ଏଟିଏମ୍ ଉଠାଇ ନେଇଗଲେ: ନଦୀ ପଠାରେ ଭାଙ୍ଗିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଅପରାଧ ଇତିହାସରେ ଯୋଡ଼ି ହେଲା ଆଉ ଏକ ସାଙ୍ଘାତିକ ଘଟଣା । ଫିଲ୍ମ ଷ୍ଟାଇଲ୍ରେ ପୂରା ଏଟିଏମ୍ ଉଠାଇ ନେଇ ଚୋରା ଗାଡ଼ିରେ ଲଦିଲେ । ସେଠାରୁ ପ୍ରାୟ ୪ କିମି ଦୂର ଦୟା ନଦୀ ପଠା ପର୍ଯ୍ୟନ୍ତ ବୋହିନେଲେ । ସେଠାରେ ମେସିନ୍ ଚାମ୍ବର ଭାଙ୍ଗି ଲୁଟି ନେଇଗଲେ ୨୦ ଲକ୍ଷ ୩୩ ହଜାର ଟଙ୍କା । ଛାଡ଼ିଗଲେ ମେସିନ୍ର ଖଣ୍ଡ ବିଖଣ୍ଡିତ ଅଂଶ ସହ ୧ ହଜାର ଟଙ୍କା । ଏମିତି ଘଟଣା ଘଟିଛି ଧଉଳି ଥାନା ଶିଶୁପାଳଗଡ଼ଛକସ୍ଥିତ ଇନ୍ଦିରା ନଗରରେ । ଅଭିଯୋଗ ପରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ତଦନ୍ତ ଆରମ୍ଭ କରିଛି । ନଦୀ ପଠାରେ ପଡ଼ିଥିବା ଏଟିଏମ୍ର ଖଣ୍ଡ ବିଖଣ୍ଡିତ ଅଂଶ ଗୋଟାଇ ଥାନାକୁ ଆଣିଛି । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଙ୍ଗଳବାର ସକାଳ ୬ଟାରେ ଧଉଳି ଥାନାକୁ ଫୋନ୍ ଗଲା । ଫୋନ୍ କରିଥିଲେ ଲିଙ୍ଗିପୁର ଛକସ୍ଥିତ ଏମ୍.ଏସ୍. ନର୍ସରୀର ମାଲିକ ବିଜୟ କୁମାର ସାହୁ । ତାଙ୍କ ନର୍ସରୀ ସାମ୍ନାରେ ଥିବା ଟାଟା ଏସିଇକୁ କିଏ ଚୋରି କରିନେଇଛି । ତା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଥିଲା । ଏହି ସମୟରେ ଖବର ଆସିଲା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ ଇନ୍ଦିରା ନଗରସ୍ଥିତ ଗ୍ରୀନ୍ ଆପାର୍ଟମେଣ୍ଟ ସମ୍ମୁଖ ଏସ୍ବିଆଇ ଏଟିଏମ୍ ଚୋରି ହୋଇଛି ।
ସୋମବାର ପୂର୍ବାହ୍ନରେ ଏଟିଏମ୍ରେ ୨୪ ଲକ୍ଷ ଟଙ୍କା ଭର୍ତ୍ତି କରା ଯାଇଥିଲା । ମଙ୍ଗଳବାର ସକାଳ ୮ଟାରେ ଜଣେ ବ୍ୟକ୍ତି ଟଙ୍କା ଉଠାଇବାକୁ ଯାଇ ଦେଖିଥିଲେ ଏଟିଏମ୍ ନାହିଁ । ଏହାପରେ ସେ ପୁଲିସ୍କୁ ଫୋନ୍୍ କରିଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ତନାଘନା । ସ୍ଥାନୀୟ ଅଞ୍ଚଳରେ ଲଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲା । ଫୁଟେଜ୍ରେ ଚୋରଙ୍କ ସବୁ କାରନାମା ଜଣାପଡ଼ିଥିଲା ।
ସେଥିରୁ ପୁଲିସ୍ ଜାଣିବାକୁ ପାଇଛି ସୋମବାର ରାତିରେ ଚୋରମାନେ ଲିଙ୍ଗିପୁର ଛକରେ ଥିବା ବିଜୟ କୁମାର ସାହୁଙ୍କ ଏମ୍.ଏସ୍. ନର୍ସରୀ ସାମ୍ନାରେ ପାର୍କିଂ ହୋଇଥିବା ୩ଟି ଗାଡ଼ି ମଧ୍ୟରୁ ଏକ ଟାଟା ଏସିଇ ଗାଡ଼ି ଚୋରି କରିଥିଲେ । ଉକ୍ତ ଚୋରା ଗାଡ଼ି ଧରି ଚୋରମାନେ ପହଞ୍ଚିଥିଲେ ଇନ୍ଦିରା ନଗରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ପାଖରେ ।
ସେତେବେଳେକୁ ସମୟ ପ୍ରାୟ ରାତି ୨ଟା । ଏଟିଏମ୍ ଠାରୁ ଜାତୀୟ ରାଜପଥ ମାତ୍ର୍ର ୫୦ ମିଟର ଦୂର । ଜଣେ ଚୋର ଜାତୀୟ ରାଜପଥ ଉପରେ ଛିଡ଼ା ହୋଇ ପୁଲିସ୍ ଉପରେ ନଜର ରଖିଥିଲା । ଜଣେ ଟାଟା ଏସିଇ ଗାଡ଼ିରେ ଥିଲା । ଆଉ ୩ ଜଣ ଏଟିଏମ୍ ଭିତରେ ପଶିଥିଲେ । ସମସ୍ତଙ୍କ ମୁହଁ ଗାମୁଛାରେ ଗୁଡ଼ା ହୋଇଥିଲା । ଜଣେ ଏଟିଏମ୍ ସଟର ପକାଇ ବାହାରେ ଠିଆ ହୋଇଥିଲା । ଭିତରେ ପଶିଥିବା ୩ ଜଣ ଚୋର ପ୍ରଥମେ ସିସିଟିଭିକୁ ଭାଙ୍ଗିଥିଲେ । ତା’ପରେ ଏଟିଏମ୍କୁ ବିଦୁ୍ୟତ ଯୋଗାଉଥିବା ମୁଖ୍ୟ କେବଲ୍କୁ କାଟି ଦେଇଥିଲେ । ତା’ପରେ ମେସିନ୍କୁ ମୂଳରୁ ତାଡ଼ି ପକାଇଥିଲେ । ପ୍ରାୟ ୨.୮୦ କ୍ୱିଣ୍ଟାଲ୍ ଓଜନର ଏଟିଏମ୍କୁ ଉଠାଇ ଟାଟା ଏସିଇ ଗାଡ଼ିରେ ଲଦି ପଳାଇଥିଲେ । ମାତ୍ର ୨୦ରୁ ୩୦ ମିନିଟ୍ ଭିତରେ ଚୋରମାନେ ସେମାନଙ୍କ ଅପରେସନ୍ ସାରିଥିଲେ ।
ଏହି ଚୋରି ବିଷୟରେ ପୁଲିସ୍ କିମ୍ବା ମୁମ୍ବାଇରେ ଥିବା ଏଟିଏମ୍ କଣ୍ଟେ୍ରାଲ୍ ରୁମ୍ କେହି ଟେର ପାଇନଥିଲେ । ଯଦି କୌଣସି ଚାଲୁ ଏଟିଏମ୍ କ୍ରମାଗତ ଭାବେ ୫ ମିନିଟ୍ ବନ୍ଦ ରହିବ ତେବେ ଆପେ ଆପେ ମୁମ୍ବାଇ ଅଫିସ୍କୁ ସତର୍କ ସୂଚନା ଚାଲିଯିବ । ହେଲେ ଏହି ଏଟିଏମ୍ ମୂଳରୁ ତାଡ଼ି ଚୋରମାନେ ଉଠାଇନେଲେ । ତଥାପି କଣ୍ଟେ୍ରାଲ ରୁମ୍ କିଛି ଜାଣିପାରିଲା ନାହିଁ । ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ଏହି ଚୋରି ପଛରେ କିଛି ଗଡ଼ବଡ଼ ରହିଛି ।
ସକାଳ ସାଢେ଼ ୮ଟାରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିି ଏଟିଏମ୍ ଲଗାଇଥିବା ସଂସ୍ଥାକୁ ଯୋଗାଯୋଗ କରିଥିଲା । ସଂସ୍ଥାର କର୍ମଚାରୀ ଯାଞ୍ଚ କରିବା ସମୟରେ ଏଟିଏମ୍ରେ କିଛି ସମସ୍ୟା ଥିବା ଜଣାପଡ଼ିଥଲା ।
ପୁଲିସ ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଚୋରଙ୍କ ବିଷୟରେ ତଥ୍ୟ ପାଇଥିଲା । ମେସିନ୍ ଚୋରି କରିବା ପରେ ଏମାନେ ପୁରୀ ଆଡ଼କୁ ଯାଇଥିଲେ । ଦୟାବି୍ରିଜ୍ ପୂର୍ବରୁ ବାମ ପଟେ ଲିଙ୍ଗିପୁର ନଦୀ ବନ୍ଧ ରାସ୍ତାରେ ଯାଇଥିଲେ । ଏକ ନିଛାଟିଆ ସ୍ଥାନରେ ଉକ୍ତ ମେସିନ୍କୁ ଗାଡ଼ିରୁ କାଢ଼ି ଶାବଳରେ ତାଡ଼ିଥିଲେ । ଚାମ୍ବର ତାଡ଼ି ସେଥିରୁ ସମସ୍ତ ଟଙ୍କା ନେଇ ଯାଇଥିଲେ । ଉକ୍ତ ମେସିନ୍ର ଖଣ୍ଡ ଖଣ୍ଡ ଅଂଶ ନଦୀ ପଠାର ଏଣେ ତେଣେ ପକାଇ ଦେଇଥିଲେ । ଚୋରିରେ ଯେଉଁ ଚୋରା ଟାଟା ଏସିଇ ଗାଡ଼ି ବ୍ୟବହାର କରିଥିଲେ ତାକୁ ପଠା ନିକଟରେ ଛାଡ଼ି ଦେଇ ଯାଇଥିଲେ । ପୁଲିସ୍ ମେସିନ ସହ ପାଖରେ ପଡ଼ିଥିବା ୨ଟି ଚିରା ୫୦୦ ଟଙ୍କିଆ ନୋଟ୍ ଜବତ କରିଛି ।
ଏନେଇ ଏଟିଏମ୍ ବୁଝୁଥିବା ଟିଏସ୍ଆଇ ସଂସ୍ଥାର କର୍ମଚାରୀ ହରେକୃଷ୍ଣ ମୁଦୁଲି ଏତଲା ଦେଇଛନ୍ତି । ଏହାପରେ ସ୍ପେଶାଲ୍ ସ୍କ୍ୱାଡ୍, ପିଓପିଡି ଟିମ୍ ଓ ଧଉଳି ଥାନା ପୁଲିସ୍ ମିଳିତ ଭାବେ ୪ଟି ଟିମ୍ କରି ତଦନ୍ତ ଆରମ୍ଭ କରିଛନ୍ତି । ୮ ଟି ସ୍ଥାନରୁ ପୁଲିସ୍ ସିସିଟିଭି ଫୁଟେଜ୍ ପାଇଛି । ୩ ଜଣଙ୍କ ଚୋରଙ୍କ କାରନାମା ସିସିଟିଭିରେ ରେକର୍ଡ ହୋଇଥିବା ଜୋନ୍ ଏସିପି ଅନିରୁଦ୍ଧ ରାଉତରାୟ କହିଛନ୍ତି । ଏହି ଚୋରି ପଛରେ ବାହାର ରାଜ୍ୟର ଅପରାଧୀଙ୍କ ହାତ ଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons