କନ୍ଧପାଳ ଗୁଳିକାଣ୍ଡ ମାମଲା :ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଗିରଫ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଧପାଳ ଗ୍ରାମର ପୂର୍ବତନ ୱାର୍ଡମେମ୍ବର ଦଳେଇ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ନୃପତି ନାଏକ ଓରଫ୍ ନରୁ, ତା’ର ଭାଇ ନିରଞ୍ଜନ ନାଏକକୁ ପୁଲିସ୍ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କୁ ସଦର ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ପଞ୍ଚାୟତର ନମିଚିରା ଗ୍ରାମର ଏକ ଜଙ୍ଗଲ ମଧ୍ୟରୁ ବୁଧବାର ସକାଳେ ଗିରଫ କରାଯାଇଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ, ଖଣ୍ଡା ଓ ଲାଠି ଜବତ କରିଛି ପୁଲିସ୍ ।
ସୂଚନା ଥାଉକି, ନୃପତି ଦେଶୀ ବନ୍ଧୁକରେ ଦଳେଇଙ୍କୁ ଅତି ନିକଟରୁ ଗୁଳିମାଡ଼ କରିଥିବା ବେଳେ ତା’ର ବଡ଼ଭାଇ ନିରଞ୍ଜନ ଖଣ୍ଡା ଧରି ପାଖରେ ଛିଡ଼ା । ହୋଇଥିଲା । ଦଳେଇଙ୍କୁ ହତ୍ୟା କରିବା ପରେ ନୃପତି ଓ ନିରଞ୍ଜନ ବନ୍ଧୁକ, ଖଣ୍ଡା ଆଦିକୁ ଗ୍ରାମର ଏକ ବୁଦୁବୁଦୁକିଆ ଜଙ୍ଗଲରେ ଲୁଚାଇ ଫେରାର ହୋଇଯାଇଥିଲେ । ପରେ ନମିଚିରା ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ । ଦିନ ତମାମ ଜଙ୍ଗଲରେ ଘୂରି ବୁଲୁଥିବା ବେଳେ ସମ୍ପର୍କୀୟଙ୍କ ଘରେ ରାତ୍ରିଯାପନ କରୁଥିଲେ । ଏ ସମ୍ପର୍କରେ ଠୋସ୍ ସୂଚନା ପାଇବା ପରେ ବୁଧବାର ସକାଳେ ପୁଲିସ୍ର ଟିମ୍ ନମିଚିରା ଜଙ୍ଗଲରେ ଛାପା ମାରି ନୃପତି ଓ ନିରଞ୍ଜନଙ୍କୁ କାବୁ କରିଥିଲା । ଦିନତମାମ ପୁଲିସ୍ ଜେରା କରିବା ସରିବା ପରେ ସଂଧ୍ୟାରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ହତ୍ୟା ମାମଲାରେ ଅଦ୍ୟାବଧି ୪ ଜଣ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ଆହୁରି ୨ ଅଭିଯୁକ୍ତ ଫେରାର ରହିଥିବା ସଦର ଏସ୍ଡିପିଓ ବିକାଶ ରଞ୍ଜନ ବେହୁରା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୧୭ ତାରିଖ ରବିବାର ସକାଳ ପ୍ରାୟ ସାଢେ଼ ୭ଟାରେ ଗେଙ୍ଗୁଟିଆ ପଞ୍ଚାୟତର କନ୍ଧପାଳ ଗ୍ରାମର ପୂର୍ବତନ ୱାର୍ଡସଭ୍ୟ ଦଳେଇ ନାୟକ (୫୬)ଙ୍କୁ ଗାଁ ଦାଣ୍ଡରେ ଗୁଳି ମାରି ହତ୍ୟା କରାଯାଇଥିଲା । ଗ୍ରାମରେ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ ଏକ ପୋଖରୀ ଖୋଳାଯାଉଛି । ଏହି କାମକୁ ସେହି ଗ୍ରାମର ଅନ୍ୟତମ ପୂର୍ବତନ ୱାର୍ଡସଭ୍ୟ ତଥା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୃପତି ନାୟକ ଠିକାରେ ନେଇଛି । ପୋଖରୀରୁ ଉଠୁଥିବା ମାଟିକୁ ନୃପତି ଗାଁ ଦାଣ୍ଡରେ ପରିବହନ କରୁଥିଲା । ଗାଁ ରାସ୍ତା ଅତି ଛୋଟ ଏବଂ ଅଣଓସାରିଆ ହୋଇଥିବାରୁ ମାଟି ପରିବହନ ଦ୍ୱାରା କାଦୁଅ ହେଉଥିଲା । ଏହାକୁ ଦଳେଇ ବିରୋଧ କରି ଆସୁଥିଲେ । ଘଟଣା ଦିନ ସକାଳେ ମଧ୍ୟ ଟ୍ରାକ୍ଟରରେ ମାଟି ପରିବହନ ହେଉଥିବାରୁ ଏହାକୁ ବାରଣ କରିବାରୁ ଦଲେଇଙ୍କୁ ଗୁଳିମାଡ଼ କରିଥିଲା ନୃପତି । ନୃପତିଙ୍କ ସମେତ ତାର ଭାଇ ନିରଞ୍ଜନ ନାୟକ, ନରହରି ନାୟକ, ବାପା ଅଭିମନୁ୍ୟ ନାୟକ, ସମ୍ପର୍କୀୟ ଭାଇ ବେଣୁଧର ନାୟକ, ମାନସ ନାୟକ ପ୍ରମୁଖ ଠେଙ୍ଗାବାଡି ଓ ମାରଣାସ୍ତ୍ର ଧରି ସହଯୋଗ କରିଥିଲେ । ଦଳେଇଙ୍କ ମୃତୁ୍ୟ ପରେ ଗ୍ରାମରେ ଲଙ୍କାକାଣ୍ଡ ହୋଇଥିଲା । ମୃତକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ପନôୀ ଓ ୩ ବର୍ଷର ଶିଶୁପୁତ୍ରକୁ କଟୁରୀରେ ଆକ୍ରମଣ କରାଯିବା ସହ ଦୋକାନ ଘର ଭଙ୍ଗାରୁଜା କରାଯାଇଥିଲା । ଏଥିସହ ଅଭିଯୁକ୍ତ ନିରଞ୍ଜନ ନାୟକଙ୍କ ଦୁଇ ବଖରା ଚାଳଘରକୁ ପୋଡ଼ି ଦିଆଯାଇଥିଲା । ଏହି ଘଟଣାରେ ଉଭୟଙ୍କ ପକ୍ଷରୁ ଥାନାରେ ପୃଥକ୍ ମାମଲା ରୁଜୁ ହୋଇଛି । ପୁଲିସ୍ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏହି ଘଟଣାକୁ ନେଇ ଗ୍ରାମରେ ଏବେ ବି ଚାପା ଉତ୍ତେଜନା ଲାଗିରହିଛି । ପୁଲିସ ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons