କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ): କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ୍ୟ ପ୍ରିଣ୍ଟ୍ । ଗ୍ରାହକଙ୍କୁ ଫୋନ୍ କରି ନିର୍ଦ୍ଧିଷ୍ଟ ଠିକଣା ଓ ସମୟ ଦିଆଯାଇଥିଲା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନ ଦାରିଙ୍ଗବାଡ଼ି ବନାଞ୍ଚଳରେ ବାଘ ଛାଲ ଧରି ଗ୍ରାହକ ଅପେକ୍ଷାରେ ରହିଥିଲା ମାଫିଆ । ଡବେରୀ ଛକ ନିକଟରେ ବନ ବିଭାଗ ଜଣେ କର୍ମଚାରୀ ଗ୍ରାହକ ସାଜି ପହଞ୍ଚିଥିଲେ । ବାଘ ଛାଲ କିଣା ବିକା ନେଇ ମାଫିଆଙ୍କ ସହ କଥାବାର୍ତ୍ତା କରିବା ସମୟରେ ଏସ୍ଟିଏଫ୍ (ସ୍ପେଶାଲ ଟାକ୍ସ ଫୋସ୍) ଓ ବନବିଭାଗର ମିଳିତ ଟିମ ମାଡ଼ି ବସିଥିଲା । ଜଣେ ବାଘ ଛାଲ ବେପାରୀକୁ ଗିରଫ କରାଯିବା ସହ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦାରିଙ୍ଗବାଡ଼ି ଥାନା ଅଧୀନ ପାଙ୍ଗାଲି ଗ୍ରାମର ବିପିନ ନାୟକ (୪୦)ବୋଲି ତଦନ୍ତକାରୀ ଅଧିକାରୀ ଏସିଏଫ୍ ଡ.ରୁଦ୍ର ପ୍ରସାଦ ରଥ ସୂଚନା ଦେଇଛନ୍ତି । ଆଉ କେତେକ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା କୁହାଯାଉଛି ।
ଏସିଏଫ୍ଙ୍କ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ସାଢେ଼ ୧୧ଟା । ଡବେରୀ ନିକଟରେ ବାଘ ଛାଲ ଧରି ବିକ୍ରି କରିବା ପାଇଁ ବିପିନ ଗ୍ରାହକଙ୍କ ଅପେକ୍ଷାରେ ରହିଥିଲେ । ଗ୍ରାହକଙ୍କ ସହ ସେ ମୋବାଇଲ୍ରେ କଥା ହୋଇଥିବାବେଳେ କେହି କାହାକୁ ଦେଖିନଥିଲେ କି ଜାଣିନଥିଲେ । ବନ ବିଭାଗ କୌଣସି ଏକ ସୂତ୍ରରୁ ଖବର ପାଇ ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ବେପାରୀ ଭାବେ ପଠେଇଥିଲେ । ଯୋଜନା ମୁତାବକ ଏସ୍ଟିଏଫ୍ ଓ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଚଢ଼ଉ କରି ବିପିନ ନାୟକଙ୍କ ଠାରୁ ବାଘ ଛାଲ ଜବତ କରିବା ସହ ବିପିନଙ୍କୁ ଗିରଫ କରିଥିଲେ । ବନବିଭାଗ ମାମଲା ନଂ ୧/୨୨-୨୩ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଦନ୍ତକାରି ଅଧିକାରୀ ଏସିଏଫ୍ ସୂଚନା ଦେଇଛନ୍ତି । ବାଘ ଛାଲ ପ୍ରାୟ ସାଢେ଼ ୭ ଫୁଟ ଲମ୍ବ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ାଉରେ ଏସ୍ଟିଏଫ୍ ଟିମ୍ଙ୍କ ସହ ଏସିଏଫ୍ ଡାକ୍ତର ରୁଦ୍ର ପ୍ରସାଦ ରଥ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ ଧାରୁଆ, ବନପାଳ ପ୍ରସନ୍ନ ପାତ୍ରଙ୍କ ସମେତ ବନରକ୍ଷୀ ବିଜୟାନନ୍ଦ ସେଠୀ ଓ ପାରାଗାର୍ଡ ପ୍ରମୁଖ ସାମିଲ ଥିଲେ । ଏହି ବାଘ ଛାଲ ବେପାରରେ ଆଉ କିଏ ସମ୍ପକ୍ତ ଅଛନ୍ତି ଏନେଇ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons