ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବହୁଦିନ ଧରି ଚାଲିଥିବା କ୍ଷମତା କନ୍ଦଳ ପରେ ଆଜି ଶେଷରେ ଇସ୍ତଫା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ଦଳୀୟ ହାଇକମାଣ୍ଡଙ୍କ ନିଦେ୍ର୍ଧଶରେ ସେ ପଦ ଛାଡିଛନ୍ତି । ରାଜଭବନ ଯାଇ ରାଜ୍ୟପାଳ ବନୱରିଲାଲ ପୁରୋହିତଙ୍କୁ ଭେଟି ସେ ଓ ତାଙ୍କ ମନ୍ତ୍ରିମଣ୍ଡଳର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପର୍ଯ୍ୟନ୍ତ ଅମରିନ୍ଦରଙ୍କୁ ରାଜ୍ୟପାଳ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।
ଇସ୍ତଫା ଦେବା ପରେ ୭୯ ବର୍ଷୀୟ ଅମରିନ୍ଦର କହିଛନ୍ତି, ଦଳରେ ରହି ସେ ନିଜକୁ ଅପମାନିତ ବୋଧ କରୁଛନ୍ତି । ଏକଥା ଦଳୀୟ ହାଇକମାଣ୍ଡଙ୍କୁ ଜଣାଇଛନ୍ତି । ହାଇକମାଣ୍ଡଙ୍କର ଯାହା ଉପରେ ବିଶ୍ୱାସ ହେବ ତାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ । ୫୨ ବର୍ଷ ହେଲା ସେ ରାଜନୀତିରେ ରହିଛନ୍ତି । ଏବେ ସେ କଂଗ୍ରେସରେ ଅଛନ୍ତି । ସମର୍ଥକଙ୍କ ସହ ଆଲୋଚନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଅମରିନ୍ଦର କହିଛନ୍ତି । କିନ୍ତୁ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ସେ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିପାରିବେ ନାହିଁ । ସିଦ୍ଧୁ ରାଜ୍ୟ ପାଇଁ ଏକ ବିପର୍ଯ୍ୟୟ । ସେ ଗୋଟିଏ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳି ପାରିନଥିଲେ । ରାଜ୍ୟକୁ କିଭଳି ଚଳାଇବେ ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ସିଦ୍ଧୁଙ୍କ ଦକ୍ଷତା କେତେ ତାହା ସେ ପରଖିଛନ୍ତି ବୋଲି ଅମରିନ୍ଦର କହିଛନ୍ତି ।
ସେପଟେ ଆଜି ନୂଆ ନେତା ବାଛିବା ଲାଗି ଚଣ୍ଡିଗଡ଼ରେ କଂଗ୍ରେସ ବିଧାୟକ ଦଳ ବୈଠକ ହୋଇଥିଲା । ବୈଠକରେ ରାଜ୍ୟର ୮୦ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୭୮ ଜଣ ଉପସ୍ଥିତ ଥିଲେ । ରାଜ୍ୟ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ହରିଶ ରାୱତ ଓ ୨ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଯୋଗଦେଇଥିଲେ । କିନ୍ତୁ ନୂଆ ନେତା ଚୟନ ହୋଇପାରିନାହିଁ । ତେବେ ବୈଠକରେ ଦୁଇଟି ସଙ୍କଳ୍ପନାମା ଗୃହୀତ ହୋଇଛି । ଗୋଟିଏ ସଙ୍କଳ୍ପନାମାରେ ମୁଖ୍ୟମନ୍ତ୍ରୀ ଭାବେ ଅମରିନ୍ଦରଙ୍କ କାର୍ଯ୍ୟର ପ୍ରଶଂସା କରାଯାଇଥିଲା ବେଳେ ଅନ୍ୟଟିରେ ବିଧାୟକମାନେ ଦଳର ନୂଆ ନେତା କିଏ ହେବେ ସେହି ନିଷ୍ପତ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉପରେ ନ୍ୟସ୍ତ କରିଛନ୍ତି । ସୋନିଆ ଯାହାଙ୍କୁ ବାଛିବେ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ।
ପୂର୍ବରୁ ଆଜି ଅପରାହ୍ନ ୫ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସୁଥିବା ସମ୍ପର୍କରେ ଅମରିନ୍ଦର ଜାଣିଥିଲେ । ସେ ଏକଥା ମଧ୍ୟ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ନେତା ନିର୍ବାଚନ କରିବା ଲାଗି ଏହି ବୈଠକ ବସୁଛି । ଏକଥା ଜାଣିବା ପରେ ସେ ସୋନିଆଙ୍କୁ ଫୋନ୍ କରିଥିଲେ । ମାତ୍ର ସେପଟୁ ସୋନିଆ ତାଙ୍କୁ ‘ଆଇ ଆମ୍ ସରି ଅମରିନ୍ଦର’ ବୋଲି କହିଥିଲେ । ଏଥିସହିତ ତାଙ୍କୁ ଇସ୍ତଫା ଦେବା ଲାଗି କହିଥିଲେ । ଅମରିନ୍ଦର ଅପରାହ୍ନ ୨ଟାରେ ଚଣ୍ଡିଗଡ଼ସ୍ଥିତ ନିଜ ସରକାରୀ ବାସଭବନରେ ସମର୍ଥକ ବିଧାୟକଙ୍କର ଏକ ବୈଠକ ଡାକିଥିଲେ । ତେବେ ଏହି ବୈଠକରେ ଯୋଗ ନଦେଇ ବିଧାୟକ ଦଳ ବୈଠକରେ ଯୋଗଦେବାକୁ ବିଧାୟକମାନଙ୍କୁ କଂଗ୍ରେସ ହାଇକମାଣ୍ଡ ପରାମର୍ଶ ଦେଇଥିଲେ । ଏଥିସହିତ ବିଧାୟକ ଦଳ ବୈଠକରେ ଯୋଗଦେବା ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ହରିଶ ଚୌଧୁରୀ ଓ ଅଜୟ ମାକେନଙ୍କୁ ଦଳୀୟ ହାଇକମାଣ୍ଡ ଚଣ୍ଡିଗଡ଼ ଯିବାକୁ ନିଦେ୍ର୍ଧଶ ଦେଇଥିଲେ ।
ସେପଟେ କିନ୍ତୁ ଅମରିନ୍ଦର ନିଜ ବାସଭବନରେ ସମର୍ଥକ ବିଧାୟକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଅପରାହ୍ନ ୪ଟା ୩୦ରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜର ଓ ମନ୍ତ୍ରିମଣ୍ଡଳର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସୁନିଲ ଝାକଡ, ନବଜୋତ ସିଂହ ସିଦ୍ଧୁ, ଅମ୍ବିକା ସୋନି, ପ୍ରତାପ ସିଂହ ବାଜୱା ଓ ବିଜୟ ସିଙ୍ଗ୍ଲାଙ୍କ ନାମ ଚର୍ଚ୍ଚାରେ ରହିଛି ।
ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବ କଂଗ୍ରେସରେ ବହୁ ଦିନ ହେଲା ବିବାଦ ଲାଗି ରହିଥିଲା । ଗୋଟିଏ ପଟେ ଅମରିନ୍ଦର ଓ ଅନ୍ୟ ପଟେ ନବଜୋତ ସିଂହ ସିଦ୍ଧୁ ପରସ୍ପର ବିରୋଧରେ ଅଭିଯୋଗ ଆଣିବାରେ ଲାଗିଥିଲେ । ବିବାଦ ଦୂର କରିବା ଲାଗି କଂଗ୍ରେସ ହାଇକମାଣ୍ଡ ଗତ ଜୁଲାଇରେ ସିଦ୍ଧୁଙ୍କୁ ପିସିସି ସଭାପତି ନିଯୁକ୍ତ କରିଥିଲେ । କିନ୍ତୁ ବିବାଦ ଥମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଥିଲା । ଏପରିକି ମନ୍ତ୍ରିମଣ୍ଡଳ ଅଦଳବଦଳ ଲାଗି ଦଳୀୟ ହାଇକମାଣ୍ଡ ବିଚାର କରିଥିଲେ । କିନ୍ତୁ ସେଥିରେ ମଧ୍ୟ ବିବାଦ ଦୂର ହେବ ନାହିଁ ବୋଲି ହାଇକମାଣ୍ଡ ଭଲ ଭାବେ ଜାଣିଥିଲେ । ପୂର୍ବରୁ ସିଦ୍ଧୁଙ୍କ ସମର୍ଥକ କୁହାଯାଉଥିବା ୫୦ ଜଣ ବିଧାୟକ ସୋନିଆଙ୍କୁ ଚିଠି ଲେଖି ଅମରିନ୍ଦରଙ୍କୁ ହଟାଇବା ଲାଗି ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଦଳର କିଛି ମନ୍ତ୍ରୀ, ବିଧାୟକ ଓ ସାଂସଦ ମଧ୍ୟ ଅମରିନ୍ଦରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons