ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କ ମୃତ୍ୟୁ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ଆପ୍ର): ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ନାଁ ବାଦଲ ସାହୁ। ତାଙ୍କ ଘର ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁରେ। ତେବେ ସେ କାହିଁକି ଏମିତି ଚରମ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ। ସେ ଏସ୍‌ପିଙ୍କୁ ଭେଟି ନଥିଲେ କି ତାଙ୍କ ସମସ୍ୟା ବିଷୟରେ କହି ନଥିଲେ। ସେ ଘରେ କାହାକୁ ନ କହି ବାଇକ୍‌ରେ ଛତ୍ରପୁର ଆସିଥିଲେ। ସେଠାରେ ଅପରାହ୍ଣରେ ଏସ୍‌ପି ଅଫିସ୍ ସମ୍ମୁଖରେ ମୁଖ୍ୟ ରାସ୍ତାରେ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏସ୍‌ପି ଅଫିସ୍‌ର କିଛି କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ସେତେବେଳକୁ ତାଙ୍କ ଶରୀରର ସବୁ ଅଂଶ ପୋଡ଼ି ସାରିଥିଲା। ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଆଗରେ ଶନିବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି । ରମ୍ଭା ଥାନା ତଥା ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୋରିଗାଁର ବାଦଲ ସାହୁ (୨୪) ଦେହରେ ପେଟ୍ରୋଲ୍ ଢାଳି ନିଅାଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତାଙ୍କ ଶରୀର ଶତକଡା ୯୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନା ଏବଂ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଯୁବକଙ୍କୁ ଦେଖିବାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଯାଇଛନ୍ତି । ବାଦଲଙ୍କ ପିତାମାତା ମଧ୍ୟ ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଗୁରୁତର ବାଦଲ କିଛି କହିବି ନାହିଁ ବୋଲି କହିଛନ୍ତି । ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯିବା ଘଟଣାକୁ ନେଇ ସେ ଏଭଳି କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଏସ୍ପି ରାଏଙ୍କୁ ପଚାରିିବାରେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ।
ବାଦଲ ଶନିବାର ଅପରାହ୍ଣରେ ଏସ୍ପିଙ୍କ ନିକଟକୁ କୌଣସି ଏକ ମାମଲା ନେଇ ଆସିଥିଲେ । ଏସ୍ପି ଅଫିସ୍ରେ ନ ଥିଲେ । ଏହାପରେ ଏସ୍ପି କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଦେହରେ ପେଟ୍ରୋଲ ଢାଳି ହୋଇ ନିଅାଁ ଲଗାଇ ଦେଇଥିଲେ । ସେଠାରେ ତାଙ୍କର ଶରୀର ଜଳିବାରେ ଲାଗିଥିଲା । ଏସ୍ପି କାର୍ଯ୍ୟାଳୟର କିଛି କର୍ମଚାରୀ ଓ ସ୍ଥାନୀୟ ଲୋକ ଚାଦର ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ସେଠାରୁ ତାଙ୍କୁ ପ୍ରଥମେ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଦଲଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏସ୍.ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜି ସନ୍ଧ୍ୟାରେ ଜଣେ ଯୁବକ କାର୍ଯ୍ୟାଳୟ ନିକଟରେ ପେଟ୍ରୋଲ୍ କିମ୍ବା ଅନ୍ୟ କିଛି ତରଳ ପଦାର୍ଥ ନିଜ ଦେହରେ ଢାଳି ନିଜେ ନିଅାଁ ଲଗାଇ ଦେଇଛନ୍ତି । ଫରେନସିକ ଟିମ୍ ଦ୍ୱାରା ତଦନ୍ତ ହେଲେ ଜଣାପଡିବ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଛି । ତାଙ୍କର କିଛିଟା ମାନସିକ ବିକୃତି ରହିଛି । ତାଙ୍କ ନାମରେ ରମ୍ଭା ଥାନାରେ କେଶ୍ ଅଛି । ଗାଁରେ ଲୋକଙ୍କୁ ସେ ଗାଳିଗୁଲଜ କରୁଥିବା ନେଇ ଅଭିଯୋଗ ହୋଇଥିଲା ବୋଲି ଏସ୍ପି କହିଛନ୍ତି ।
ବାଦଲଙ୍କ ବାପା କବିରାଜ ସାହୁ ବଡ଼ ଡାକ୍ତରଖାନାରେ ପହଞ୍ଚି ପୁଅର ଅବସ୍ଥା ଦେଖି କାନ୍ଦି କାନ୍ଦି ଗଡ଼ିଯାଇଥିଲେ । ବାଦଲଙ୍କ ବାପା କବିରାଜ ସାହୁଙ୍କ କହିବା ପ୍ରକାରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା । ତାଙ୍କର ପ୍ରଥମ ସ୍ତ୍ରୀଙ୍କ ବିୟୋଗ ପରେ ୨ୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ଗୋଟିଏ ଝିଅ ଓ ପୁଅ, ବାଦଲ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ । ଝିଅଟି ମୁକ ଥିଲେ । ତାଙ୍କର ବିବାହ ହୋଇଥିଲା ଏବଂ ସେହି ଝିଅକୁ ୪ଭରଣ ଜମି ଦେବେ ବୋଲି କଥା ଦେଇଥିଲେ । କିନ୍ତୁ ଝିଅକୁ ଜମି ଦେଇପାରିନଥିଲେ । ଏହାକୁ ନେଇ ଝିଅ ଗାଁ ଲୋକଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଗାଁରେ ବୈଠକ ହୋଇଥିଲା । ୪ଭରଣ ଜମି ଦେବାକୁ ଗାଁ ଲୋକ ମଧ୍ୟ କହିଥିଲେ । କିନ୍ତୁ ଏଥିରେ କବିରାଜଙ୍କ ଦ୍ୱିତୀୟ ସ୍ତ୍ରୀ ରାଜି ନଥିଲେ । ଏହାକୁ ନେଇ ପରିବାରରେ ବିବାଦ ହୋଇଥିଲା । ଦୀର୍ଘବର୍ଷ ଧରି ଏହି ବିବାଦ ଲାଗି ରହିଛି । ଗାଁ ଲୋକଙ୍କ କଥା ନଶୁଣିବାରୁ ତାଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଥମ ପୁଅ ଦୁର୍ଯେ୍ୟାଧନକୁ ୧୨ବର୍ଷ ତଳେ ଗାଁରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏବେ ଗାଁରୁ ବାସନ୍ଦ କରି ଏହି ପୁଅର ଜୀବନ ସଙ୍କଟାପନ୍ନ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଗାଁରୁ ବାସନ୍ଦ ନେଇ ବାଦଲ ସ୍ଥାନୀୟ ଥାନା ଓ ଫାଣ୍ଡି ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ ତାଙ୍କ ଗୁହାରି କେହି ଶୁଣିନାହାନ୍ତି । ଆଜି ସେ ଘରୁ ଆସିଥିଲେ କିନ୍ତୁ ଏସ୍ପି ଅଫିସ୍ ଆସୁଥିବା ନେଇ କାହାକୁ ଜଣାଇନାହାନ୍ତି । ପରିବାର ଆର୍ଥିକ ଅନଟନରେ ଥିବାରୁ ଝିଅକୁ ଜମି ଦେଇପାରି ନାହିଁ ବୋଲି ସେ କହିଛନ୍ତି । ଛତ୍ରପୁର ଏସ୍ଡିପିଓ ଓ ଆଇଆଇସି ବଡ଼ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କରୁଛନ୍ତି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୂର୍ବତନ ବ୍ଲକ୍ ସଭାପତି ରଘୁନାଥ ସାହୁ, ପୂର୍ବତନ ଉପାଧ୍ୟକ୍ଷାଙ୍କ ସ୍ୱାମୀ ରଙ୍କନିଧି ସାହୁ ପ୍ରମୁଖ ବାଦଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତିି ।
ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ କହିଛନ୍ତି ଯେ, ବାସନ୍ଦକୁ ନେଇ ଗାଁରେ କୌଣସି ଝଗଡ଼ା ବା ବିବାଦ ହୋଇନାହିଁ, ଗାଁରେ ଲୋକଙ୍କୁ ଗାଳିଗୁଲଜ କରିବା ନେଇ ନିକଟରେ ତାଙ୍କ ବିରୋଧରେ ଗ୍ରାମବାସୀ ହୁମ୍ମା ଫାଣ୍ଡିରେ ଏତଲା ଦେଇଥିଲେ । ବାଦଲଙ୍କ ବିରୋଧରେ ଏକ କେସ୍ ହୋଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସେ କଣ ପାଇଁ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସିଥିଲା ଏବଂ କିପରି ସେ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ପ୍ରହରା ସତ୍ତେ୍ୱ ନିଅାଁ ଲଗାଇ ଜାଳି ହୋଇଗଲେ ତାହା ପ୍ରଶ୍ନବାଚୀ ରହିଛି । ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ମୀନାକ୍ଷୀ ମିଶ୍ର କିରାସିନି ଢ଼ାଳି ଆତ୍ମାହୁତି ଦେଇଥିଲେ । ଗତ କିଛିମାସ ପୂର୍ବେ ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ନ୍ୟାୟ ପାଇଁ କାଳିଆ ସାମନ୍ତରା ନାମକ ଜଣେ ଯୁବକ ଶରୀରରେ ନିଆଁ ଲଗାଇ ଆତା୍ମହୁତି ଦେଇଥିଲେ । ଗୋଳନ୍ଥରା ଥାନା ମହିଳା ଓ ଶିଶୁ ଡେସ୍କ୍ରେ ଗଣେଶ ଡାକୁଆ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ଗଞ୍ଜାମ ଜିଲ୍ଲାରେ ଏହା ୪ର୍ଥ ଘଟଣା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons