ଅପହୃତ ନାବାଳକର ମୃତଦେହ ଉଦ୍ଧାର:୧୦ ଲକ୍ଷ ଟଙ୍କା ଦାବି ପରେ ହତ୍ୟା

Get real time updates directly on you device, subscribe now.

ଟିଟିଲାଗଡ଼,(ବି.ବି.ଆପ୍ର): ୧୯୯୭ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ବିକାଶ ଲାଠ୍ ହତ୍ୟାକାଣ୍ଡର ଦୃଶ୍ୟ ଆଜି ମଧ୍ୟ ଲୋକଙ୍କ ମନରୁ ଲିଭି ନଥିବାବେଳେ ଦୀର୍ଘ ୨୫ ବର୍ଷ ପରେ ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି ଟିଟିଲାଗଡ଼ ସହରରେ । ନବମ ଶ୍ରେଣୀ ଛାତ୍ରକୁ ସମ୍ପର୍କୀୟ ଦାଦା ଅପହରଣ ପରେ ଟଙ୍କା ଦାବି କରି ବିଫଳ ହେବା ପରେ ହତ୍ୟା କରିଛି । ପୁଲିସ ଅଭିଯୁକ୍ତ ସୁମିତ ବିହାରୀ(୩୦)କୁ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବଲାଙ୍ଗିର ଏସ୍ପି ନିତୀନ କୁଶଳକର ଘଟଣାସ୍ଥଳ ଅନୁଧ୍ୟାନ କରିଥିବା ବେଳେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖରେ ସିରିଭଟା ନିବାସୀ ରେଲବାଇ କର୍ମଚାରୀ ଦିଲ୍ଲୀପ କୁମାରଙ୍କ ପୁଅ ମୋହନ ଝାଙ୍କରପଡ଼ାକୁ ଟିଉସନ୍ ପାଇଁ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ମୋହନକୁ ପାଇନଥିଲେ । ଶେଷରେ ନିରାଶ ହୋଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଖୋଳତାଡ଼ ବେଳେ ତଦନ୍ତ ପରିସରକୁ ଆସିଥିଲା ନାବାଳକଙ୍କ ଜଣେ ସମ୍ପର୍କୀୟ ଦାଦା ସୁମିତ ବିହାରୀ (୩୦) । ପରିବାର ଲୋକଙ୍କ ସହାୟତାରେ ପୁଲିସ ସୁମିତକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଠାବ କରି ତଦନ୍ତକୁ ବ୍ୟାପକ କରିଥିଲା । ପଚରାଉଚରା ବେଳେ ସୁମିତ ଅପରାଧ ସ୍ୱୀକାର କରିିଥିଲା । ଅଭିଯୁକ୍ତ ସୁମିତ ସମ୍ପର୍କୀୟ ଦାଦା ହୋଇଥିବାରୁ ସେ ମୋହନକୁ ଅତି ସହଜରେ ଅପହରଣ କରି ନେଇ ବିଭିନ୍ନ ସ୍ଥାନ ବୁଲାବୁଲି କରି ଟିଟିଲାଗଡ଼-ବଲାଙ୍ଗିର ରାସ୍ତାର ମା’ ଓ ଶିଶୁ ଡାକ୍ତରଖାନାର ଅନତି ଦୂର ପିପଲପଦର ନିବାସୀ ବୈଚନ୍ଦ୍ର ନାଗଙ୍କ ନିର୍ମାଣାଧିନ କୋଠାଘରକୁ ନେଇଯାଇଥିଲା । ସେଠାରେ ମୋହନ ଧରି ଥିବା ମୋବାଇଲ ଫୋନ ମାଗି ତାର ପରିବାର ଲୋକଙ୍କୁ ମେସେଜ ପଠାଇଥିଲା । ମେସେଜରେ ନିଜକୁ ମାଓବାଦୀ ଦର୍ଶାଇ ପୁଅକୁ ଜୀବିତ ଦେଖିବାକୁ ଚାହୁଁଛନ୍ତି, ତେବେ ୧୦ଲକ୍ଷ ଟଙ୍କା ତୁରନ୍ତ ସେ କହିବା ସ୍ଥାନକୁ ପଠାଇ ଦେବାକୁ ଧମକ ଦେଇଥିଲା । ତେବେ ମେସେଜ ପଠାଇବା ପରେ ବି ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ନପାଇ ସୁମିତ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା । ପରେ ସେ ନିର୍ମାଣାଧିନ କୋଠାଘରକୁ ଆସି ମୋହନକୁ ଘରର ଛାତ ଉପରକୁ ଯିବା ପାଇଁ କହିଥିଲା । ମୋହନ ସିଡ଼ି ଦେଇ ଛାତକୁ ଯାଉଥିବା ବେଳେ ଅଭିଯୁକ୍ତ ସୁମିତ ପଛପଟୁ ଗାମୁଛାରେ ମୋହନର ବେକକୁ ଭିଡ଼ିଦେଇ ହତ୍ୟା କରିଥିଲା । ହତ୍ୟା ପରେ ସୁମିତ ମୋହନର ଶବକୁ ଦେଢଶହ ଫୁଟ ଘୋଷାଡ଼ି ନେଇ ଖନନ ହୋଇଥିବା ଚହଳାରେ ଶବ ଫୋପାଡ଼ି ଦେଇଥିଲା । ପୁଣି ପ୍ରମାଣ ନଷ୍ଟ କରିବା ପାଇଁ ଶବ ଉପରେ ପଥରରେ ଛେଚିଦେଇ ଫେରାର ମାରିଥିଲା । ଏଥିସହ ମୋହନର ବହିବସ୍ତାନିକୁ ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା । ଅନ୍ୟପଟେ ପରିବାର ଲୋକଙ୍କ ସହ ମିଶି ମୋହନକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରେ ସାହାଯ୍ୟ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons