ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀର ତପନ ମହାନ୍ତି ନାମକ ଜଣେ ବ୍ୟବସାୟୀଙ୍କୁ ଆଇଟିଡିସି (ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ)ର ନୀଳାଚଳ ଅଶୋକ ହୋଟେଲ୍ ବିକ୍ରି କରିବା ବାହାନାରେ ୫୦ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ଜଣକୁ ଗିରଫ କରିଛି । ତାଙ୍କ ନାମ ଅନିକେଶ ସାହୁ । ଘର କଟକ ବକ୍ସିବଜାର । ଅନିକେଶ ନିଜକୁ ଆଇଟିଡିସିର ଜଣେ ଠିକାଦାର କହି ଠକିଥିଲେ । ଏହି ଠକେଇରେ ପୂର୍ବରୁ ଗିରଫ ହୋଇଥିବା ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତି ଓ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କ ସମ୍ପୃକ୍ତି ରହିଛି । ତେଣୁ ଅଧିକ ତଦନ୍ତ ଲାଗି ଚନ୍ଦନ ଓ ବିଜୟାନନ୍ଦଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଇଓଡବ୍ଲୁ୍ୟର ଜଣେ ଅଧିକାରୀ କହିଛନ୍ତି ।
ଇଓଡବ୍ଲୁ୍ୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଓଟିଡିସିରେ ଚୁକ୍ତିଭିତ୍ତିକ ସହକାରୀ ଯନ୍ତ୍ରୀ ଭାବେ କାର୍ଯର୍୍ୟ କରୁଥିଲେ । ସେ ଓଟିଡିସି ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଆଇଟିଡିସି ପୁରୀରେ ବନ୍ଦ ପଡ଼ିଥିବା ହୋଟେଲ୍ ନୀଳାଚଳ ଅଶୋକକୁ ୧୫ କୋଟି ଟଙ୍କାରେ ବିକ୍ରି କରିବା ଲାଗି ଚାହୁଁଛି ବୋଲି ଏକ ଷଡ଼ଯନ୍ତ୍ର ରଚନା କରିଥିଲେ । ଗିରଫ ହୋଇଥିବା ଅନିକେଶ ଆଇଟିଡିସିର ଜଣେ ଠିକାଦାର ବୋଲି ପରିଚୟ ଦେଇ ଅନ୍ୟ ଜଣଙ୍କ ସହ ମିଶି ପୁରୀର ଅଣ୍ଡା ଓ କୁକୁଡା ମାଂସ ବ୍ୟବସାୟୀ ତପନ ମହାନ୍ତିଙ୍କୁ ନୀଳାଚଳ ଅଶୋକ ହୋଟେଲ୍ କିଣିବା ଲାଗି ପ୍ରସ୍ତାବ ଦେଇଥିଲେ । ୨୦୨୦ ଜାନୁଆରୀରେ ତପନଙ୍କ ସହ ସେମାନଙ୍କ କଥାବାର୍ତ୍ତା ହୋଇଥିଲା । ଫେବ୍ରୁଆରୀରେ ଆଇଟିଡିସିର ଅଧିକାରୀ ଭାବେ ଚନ୍ଦନ ତପନଙ୍କ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ତପନଙ୍କ ବିଶ୍ୱାସ ଜନ୍ମାଇବା ଲାଗି ଆଇଟିଡିସିର ଏକ ଜମାଖାତାରେ ୨୦ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ କହିଥିଲେ । ଉକ୍ତ ହୋଟେଲ୍ ବାବଦରେ ଆଇଟିଡିସି ୧୫ କୋଟି ଟଙ୍କା ନେବ ଏବଂ ୩ କୋଟି ଟଙ୍କା ଲାଞ୍ଚ ଦେବାକୁ ତପନଙ୍କୁ କୁହାଯାଇଥିଲା । ତେଣୁ ଏହି ହୋଟେଲ୍ ବିକ୍ରି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଲାଗି ଚନ୍ଦନ ତପନଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେଇଥିଲେ ।
ଦୀର୍ଘଦିନ ପର୍ଯ୍ୟନ୍ତ ଆଇଟିଡିସି ପକ୍ଷରୁ ତପନଙ୍କ ସହିତ କୌଣସି ଯୋଗାଯୋଗ ନ ହେବାରୁ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଟଙ୍କା ଫେରସ୍ତ ଲାଗି ସେ ଚନ୍ଦନ ଓ ଅନିକେଶଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ ଚନ୍ଦନ ଓ ଅନିକେଶ ତାଙ୍କୁ ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଥିଲେ । ଶେଷରେ ଠକାମୀର ଶିକାର ହୋଇଥିବା ତପନ ମାନସିକସ୍ତରରେ ଶକ୍ତ ଆଘାତ ପାଇଥିଲେ । ତାଙ୍କ ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିବା ସହ ସେ ବାକ୍ ଶକ୍ତି ହରାଇ ବସିଥିଲେ । ପରେ ତାଙ୍କ ପତ୍ନୀ ଏ ବିଷୟରେ ଜାଣିବା ପରେ ଗତ ୨୧ ତାରିଖରେ ଇଓଡବ୍ଲୁ୍ୟରେ ଅଭିଯୋଗ କରିଥିଲେ । ଇଓଡବ୍ଲୁ୍ୟ ଥାନା କେସ୍ ନଂ-୧୩/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗତକାଲି କଟକ ବକ୍ସିବଜାର ଅଞ୍ଚଳରୁ ଅନିକେଶଙ୍କୁ ଇଓଡବ୍ଲୁ୍ୟ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.