପାଦିତ ଧାନ ବିକ୍ରୟ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ତରଫରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇବା ସହ ଚାଷୀଙ୍କ ଧାନର ମାନ, ମଣ୍ଡିର ଅବସ୍ଥିତି ଏବଂ କ୍ରୟ ଦିବସ ଉପରେ ବହୁଳ ପ୍ରଚାର କରିବା ନିମନ୍ତେ ନିଷ୍ପତି ନିଆଗଲା l ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି ବୈଠକରେ ଧାନ ସଂଗ୍ରହ ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ପ୍ରସ୍ତୁତି ଉପସ୍ଥାପନ କରିବା ସହ ବୈଠକର ପରିଚାଳନା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons