କରୋନା ମୃତକଙ୍କ ପରିବାରକୁ ୫୦ ହଜାର

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ମହାମାରୀରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫୦,୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ଏଥିପାଇଁ ସୁପାରିସ କରିସାରିଥିବା ବୁଧବାର କେନ୍ଦ୍ର ସରକାର ସୁପି୍ରମକୋର୍ଟଙ୍କୁ ଏକ ସତ୍ୟପାଠରେ ଜଣାଇଛନ୍ତି । ଦେଶରେ ମୋଟ କରୋନା ମୃତୁ୍ୟ ସଂଖ୍ୟା ୪,୪୫,୭୬୮ ଛୁଇଁଥିବାରୁ କ୍ଷତିପୂରଣ ବାବଦରେ ପାଖାପାଖି ୨,୨୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ଏହି କ୍ଷତିପୂରଣ କେବଳ କୋଭିଡ ମୃତକଙ୍କ ପରିବାରକୁ ମିଳିବ ନାହିଁ । ବରଂ କୋଭିଡ ମହାମାରୀ ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରି ଜୀବନ ହରାଇଥିବା ଲୋକଙ୍କ ପରିବାର ମଧ୍ୟ ଏହାର ହକ୍ଦାର ହେବେ । ଏଥିପାଇଁ ଏନ୍ଡିଏମ୍ଏ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।
ସର୍ବୋଚ୍ଚ ଅଦାଲତଙ୍କୁ କେନ୍ଦ୍ର ଜଣାଇଛି ଯେ ଏହି କ୍ଷତିପୂରଣ ରାଶି ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍ଡିଆର୍ଏଫ୍)ରୁ ଏହି ଅର୍ଥ ଖର୍ଚ୍ଚ ହେବ । ଏହାଛଡ଼ା ଏହି କ୍ଷତିପୂରଣ ଯୋଗାଣ କୋଭିଡ ମହାମାରୀର ଆଗାମୀ ପର୍ଯ୍ୟାୟ ଅଥବା ନୂଆ ଅଧିସୂଚନା ଜାରି ହେବା ପର୍ଯ୍ୟନ୍ତ ଜାରି ରହିବ ।
ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା କିଭଳି ସମ୍ପାଦନ ହେବ, ସେ ବାବଦରେ ମଧ୍ୟ କେନ୍ଦ୍ର ନିଜ ସତ୍ୟପାଠରେ ସୁପି୍ରମକୋର୍ଟଙ୍କୁ ଅବଗତ କରାଇଛି । ଏଥିରେ କୁହାଯାଇଛି ଯେ ପ୍ରଭାବିତ ପରିବାର କୋଭିଡ ମୃତୁ୍ୟ ପ୍ରମାଣପତ୍ର ସମେତ ନିର୍ଦ୍ଧିଷ୍ଟ ଦସ୍ତାବିଜ ସହ ରାଜ୍ୟ ପ୍ରାଧିକରଣ ଦ୍ୱାରା ଜାରି ଫର୍ମ ମାଧ୍ୟମରେ ଆବେଦନ କରିପାରିବେ । ପ୍ରମାଣପତ୍ରରେ ମୃତୁ୍ୟର କାରଣ କୋଭିଡ-୧୯ ହୋଇଥିବା ଜରୁରି ।
କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶନାମା ପାଳନ ପୂର୍ବକ ଏନ୍ଡିଏମ୍ଏ ସେପ୍ଟେମ୍ବର ୧୧ରେ ମାର୍ଗଦର୍ଶିକା ଜାରି କରିଛି । ଏହି ମାର୍ଗଦର୍ଶିକାରେ କରୋନା ମୃତକଙ୍କ ପରିବାରକୁ ୫୦,୦୦୦ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ଉଲ୍ଲେଖ କରାଯାଇଛି । କୋଭିଡ ମୃତକଙ୍କ ପରିବାରକୁ ସହାୟତା ଦେବା ସଂକ୍ରାନ୍ତରେ ଓକିଲ ସୁମୀର ସୋଢ଼ି ଓ ଗୌରବ କୁମାର ବନସଲଙ୍କ ପକ୍ଷରୁ ଏକାଧିକ ପିଟିସନ୍ କରାଯାଇଥିଲା ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍ଆର୍) ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁସାରେ କୋଭିଡ-୧୯ ମୃତୁ୍ୟ ପ୍ରମାଣପତ୍ର ଜାରି ହେବ । ପ୍ରମାଣପତ୍ର ସହିତ ମୃତକଙ୍କ ପରିବାର ସଦସ୍ୟ ଆବେଦନ କରିପାରିବେ । ଆବେଦନପତ୍ର ଦାଖଲର ୩୦ ଦିନ ଭିତରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ଆଧାର ଲିଙ୍କ୍ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ପଦ୍ଧତିରେ ଅର୍ଥରାଶି ଆବଣ୍ଟନ ହେବ ।
ସୂଚନାଯୋଗ୍ୟ, ଦେଶରେ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଏ ପର୍ଯ୍ୟନ୍ତ ୪,୪୫,୭୬୮ ଲୋକଙ୍କ ଜୀବନ ଗଲାଣି । ମହାରାଷ୍ଟ୍ରରେ ସର୍ବାଧିକ ୧,୩୮,୬୧୬ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ କର୍ଣ୍ଣାଟକରେ ୩୭,୬୪୮, ତାମିଲନାଡୁରେ ୩୫,୩୭୯, ଦିଲ୍ଲୀରେ ୨୫,୦୮୫ ଓ କେରଳରେ ୨୩,୮୯୭ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ସେହିଭଳି ଉତ୍ତର ପ୍ରଦେଶରେ ୨୨,୮୮୭, ପଞ୍ଜାବରେ ୧୬,୫୦୧, ଛତିଶଗଡ଼ରେ ୧୩,୫୬୩, ମଧ୍ୟପ୍ରଦେଶରେ ୧୦,୫୧୭ ଓ ଗୁଜରାଟରେ ୧୦,୦୮୨ ଲୋକଙ୍କ ମୃତୁ୍ୟ ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୬,୯୬୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୩୮ ଜଣଙ୍କ ପ୍ରାଣହାନି ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons