ଆୟ ବହିର୍ଭୂତ ସମ୍ପତ୍ତି ମାମଲା:ମୃତ ଶାଶୂଙ୍କ ଆକାଉଣ୍ଟରେ ୬୪ ଲକ୍ଷ

Get real time updates directly on you device, subscribe now.

ଜୟପୁର, (ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ(ନମ୍ବର-୧)ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ସୁଦ୍ଧା ଆଶିଷଙ୍କ ସମ୍ପତ୍ତିର ପରିମାଣ ୯ କୋଟି ଟପି ସାରିଛି । ଏଥିସହ ୪ ଦିନିଆ ରିମାଣ୍ଡରେ ଆଣିଥିବା ଭିଜିଲାନ୍ସ ତାଙ୍କ ପାଖରୁ ଅନେକ ରୋଚକ ତଥ୍ୟ ହାସଲ କରିଛି । ୨୦୧୦ ମସିହାରେ ଶ୍ରୀ ଦାସଙ୍କ ଶାଶୂଙ୍କ ଦେହାନ୍ତ ହୋଇଥିଲେ ହେଁ ତାଙ୍କ ନାଁରେ ଥିବା ବ୍ୟାଙ୍କ ପାସ୍ବୁକ୍କୁ ସେ ଅପରେଟିଂ କରୁଥିଲେ । ମାଲକାନଗିରିର ଏକ୍ସିସ୍ ବ୍ୟାଙ୍କରେ ମାତ୍ର ୨୦ ମାସରେ ଜମା କରିଥିଲେ ୬୪ ଲକ୍ଷ ଟଙ୍କା । ବେଆଇନ ଭାବେ ଆଶିଷ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବାରୁ ରାଜ୍ୟ ଭିଜିଲାନ୍ସ ଅର୍ଥନୈତିକ ଶାଖାର ବିଶେଷଜ୍ଞ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏହାର ଯାଞ୍ଚ କରୁଥିବା କଟକ ଭିଜିଲାନ୍ସ ନିଦେ୍ର୍ଧଶାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଶିଷଙ୍କ ୪ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ପଚରାଉଚରା ବେଳେ ସେ ବେଆଇନ ସମ୍ପତ୍ତି ଠୁଳ କରିଥିବା ସ୍ୱୀକାର କରିଛନ୍ତି । ସବୁଠାରୁ ବଡ଼କଥା ହେଉଛି, ଆଶିଷଙ୍କ ଶାଶୂ ୨୦୧୦ ଅକ୍ଟୋବର ୩୧ ତାରିଖରେ ପ୍ରାଣ ହରାଇଥିଲେ । ଶାଶୂଙ୍କ ମୃତୁ୍ୟ ପରେ ବି ଚଞ୍ଚକତା କରି ଆଶିଷ ତାଙ୍କ ନାଁରେ ଥିବା ୨ଟି ଆକାଉଣ୍ଟରେ ଟଙ୍କା ଜମା କରି ଚାଲିଥିଲେ । ମାଲକାନଗିରି ଏକ୍ସିସ୍ ବ୍ୟାଙ୍କ ଶାଖାରେ ୨୦୨୦ ଜୁଲାଇ ୧୧ରୁ ୨୦୨୨ ମାର୍ଚ୍ଚ ୨୫ ତାରିଖ ମଧ୍ୟରେ ଅର୍ଥାତ୍ ୧ ବର୍ଷ ୮ ମାସ ଭିତରେ ୧୬ଥର ଟଙ୍କା ଜମା କରିଥିଲେ । ଯାହାର ପରିମାଣ ଥିଲା ପ୍ରାୟ ୬୪ ଲକ୍ଷ । ସେହିପରି ମୃତ ଶାଶୂଙ୍କ ନାଁରେ ଥିବା କେନ୍ଦୁଝର ଏସ୍ବିଆଇ ଶାଖା ଜମାଖାତାରେ ମଧ୍ୟ ଅନେକ ସମୟରେ ଟଙ୍କା ଜମା କରିଥିଲେ । କେବଳ ଶାଶୂ ନୁହନ୍ତି, ତାଙ୍କ ଫାର୍ମର କେୟାର ଟେକର୍, ସମ୍ପର୍କୀୟ ଓ ଘରେ କାମ କରୁଥିବା ଲୋକଙ୍କ ନାଁରେ ଥିବା ପାସ୍ବୁକ୍କୁ ମଧ୍ୟ ସେ ଅପରେଟିଂ କରୁଥିଲେ ।
ସୂଚନାଥାଉକି, ଗତ ମାସ ୨୫ ତାରିଖରେ ଅଧୀକ୍ଷଣ ଯନ୍ତ୍ରୀ ଆଶିଷଙ୍କୁ ଧରିଥିଲା ଭିଜିଲାନ୍ସ । ମାଲକାନଗିରି ଡିସିବି ବ୍ୟାଙ୍କ ମ୍ୟାନେଜରଙ୍କ କକ୍ଷରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ବାହାରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ବ୍ୟାଗ୍ରୁ ନଗଦ ୧୦ ଲକ୍ଷ ୨୩ ହଜାର ୯୭୦ ଟଙ୍କା ମିଳିଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ ଆରମ୍ଭ ହୋଇଥିଲା ଖୋଳତାଡ଼ । ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଚଢଉ କରାଯାଇଥିଲା । ଚଢଉ ବେଳେ ନଗଦ ୧ କୋଟି ୩୯ ଲକ୍ଷ ସହ ୪ କୋଟି ଟଙ୍କା ବ୍ୟାଙ୍କ ଜମା ଓ ବୀମା କାଗଜପତ୍ର ଜବତ କରାଯାଇଥିଲା । ଗୁଣପୁର ଓ ଭୁବନେଶ୍ୱର ଲକର୍ରୁ ୧.୩ କେଜି ସୁନା ଠାବ ହୋଇଥିଲା । ମାର୍ଚ୍ଚ ୩୦ ତାରିଖରେ ଆଶିଷଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଭିଜିଲାନ୍ସ । ଆବେଦନକୁ ଗ୍ରହଣ କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଆଶିଷଙ୍କୁ ଗତ ରବିବାର ଭିଜିଲାନ୍ସ ନିଜ ହେଫାଜତକୁ ନେଇ ଉପରୋକ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ରିମାଣ୍ଡ ଶେଷ ହେବା ପରେ ଆଶିଷଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons