କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଅନ୍ତର୍ଗତ ଗଜବାହାଲ ଗାଁର କ୍ଷୀରମଣି ସେଠ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଅନୈତିକ ସଂପର୍କରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ଜାଣିବାକୁ ପାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଗଜବାହାଲ ଗାଁର ବାବୁଲା ବିଭାର, ତା’ ଝିଅ ଓ ଡୋଳେଶ୍ୱର ଭେଶରା। ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ କ୍ଷୀରମଣି ଓ ବାବୁଲା ବିଭାରର ଝିଅ ମଧ୍ୟରେ ଅନୈତିକ ସଂପର୍କ ଥିଲା। ଉଭୟ କ୍ଷୀରମଣି ଓ ବାବୁଲା ବିଭାରର ଝିଅ ପୃଥକ ପୃଥକ ସ୍ଥାନରେ ବାହା ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସଂପର୍କ ଥିଲା। ଗତ ୮ ତାରିଖ ଦିନ ବାବୁଲା ବିଭାରର ଘରେ କେବଳ ତା’ ଝିଅ ଥିଲା। ଏହାର ସୁଯୋଗ ନେଇ କ୍ଷୀରମଣି ସେଠାରେ ପହଞ୍ଚିଥିଲେ। ସେ ସେଠାରେ ଉକ୍ତ ମହିଳା ସହିତ ଶାରୀରିକ ସଂପର୍କ ରଖିଥିଲେ। ଏହି ସମୟରେ ବାବୁଲା ବିଭାର ଘରେ ପହଞ୍ଚି ଯାଇଥିଲା। ସେ ରାଗି ଯାଇ କ୍ଷୀରମଣିଙ୍କ ଗୁପ୍ତାଙ୍ଗରେ ପାହାର ବସାଇଥିଲା। ଫଳରେ କ୍ଷୀରମଣି ସେଠାରେ ଅଚେତ ହୋଇ ପଡ଼ିଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଦିନ ତମାମ ବାବୁଲା ବିଭାରି ଘରେ ମୃତଦେହକୁ ଲୁଚାଇ ରଖିଥିଲା। ରାତିରେ ଝିଅ ଓ ଗାଁର ଡୋଳେଶ୍ୱର ଭେଶରା ନାମକ ଜଣେ ଯୁବକ ସହିତ ମିଶି ମୃତଦେହକୁ ଫୋପାଡ଼ି ଦେଇଥିଲା। ସେମାନେ କ୍ଷୀରମଣିଙ୍କ ମୃତଦେହକୁ ଗାଁର ନରହରି ପ୍ରଧାନଙ୍କ ଜମିରେ ଫିଙ୍ଗି ଦେଇଥିଲେ। ପୁଲିସ୍ ତଦନ୍ତ ବେଳେ ଅଭିଯୁକ୍ତମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ସେମାନେ ସବୁ କଥା କହିଥିଲେ ଓ କ୍ଷୀରମଣିକୁ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ।
Comments are closed, but trackbacks and pingbacks are open.