ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ମିଳିତ ସ‌ହ‌ଯୋଗରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ସାରସ୍ୱତ ଆଲୋଚନା ଚକ୍ର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସୁସାହିତ୍ୟିକା ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ,ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ତ୍ରିନାଥ ହୋତା, ସମ୍ମାନନୀୟ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଭାଷାବିତ୍ ତଥା ସୁସାହିତ୍ୟିକ ଡକ୍ଟର ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ‘ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଅବଦାନ’ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କର ଆବିର୍ଭାବ ସନ ୨୧.୮.୧୮୬୯ ମସିହାରେ ହୋଇଥିଲା।ପଣ୍ଡିତ ଗୋପୀନାଥ ନନ୍ଦ ଓଡ଼ିଆ ସାହିତ୍ୟରେ ଏକ ଅନନ୍ୟ ପ୍ରତିଭା ଥିଲେ । ଯେପରି କବିତା କ୍ଷେତ୍ରରେ କବିବର ରାଧାନାଥ, ଗଦ୍ୟ ସାହିତ୍ୟରେ ବ୍ୟାସକବି ଫକୀରମୋହନ, ସେହିପରି ସମାଲୋଚନା, ଭାଷାତତ୍ତ୍ଵ ଓ ବ୍ୟାକରଣରେ ପଣ୍ଡିତ ଗୋପୀନାଥ ଏକ ସ୍ୱତନ୍ତ୍ର ଆସନର ଅଧିକାରୀ ଥିଲେ। ଆଧୁନିକ ଭାରତୀୟ ଭାଷା ରାଜ୍ୟରେ ସେ ଅତୁଳନୀୟ ଓ ଅଦ୍ବିତୀୟ ପ୍ରତିଭାବାନ ଥିଲେ।ଓଡ଼ିଆ ଭାଷାତତ୍ତ୍ବ, ଶବ୍ଦତତ୍ତ୍ୱବୋଧ ଅଭିଧାନ ତାଙ୍କର ଗଭୀର ଅନୁସନ୍ଧିତ୍ସା ଓ ଅସାଧାରଣ ଅଧ୍ୟବସାୟର ଫଳ ବୋଲି ଅତିଥି ମାନେ ଅଭିହିତ କରିଥିଲେ। ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସେ ପୂର୍ବସୂରୀ ଥିଲେ। ଓଡ଼ିଆ ଭାଷାରେ ସ୍ଵତନ୍ତ୍ର ସ୍ଥିତି ଓ ମର୍ଯ୍ୟାଦା ବଜାୟ ରଖିବା ପାଇଁ ତାଙ୍କର ଐକାନ୍ତିକ ଉଦ୍ୟମ ଅତୀବ ପ୍ରଶଂସନୀୟ ଥିଲା ।ବ୍ୟକ୍ତିଗତ ସାଧନାବଳରେ ସେ ସଂସ୍କୃତରେ ଅସାଧାରଣ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ । ୧୯୨୦ ମସିହାରେ ସେ ଜଣେ ସୁପ୍ରସିଦ୍ଧ ପଣ୍ଡିତ ଭାବେ ରାଜସମ୍ମାନ ଲାଭ କରିଥିଲେ ।ମାନ୍ଦ୍ରାଜଠାରେ ଅନୁଷ୍ଠିତ ପଣ୍ଡିତ ସମ୍ମିଳନୀରେ ପ୍ରିନ୍‌ସ ଅଫ୍ ୱେଲ୍‌ସଙ୍କଠାରୁ ସ୍ଵର୍ଶକଙ୍କଣ, ଶାଲ ଓ ସନନ୍ଦ ଲାଭ କରି ସେ ସମ୍ମାନିତ ହୋଇଥିଲେ । ଜଣେ ଉଚ୍ଚକୋଟୀର ଗଦ୍ୟକାର ଭାବରେ ପ୍ରାଚ୍ୟରୀତିର ସମାଲୋଚନା ଶୈଳୀ ପ୍ରତିଷ୍ଠାରେ ପଣ୍ଡିତ ଗୋପୀନାଥ ବିଶେଷ ଗୌରବର ଅଧିକାରୀ ଥିଲେ । ସାରଳା ମହାଭାରତର ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନାଗ୍ରନ୍ଥ ଶ୍ରୀଭାରତ ଦର୍ପଣ, ‘ ମୁକୁର’ ପତ୍ରିକାରେ ଅସମ୍ପୂର୍ଣ୍ଣ ପ୍ରକାଶିତ ଦାଣ୍ଡୀ ରାମାୟଣର ସମାଲୋଚନା ତାଙ୍କୁ ଓଡ଼ିଆ ସମାଲୋଚନା ସାହିତ୍ୟର ଦିଗ୍‌ଦର୍ଶକ ଭାବେ ମାନ୍ୟତା ପ୍ରଦାନ କରିଥିଲା । ଜଣେ ନାଟ୍ୟକାର ଭାବରେ ମଧ୍ୟ ସେ ସ୍ୱୀକୃତ ଓ ସମ୍ମାନିତ । ସେ ସୀତା ବନବାସ, ରାମାଶ୍ଵମେଧ, ଦ୍ରୋପଦୀ ବସ୍ତ୍ରହରଣ ନାଟକ ଓ ଜାନକୀ ପରିଣୟ, ଉନ୍ମତ୍ତ ରାଘବ ନାଟକ ଆଦି ଚାରିଗୋଟି ନାଟକର ରଚୟିତା ଥିଲେ।ଏହି ବରେଣ୍ୟ କାଳଜୟୀ ସାରସ୍ବତ ସାଧକ ଏ ଜାତିର ଚିର ନମସ୍ୟ । ତାଙ୍କର ପୁଣ୍ୟ ଜୟନ୍ତୀ ଅବସରରେ ଅତିଥି ମାନେ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ସୁଶ୍ରୀ ରାଜେଶ୍ୱରୀ ସ୍ୱାଇଁ ଅତିଥିମାନଙ୍କୁ ଆସନ ଗ୍ରହଣ ନିମନ୍ତେ ଅନୁରୋଧ ଜଣାଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ପ୍ରାରମ୍ଭିକ ସମ୍ଭାଷଣ ରଖିଥିଲେ। ସୁଶ୍ରୀ ସ୍ନେହା ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ସମସ୍ତ ଅତିଥି ବୃନ୍ଦ, ଉପସ୍ଥିତ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons