ଉଧାର ଟଙ୍କା ମାଗିବାରୁ ହତ୍ୟା

Get real time updates directly on you device, subscribe now.

ମାଣିଆବନ୍ଧ,(ବି.ବି.ନୁ୍ୟଜ): ଉଧାର ଟଙ୍କା ମାଗିବା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା । ମାଡ଼ ଖାଇବାର କିଛି ଘଣ୍ଟା ପରେ ତାଙ୍କର ମୃତୁ୍ୟ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଡମ୍ବା ବ୍ଲକ୍ ମାଣିଆବନ୍ଧ ଫାଣ୍ଡି ଅନ୍ତର୍ଗତ କଙ୍କଡ଼ାଯୋଡି ଗ୍ରାମରେ । ମୃତକ ହେଲେ ଗ୍ରାମର ଚନ୍ଦ୍ରଶେଖର ବସ୍ତିଆ(୫୫) । ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଉର୍ବଶ୍ରୀ ବସ୍ତିଆ ବଡ଼ମ୍ବା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହଟହଟା ହୋଇଛି । ପୁଲିସର ଟାଳଟୁଳ ନୀତି ଯୋଗୁଁ ଚନ୍ଦ୍ରଶେଖରଙ୍କ ମୃତୁ୍ୟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଘଟଣାରୁ ପ୍ରକାଶ, ଚନ୍ଦ୍ରଶେଖର ଜଣେ ଦେଶୀ ମଦ ବ୍ୟବସାୟୀ । ତାଙ୍କଠାରୁ ଗ୍ରାମର ଆନନ୍ଦ ମଢିଆ ଓ ସମୀର ମଢିଆ ୩୦ ହଜାର ଟଙ୍କା ଉଧାର ନେଇଥିଲେ । କିନ୍ତୁ ମାଗି ମାଗି ଟଙ୍କା ଫେରାଉନଥିଲେ । ବାରମ୍ବାର ମାଗିବା ପରେ ଦୁଇ ଜଣ ଚନ୍ଦ୍ରଶେଖରଙ୍କୁ ଗାଳିଗୁଲଜ କରୁଥିଲେ । ତେବେ ଗତକାଲି ରାତିରେ ଆନନ୍ଦ ଓ ସମୀର ଚନ୍ଦ୍ରଶେଖରଙ୍କ ଦୋକାନରେ ପହଞ୍ଚିଥିଲେ । ମଦ କାହିଁକି ବିକ୍ରି କରୁଛୁ ବୋଲି କହି ଗାଳିଗୁଲଜ କରିଥିଲେ ଯାହାର ଏକ ଭିଡିିଓ ଏବେ ଭାଇରାଲ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଆନନ୍ଦ ଓ ସମୀର ଚନ୍ଦ୍ରଶେଖରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଚନ୍ଦ୍ରଶେଖରଙ୍କ କାନ ଓ ଛାତିରେ ବାଜିଥିଲା । ପରେ ସେ ଘରେ ପହଞ୍ଚି ସମସ୍ତ ଘଟଣା ପ୍ରକାଶ କରିଥିଲେ । ଆଜି ସକାଳୁ ଚନ୍ଦ୍ରଶେଖର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ମାଣିଆବନ୍ଧ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏ ଖବର ଗ୍ରାମରେ ଖେଳିଯିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଉଠିଥିଲେ । ରାସ୍ତାରେ ହୋହାଲ୍ଲା କରିଥିଲେ । ଖବର ପାଇ ବଡ଼ମ୍ବା ଥାନାଧିକାରୀ ନିରଞ୍ଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିିଥିଲେ । ସମସ୍ତ ଘଟଣା ଅନୁଧ୍ୟାନ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଏକ ଆମ୍ୱୁଲାନ୍ସର ବ୍ୟବସ୍ଥା କରିଥିଲେ । ତେବେ ଆମ୍ୱୁଲାନ୍ସ ପହଞ୍ଚିବା ବେଳେ ଗ୍ରାମବାସୀ ମୃତଦେହକୁ ଛାଡ଼ିନଥିଲେ । ଅଭିଯୁକ୍ତକୁ ଗିରଫ ନ କଲା ପର୍ଯ୍ୟନ୍ତ ଶବ ଛାଡ଼ିବେ ନାହିଁ ବୋଲି ଗ୍ରାମବାସୀ ଓ ବଜାର କମିଟିର ସମସ୍ତ ବ୍ୟବସାୟୀ ଅଡ଼ି ବସିଥିଲେ । ବହୁ ବିଳମ୍ୱ ପରେ ଆଠଗଡ଼ ଏସ୍ଡିପିଓ ବିଜୟ କୁମାର ବିଶି ଏକ ପ୍ଲାଟୁନ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ । ଏ ନେଇ ମୃତ ଚନ୍ଦ୍ରଶେଖରଙ୍କ ପତ୍ନୀ ଉର୍ବଶ୍ରୀ ବସ୍ତିଆ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ ଏ ଦିଗରେ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ୧୭ ଦିନ ପୂର୍ବେ କଙ୍କଡ଼ାଯୋଡ଼ି ବଜାରରେ ଏକ ଗଣ୍ଡଗୋଳ ଘଟିଥିଲା । ଉପରୋକ୍ତ ଦୁଇ ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ମାଣିଆବନ୍ଧ ଫାଣ୍ଡି ଓ ବଡ଼ମ୍ୱା ଥାନାରେ ଏତଲା ଦିଆଯାଇଥିଲା । ଘଟଣାକୁ ପୁଲିସ ଗୁରୁତ୍ୱ ନ ଦେଇ ଚୁପ ରହିଥିଲା ଯାହାଫଳରେ ଆଜି ଜଣଙ୍କ ମୁଣ୍ଡ ଗଡିଛି । ଆଜି ଏ ସଂକ୍ରାନ୍ତରେ ମଧ୍ୟ ଗ୍ରାମବାସୀ ଆଠଗଡ଼ ଏସ୍ଡିପିଓ ବିଜୟ କୁମାର ବିଶିଙ୍କୁ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons