ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

Get real time updates directly on you device, subscribe now.

ଭୁବନେଶ୍ୱର: ଆଉ ନାହାନ୍ତି ଯୁବ,ଦୁଃସାହାସୀ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ। ଆଜି କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ନେଇ ଏସ୍‌ସିବି ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି।
ସେ କହିଛନ୍ତି, ଅରିନ୍ଦମ ଦାସ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତଥାପି ଏକ ଡାକ୍ତରୀ ଟିମ୍ ଠିକ୍ ଭାବେ ତାଙ୍କ ଯାଞ୍ଚ କରିଥିଲା। ତାଙ୍କର ଆଉ ଜଣ ସହଯୋଗୀ ପ୍ରଭାତ ସିହ୍ନା (କ୍ୟାମେରା ପର୍ସନ)ଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ତାଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେହିପରି ଓଡ୍ରାଫ୍‌ର ତିନି ଜଣ କର୍ମଚାରୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ମହାନଦୀରେ କଟକ ମୁଣ୍ଡଳି ବ୍ୟାରେଜ୍‌ରେ ଆଜି ଏକ ଦନ୍ତା ହାତୀ ଫସି ଯାଇଛି। ତାକୁ ଉଦ୍ଧାର କରିବା ପାଇଁ ଅପରେସନ୍ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଏହାର ରିପୋର୍ଟିଂ କରିବାକୁ ଅରିନ୍ଦମ ସିହ୍ନା ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସେଠାକୁ ଯାଇଥିଲେ।
ପ୍ରଶାସନ ପକ୍ଷରୁ ଦୀର୍ଘ ସମୟ ଧରି ଅପରେସନ୍ ପରେ ହାତୀଟି ନଦୀ କୂଳ ପାଖାପାଖି ପଳାଇ ଆସିଥିଲା। କିନ୍ତୁ ବୋଧହୁଏ ଅତ୍ୟଧିକ ସଂଖ୍ୟକ ଲୋକଙ୍କୁ ବ୍ୟାରେଜ୍ ପାଖାପାଖି ଦେଖି ହାତୀଟି ପୁଣି ନଦୀ ଭିତରକୁ ଚାଲି ଯାଇଥିଲା ଓ ମୁଣ୍ଡଳି ବ୍ୟାରେଜ ଗେଟ୍ ପାଖାପାଖି ଛିଡ଼ା ହୋଇଥିଲା। ହାତୀଟି ସ୍ଥିର ରହୁ ନଥିବାରୁ ତାକୁ କ୍ରେନ୍ ସାହାଯ୍ୟରେ ବି ଟଣା ଯିବା ସମ୍ଭବ ହୋଇପାରି ନଥିଲା।
ଅନ୍ୟ କୌଣସି ଉପାୟ ନ ପାଇଁ ଶେଷରେ ଓଡ୍ରାଫ୍ ଟିମ୍‌କୁ ରୋବର ବୋଟ୍‌ରେ ସେଠାକୁ ଯାଇଥିଲା ହାତୀଟିକୁ ଘଉଡ଼ାଇବାକୁ। ଆଉ ଦୁଃସାହାସୀ ତଥା ପ୍ରାଣୀ ଧନଙ୍କ ଉପରେ ରୁଚି ରଖୁଥିବା ଅରିନ୍ଦମ ତାଙ୍କ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ଓଡ୍ରାଫ୍ ଟିମ୍‌ ସହିତ ବୋଟ୍‌ରେ ସେଠାକୁ ଯିବାକୁ ଯାଇଥିଲେ। ଆଉ ହାତୀ ପାଖାପାଖି ବୋଟ୍‌ଟି ପହଞ୍ଚିବା ପରେ ହଠାତ୍ ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା।
ବୋଟ୍‌ଟି ଓଲଟି ପଡ଼ିବା ପରେ ଦୀର୍ଘ ସମୟ ଧରି ଅରିନ୍ଦମ ପାଣି ଭିତରେ ସଂଘର୍ଷ କରିଥିଲେ। ଶେଷରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଯିବା ପରେ ତାଙ୍କର ସମସ୍ତ ସହଯୋଗୀ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ଦଇବ କିଛି ଅଲଗା ଲେଖି ରଖିଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରାୟ ୧୫ ବର୍ଷର ସାମ୍ବାଦିକତା ଜୀବନରେ ଅରିନ୍ଦମ ଥିଲେ ଖୁବ୍ ସାହାସୀ। ସେ କ୍ରାଇମ୍ ରିପୋର୍ଟଂ ହେଉ କି ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍‌ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଈର୍ଷଣୀୟ ଥିଲା। ଢେଙ୍କାନାଳ ସ୍ଥିତ ଆଇଆଇଏମ୍‌ସିରୁ ସାମ୍ବାଦିକତା ପାଠ୍ୟକ୍ରମରେ ଡିପ୍ଲୋମା କରିବା ପରେ ସେ ଦୈନିକ ଖବର କାଗଜ ‘ଧରିତ୍ରୀ’ରୁ କ୍ରାଇମ୍ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍‌ରେ ରିପୋର୍ଟିଂ କରିଛନ୍ତି। ବିଶେଷ କରି ବନ୍ୟା ଓ ବାତ୍ୟା ସମୟରେ ଘଟଣାସ୍ଥଳରୁ ତାଙ୍କ ରିପୋର୍ଟିଂ ଖୁବ୍ ପ୍ରଶଂସନୀୟ ଥିଲା। ବାତ୍ୟା ବେଳେ ପବନରେ ଲୋକେ ଛିଡ଼ା ହେବାକୁ ସାହାସ ପାଉ ନଥିବା ବେଳେ ସେ ବୁମ୍ ଧରି ଲାଇଭ୍ କରୁଥିଲେ।
କେବଳ ବନ୍ୟା, ବାତ୍ୟା ନୁହେଁ, ରାଜନୀତି ଓ କ୍ରାଇମ୍ ରିପୋର୍ଟିଂରେ ବି ସେ ଅନନ୍ୟ ଥିଲେ। ପ୍ରାଣୀଧନଙ୍କ ସଂପର୍କରେ ତାଙ୍କର ଖୁବ୍ ରୁଚି ଥିଲା। ସେଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଘଟିଲେ ତାଙ୍କ ପାଖରେ ସଙ୍ଗେ ସଙ୍ଗେ ଖବର ପହଞ୍ଚି ଯାଏ।
ଖାଲି ଏତିକି ନୁହେଁ। ସେ ମାଲକାନଗିରି ହେଉ କି କେନ୍ଦୁଝର, ବାଲେଶ୍ୱର ହେଉ କି ନୟାଗଡ଼ ସବୁ ସ୍ଥାନକୁ ଯାଇ ଗ୍ରାଉଣ୍ଡ ରିପୋର୍ଟିଂ କରିବାରେ ସେ ଖୁବ୍ ମାହିର ଥିଲେ।
ତାଙ୍କର ସେ ତଥ୍ୟ ଯୁକ୍ତ ସୁନ୍ଦର ରିପୋର୍ଟିଂ ଆଉ ଟେଲିଭିଜନରେ ଦେଖିବାକୁ ମିଳବନି। ‘ଓଟିଭି’ ତା’ର ଜଣେ ଅନନ୍ୟ ରିପୋର୍ଟରଙ୍କୁ ହରାଇଥିବା ବେଳେ ଏହା ରାଜ୍ୟର ସାମ୍ବାଦିକତା ଜଗତ ପାଇଁ ମଧ୍ୟ ଏକ ବଡ଼ କ୍ଷତି, ଯାହା ସର୍ବଦା ଅପୂରଣୀୟ ହୋଇ ରହିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons