ଇମ୍ରାନଙ୍କ ବାଉନସର:ଅନାସ୍ଥା ପ୍ରସ୍ତାବ ଖାରଜ

Get real time updates directly on you device, subscribe now.

ଇସଲାମାବାଦ: ତମାମ ରାଜନୈତିକ ସଂକଟ ମଧ୍ୟରେ ରବିବାର ପାକିସ୍ତାନ ସଂସଦରେ ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ପଦରୁ ହଟାଇବା ପାଇଁ ବିରୋଧୀଙ୍କ ସମସ୍ତ ଚାଲ୍ ଫେଲ୍ ମାରିଛି । ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି ।
ଘଟଣା ଏତିକିରେ ସରି ନ ଥିଲା । ଅନାସ୍ଥା ପ୍ରସ୍ତାବ ଖାରଜ ହେବା କ୍ଷଣି ପ୍ରଧାନମନ୍ତ୍ରୀ ଖାନ୍ ସଂସଦକୁ ଭଙ୍ଗ ପାଇଁ ସୁପାରିସ କରିଥିଲେ । ଏହାପରେ ରାଷ୍ଟ୍ରପତି ଆରିଫ୍ ଅଲ୍ବି ସଂସଦ ଭଙ୍ଗ କରିଥିଲେ । ଇମ୍ରାନ୍ଙ୍କ ଏଭଳି ବାଉନ୍ସର୍ରେ ଝଟ୍କା ଖାଇ ବିରୋଧୀ ଦଳଗୁଡ଼ିକ ସଂସଦ ମଧ୍ୟରେ ଧାରଣା ଦେବା ପରେ ସୁପି୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପି୍ରମକୋର୍ଟ ଏ ନେଇ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରି ଶୁଣାଣି ସୋମବାରକୁ ଘୁଞ୍ଚାଇ ଦେଇଛନ୍ତି । ମାମଲାର ଗୁରୁତ୍ୱକୁ ଦେଖି ଅଦାଲତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି ।
ସଂସଦରେ ଘଟିଥିବା ତମାମ ଘଟଣାକୁ ସୁପି୍ରମକୋର୍ଟ ପ୍ରଥମେ ନିଜ ଆଡୁ ସଂଜ୍ଞାନ ନେଇଥିଲେ । ଶୁଣାଣି ବେଳେ ପ୍ରଧାନ ବିଚାରପତି ଉମର୍ ଅତା ବନ୍ଦିଆଲ୍ କହିଥିଲେ, ସଂସଦ ଭଙ୍ଗ ବାବଦରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପ କୋର୍ଟଙ୍କ ଆଦେଶ ପରିସରଭୁକ୍ତ । ତେବେ ଦେଶରେ ଆଇନଶୃଙ୍ଖଳା ଅକ୍ଷୁଣ୍ଣ ରହିବା ଉଚିତ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଦାୟିତ୍ୱବଦ୍ଧ ହୋଇ କାର୍ଯ୍ୟ କରିବେ ଏବଂ କେହି ପରିସ୍ଥିତିର ଫାଇଦା ଉଠାଇବେ ନାହିଁ ବୋଲି ଆଶା । ଜଷ୍ଟିସ୍ ବନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠରେ ଜଷ୍ଟିସ୍ ଇଜାହୁଲ ଏହସାନ୍ ଓ ଜଷ୍ଟିସ୍ ମହମ୍ମଦ ଅଲ୍ଲୀ ମଝାର ଅନ୍ତର୍ଭୁକ୍ତ ଥିଲେ ।
ରବିବାର ସଂସଦରେ ଇମ୍ରାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଙ୍ଗ୍ ହେବାର ଥିଲା । ପୂର୍ବରୁ ତାଙ୍କ ସହଯୋଗୀ ଦଳଗୁଡ଼ିକ ସମର୍ଥନ ପ୍ରତ୍ୟାହାର କରିନେଇଥିବାରୁ ଇମ୍ରାନ୍ଙ୍କ ଗାଦି ଯିବାଟା ନିଶ୍ଚିତ ଥିଲା । ଏମିତି କି ଇମ୍ରାନ୍ଙ୍କ ପରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ, ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । କିନ୍ତୁ ସେ ସବୁଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କ୍ରିକେଟର୍ରୁ ରାଜନେତା ବନିଥିବା ୬୯ ବର୍ଷୀୟ ଇମ୍ରାନ୍ ବିରୋଧୀଙ୍କ ସବୁ ଯୋଜନା ପଣ୍ଡ କରିଛନ୍ତି । ଏଭଳି ସ୍ଥିତିରେ ସୁପି୍ରମକୋର୍ଟଙ୍କ ଉପରେ ସବୁ କିଛି ନିର୍ଭର କରୁଛି । ସୂତ୍ର ମୁତାବକ କୋର୍ଟଙ୍କ ସାମ୍ନାରେ ଏବେ ଦୁଇଟି ରାସ୍ତା ରହିଛି । ଦେଶରେ ଜରୁରି ପରିସ୍ଥିତି ଲାଗୁ ହୋଇପାରେ କିମ୍ବା ସେନା ହାତକୁ ଶାସନ ଯାଇପାରେ । ବିଶେଷଜ୍ଞଙ୍କ ମୁତାବକ ସେନା ହାତକୁ ଶାସନ ଗଲେ ଖାନ୍ଙ୍କୁ ଜନତାଙ୍କ ସମର୍ଥନ ମିଳିବ ।
ରବିବାର ଦିନତମାମ ଘଟଣା ଥିଲା ଏହିଭଳି । ଇମ୍ରାନ୍ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଗତ ମାର୍ଚ୍ଚ ୩୧ରେ ବିତର୍କ ହୋଇସାରିଥିଲା । ଆଜି ତାହା ଉପରେ ଭୋଟ୍ ହେବାର ଥିଲା । ଇମ୍ରାନ୍ଙ୍କ ପରାଜୟ ସୁନିଶ୍ଚିତ ଭାବି ବିରୋଧୀଙ୍କ ମେଳିରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । କିନ୍ତୁ ସବୁ ଖେଳ ବିଗାଡ଼ି ଦେଇଥିଲେ ସଂସଦର ଉପବାଚସ୍ପତି କାସିମ୍ ସୁରି । ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ସେ ଖାରଜ କରିଦେଇଥିଲେ । ଏହି ପ୍ରସ୍ତାବ ସମ୍ବିଧାନର ଧାରା ୫ ବିରୋଧରେ ଯାଉଥିବା ସେ ଦର୍ଶାଇଥିଲେ । ଏହାପରେ ସଂସଦକୁ ମୁଲତବୀ ଘୋଷଣା କରିଥିଲେ । ଫଳରେ ବିରୋଧୀ ଦଳଗୁଡ଼ିକୁ ଜୋରଦାର ଝଟ୍କା ଲାଗିଥିଲା ।
ଇମ୍ରାନ୍ ଖାନ୍ ସଙ୍ଗେ ସଙ୍ଗେ ଦେଶବାସୀଙ୍କୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଥିଲେ । ବିଦେଶୀ ଷଡ଼ଯନ୍ତ୍ରକୁ ପଣ୍ଡ କରି ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିବା ଜଣାଇଥିଲେ । ସେ କହିଥିଲେ ଦେଶ ଏବେ ୯୦ ଦିନ ମଧ୍ୟରେ ନୂଆ ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ଉଚିତ । ଅନାସ୍ଥା ପ୍ରସ୍ତାବ କେବଳ ଏକ ବିଦେଶୀ ଏଜେଣ୍ଡା ଥିଲା, ଯାହା ବ୍ୟର୍ଥ ଯାଇଛି । କୌଣସି ଦୁର୍ନୀତିଖୋର ଶକ୍ତି ପାକିସ୍ତାନର ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ ନାହିଁ । ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ପାଇଁ ସେ ଯୁବଗୋÂୀଙ୍କୁ ଆହ୍ୱାନ ଦେଇଥିଲେ । ତେବେ କିଛି ସମୟ ପରେ ଇମ୍ରାନ୍ଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ଅଲ୍ବି ସଂସଦକୁ ଭଙ୍ଗ କରିଥିଲେ ।
ସଂସଦରେ ଝଟ୍କା ଖାଇବା ପରେ ବିରୋଧୀ ଦଳ ନେତା ଶାହବାଜ ଶରିଫ ଉପବାଚସ୍ପତି ଓ ରାଷ୍ଟ୍ରପତିଙ୍କ ପଦକ୍ଷେପକୁ ତୀବ୍ର ସମାଲୋଚନା କରିଥିଲେ । ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ମୁସ୍ତଫା ନୱାଜ ଖୋଖାର ମଧ୍ୟ କଡ଼ା ନିନ୍ଦା କରିଥିଲେ ।
ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁେ;ା ଜର୍ଦ୍ଧାରୀ କହିଥିଲେ, ଇମ୍ରାନ୍ ଖାନ୍ ଯାହା ବି କରିଛନ୍ତି, ତାହା ଆଇନ ବିରୋଧୀ । ଉପବାଚସ୍ପତି ମଧ୍ୟ ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି । ଇମ୍ରାନ୍ ଏଭଳି ଚାଲ୍ ଖେଳି ନିଜର ଅସଲ ଚେହେରା ଦେଖାଇଛନ୍ତି । ପରାଜୟ ଦେଖିବାକୁ ତାଙ୍କର ସାହସ ନ ଥିବାରୁ ସେ ଏଭଳି କାର୍ଯ୍ୟ କରିଛନ୍ତି । ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ ନେତ୍ରୀ ମରିୟମ୍ ନୱାଜ ଇମ୍ରାନ୍ଙ୍କୁ ଦେଶଦ୍ରୋହୀ ବୋଲି ଅଭିହିତ କରିଛନ୍ତି । ସେହିଭଳି ରବିବାର ସଂସଦରେ ଘଟିଥିବା ଘଟଣା ସମ୍ବିଧାନବିରୋଧୀ ବୋଲି ପ୍ରମୁଖ ସାମ୍ବିଧାନିକ ଓକିଲ ସଲ୍ମାନ ଆକ୍ରମ ରାଜା ଦର୍ଶାଇଛନ୍ତି । ସୁପ୍ରିମ୍କୋର୍ଟ ହିଁ ଉଚିତ ନିର୍ଣ୍ଣୟ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ସୁପି୍ରମକୋର୍ଟ ବାର୍ ଆସୋସିଏସନ୍, ବାର୍ କାଉନ୍ସିଲ୍, ପ୍ରତିରକ୍ଷା ଓ ଗୃହ ସଚିବ, ପଞ୍ଜାବର ଆଡ୍ଭୋକେଟ୍ ଜେନେରାଲ ଓ ସମସ୍ତ ରାଜନୈତିକ ଦଳ ସୁପି୍ରମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ଏହାପରେ ପିଟିସନ୍ଗୁଡ଼ିକୁ ଅଦାଲତ ଗ୍ରହଣ କରି ସମସ୍ତଙ୍କୁ ନୋଟିସ୍ ଜାରି କରିଥିଲେ । ଆଟର୍ଣ୍ଣି ଜେନେରାଲ୍ ଖଲିଦ୍ ଜାୱେଦ ଖାନ୍ଙ୍କୁ ବି ନୋଟିସ୍ ଜାରି ହୋଇଥିଲା । ଏଥିସହ ଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପ୍ରତିରକ୍ଷା ଓ ଗୃହ ସଚିବଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତେବେ ସଂସଦରେ ହୋଇଥିବା କାର୍ଯ୍ୟ ଉପରେ ରହିତାଦେଶ ଜାରି ପାଇଁ କୋର୍ଟ ମନାକରିଥିଲେ । ସଂସଦ ଭଙ୍ଗ ଘଟଣାର ରେକର୍ଡ ମାଗିଥିଲେ ।
ବିରୋଧୀ ଦଳ ସାଂସଦମାନେ ସଂସଦ ଭବନକୁ କିଛି ସମୟ ପାଇଁ କବ୍ଜା କରିନେଇଥିଲେ । ଏହାପରେ ଶାହବାଜ ଶରିଫଙ୍କୁ ଦେଶର ପ୍ରଧାନମନ୍ତ୍ରୀ ମାନିଥିଲେ । ଅନ୍ୟପକ୍ଷରେ ପାକିସ୍ତାନ ସେନା କହିଛି ଯେ ସଂସଦରେ ଆଜି ଯାହା ବି ଘଟିଛି ତାହା ରାଜନୈତିକ ପ୍ରକ୍ରିୟା । ସେନାର ଏଥିରେ କିଛି କରିବାର ନାହିଁ ।
ଆଜି ଅନାସ୍ଥା ପ୍ରସ୍ତାବ ଭୋଟିଙ୍ଗ୍ ପୂର୍ବରୁ ଇସ୍ଲାମାବାଦରେ କର୍ଫୁ୍ୟ ଜାରି କରାଯାଇଥିଲା । ତମାମ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଥିଲା । ୬ ହଜାର ପୁଲିସ ଓ ଅର୍ଦ୍ଧସାମରିକ କର୍ମୀ ସଂସଦ ଚାରିପଟେ ମୁତୟନ ହୋଇଥିଲେ । ସଂସଦ ଅଭିମୁଖେ ଯାଇଥିବା ସମସ୍ତ ରାସ୍ତାରେ କଣ୍ଟେନର ରଖାଯାଇ ବନ୍ଦ କରାଯାଇଥିଲା । ଏହାବ୍ୟତୀତ ପାକ୍ ରେଞ୍ଜର୍ସ ଓ ଫ୍ରଣ୍ଟିଅର୍ କର୍ପସକୁ ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ସ୍ଥାନୀୟ ପ୍ରଶାସନ ଇସ୍ଲାମାବାଦରେ ଧାରା ୧୪୪ ଲାଗୁ କରିଥିଲା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାର କାରଣ ହେଉଛି ଇମ୍ରାନ୍ଙ୍କ ସମର୍ଥକମାନେ ରାଜଧାନୀ ଇସ୍ଲାମାବାଦରେ ପହଞ୍ଚିବା ନେଇ ଶୁଣିବାକୁ ମିଳିଥିଲା । ବିରୋଧୀଙ୍କ ସମର୍ଥକମାନେ ବି ବିକ୍ଷୋଭ କରିବା ନେଇ ସୂଚନା ମିଳିଥିଲା । ଇସ୍ଲାମାବାଦରେ ହିଂସାକାଣ୍ଡ ଘଟିବା ନେଇ ଗୁଇନ୍ଦା ସଂସ୍ଥା ଆଶଙ୍କା ବ୍ୟକ୍ତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons