ଅଭିଯୁକ୍ତ ସ୍କୁଲ ମାଲିକ ପୁଲିସ ବାରାକରୁ ଚମ୍ପଟ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଗତକାଲି ପୁଲିସ ହେପାଜତରୁ ଚମ୍ପଟ ମାରିଛନ୍ତି । ସୋମବାର ଗୋବିନ୍ଦଙ୍କ ପଲିଗ୍ରାଫ ଟେଷ୍ଟ ହେବାରଥିଲା । କିନ୍ତୁ ତାହାପୂର୍ବରୁ ସେ ସମସ୍ତଙ୍କୁ ଚକମାଦେଇ ଗତକାଲି ରାତି ପ୍ରାୟ ସାଢେ଼ ୧୧ଟା ବେଳେ ଟିଟିଲାଗଡ଼ ପୁଲିସ ବାରାକ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି ।
ଏନେଇ ଖବର ମିଳିବା ପରେ ପୁଲିସ ପକ୍ଷରୁ ବଲାଙ୍ଗିର ସମେତ କଳାହାଣ୍ଡି, ନୂଆପଡା, ସୋନପୁର, ବୌଦ୍ଧ ଏବଂ ଛତିଶଗଡ଼ ସୀମାକୁ ସିଲ କରିଛି । ପରେ ଜିଲ୍ଲା ବାହାରକୁ ଯାଉଥିବା ବିଭିନ୍ନ ରାସ୍ତାରେ ପୁଲିସ ନାକାବନ୍ଦୀ କରିଛି । ବଲାଙ୍ଗିର ଏସପି ନୀତିନ କୁଶଲକର ଟିଟିଲାଗଡ଼ ଯାଇ ଦାୟିତ୍ୱରେ ଅବହେଳା ଅଭିଯୋଗରେ ୩ଜଣ କନେଷ୍ଟବଳ ରାକେଶ ବିଶ୍ୱାଳ, ଦୟା ଜାନୀ ଏବଂ ରବୀନ୍ଦ୍ର ଝିନୋଲିଙ୍କୁ ନିଲମ୍ବିତ କରିଛନ୍ତି । ଫେରାର ଗୋବିନ୍ଦ ସାହୁଙ୍କୁ ଖୋଜିବା ପାଇଁ ୪ଜଣ ବିଶେଷଜ୍ଞ ଅଧିକାରୀଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ଖୋଜାଚାଲିଛି । ପୁଲିସ ହେପାଜତରୁ ଗୋବିନ୍ଦ ସାହୁ ଫେରାର ହେବା ଘଟଣାକୁ ନେଇ ନିଖୋଜ ମମିତାଙ୍କ ପରିବାରବର୍ଗ ଏବଂ ବିରୋଧି ଦଳ ପକ୍ଷରୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି । ସଂଧ୍ୟାରେ କଳାହାଣ୍ଡି ବିଜେପିର ଏକ ପ୍ରତିନିଧି ଦଳ ମମିତାଙ୍କ ଘର ଏବଂ ଟିଟିଲାଗଡ଼ରେ ଏସପିଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଗତ ୭ତାରିଖରେ ମମିତାଙ୍କୁ ସ୍କୁଲ ମାଲିକ ଶ୍ରୀ ସାହୁ ଅଫିସ କାମ ଅଛି କହି ମହାଲିଙ୍ଗ ସ୍ଥିତ ସ୍କୁଲକୁ ଆସିବାକୁ କହିଥିଲେ । ତେଣୁ ୮ତାରିଖ ଭୋର ସାଢେ଼ ୫ଟାରେ ମମିତା ଘରୁ ବାହାରି କଣ୍ଟାବାଞ୍ଜି ଯାଇଥିଲେ । ସେଠାରୁ ବସ୍ ଯୋଗେ ମହାଲିଙ୍ଗ ଯାଇଥିଲେ । ସାଢେ଼ ୯ଟାରେ ଯେତେବେଳେ ମମିତାଙ୍କୁ ତାଙ୍କ ମାଁ ଫୋନ କରିଥିଲେ, ସେତେବେଳେ ମମିତା ହଷ୍ଟେଲକୁ ପହଞ୍ଚିସାରିଛି ବୋଲି କହିଥିଲେ । ତାହା ପରଠାରୁ ମମିତାଙ୍କ ଫୋନ ସ୍ୱିଚ୍ଅଫ୍ ହୋଇଯାଇଥିଲା । ଗତ ୯ ଏବଂ ୧୦ ତାରିଖ ଦୁଇଦିନ ଧରି ଫୋନ ସ୍ୱିଚ୍ଅଫ୍ ରହିବାରୁ ସନେ୍ଦହ କରି ପରିବାରବର୍ଗ ପ୍ରଥମେ ମାଲିକ ଗୋବିନ୍ଦ ସାହୁଙ୍କୁ ପଚାରି ବୁଝିଥିଲେ । ହେଲେ ମମିତା ହଷ୍ଟେଲକୁ ଆସିନଥିବା କିମ୍ବା ତାଙ୍କୁ ସେ ଡ଼ାକିନଥିବା ଗୋବିନ୍ଦ କହିଥିଲେ । ପରେ ପରିବାରବର୍ଗ ପଚରାଉଚୁରା ଏବଂ ଖୋଜାଖୋଜି କରିବା ସହିତ ୧୧ତାରିଖରେ କେଗାଁ ଥାନାକୁ ଏତଲା ଦେବା ପାଇଁ ଯାଇଥିଲେ । ହେଲେ ସେଠାରେ ତାଙ୍କର ଅଭିଯୋଗ ଗ୍ରହଣ କରାଗଲା ନାହିଁ । ଶେଷରେ ୧୨ତାରିଖ ବିଳମ୍ବିତ ରାତିରେ ଆସି ସିନେ୍ଧକେଲା ଥାନାରେ ମମିତାଙ୍କ ଭାଇ ବଣ୍ଟି ମେହେର ଲିଖିତ ଅଭିଯୋଗ କରିଥିଲେ । ସିନେ୍ଧକେଲା ପୁଲିସ ମହାଲିଙ୍ଗ ଯାଇ ଗୋବିନ୍ଦ ସାହୁ ସମେତ ସିନେ୍ଧକେଲାର ପ୍ରଦୀପ ଷଡ଼ଙ୍ଗୀ, ଦୀଶା ପଣ୍ଡାଙ୍କୁ ପଚରାଉଚୁରା କରିଥିଲା । ଶେଷରେ ପୁଲିସ ଶ୍ରୀ ସାହୁ ଏବଂ ତାଙ୍କ କାରକୁ ବଲାଙ୍ଗିର ନେଇଆସିଥିଲା । ତେବେ ପୁଲିସ ହେପାଜତରେ ଥିବା ଗୋବିନ୍ଦ ସାହୁ ଗତକାଲି ରାତିରେ ଫେରାର ହୋଇଯାଇଛନ୍ତି ।
ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗିର ପୁଲିସ ଜଏଣ୍ଟ ଅପରେସନ ଆରମ୍ଭ କରିଛନ୍ତି । ଘଟଣାର ଅଧିକ ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇଛି । ରବିବାର ଭାଇରାଲ ହୋଇଥିବା ଏକ ଅଡିଓର ତଦନ୍ତ ପାଇଁ ଗୋଟିଏ ଟିମ୍ ସାଲେଭଟା ଯାଇ ଜଣେ ଯୁବତୀଙ୍କୁ ଉଠାଇ କଳାହାଣ୍ଡି ନେଇଥିବା ବେଳେ ଆଉ ଏକ ଟିମ୍ ଯୁକ୍ତ ଦୁଇ ମହାଲିଙ୍ଗ ଆଞ୍ଚଳିକ କଲେଜର ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ ଉଠାଇଛି । ତୃତୀୟ ଟିମ୍ ଗୋବିନ୍ଦ ସାହୁଙ୍କ ଘରେ ଚଢ଼ଉ କରିଛି । ଷ୍ଟାଡିଅମ ଭିତରେ ଏକ ସ୍ଥାନରେ ନୂତନ ମାଟି ପୋତାଯାଇଥିବାରୁ କାଳେ ସେଠାରେ କିଛି ସୁରାକ ମିଳିବ ବୋଲି ପୁଲିସ ଆଶଙ୍କା କରୁଛି । ସୋମବାର ବିଳମମ୍ବିତ ରାତିରେ କଳାହାଣ୍ଡି ପୁଲିସର ସ୍ୱତନ୍ତ୍ର ଫୋର୍ସ ମହାଲିଙ୍ଗ ଷ୍ଟାଡିଅମ ନିକଟରେ ମୁତୟନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons