କାକା-ପୁତୁରାଙ୍କୁ ଦଳିଦେଲା ଦନ୍ତା

Get real time updates directly on you device, subscribe now.

ରେଢ଼ାଖୋଲ,(ବି.ବି.ନୁ୍ୟଜ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ରକ୍ତମୁଖା ହୋଇଛି ଦନ୍ତା । ଗତ ୫ ମାସ ମଧ୍ୟରେ ୪ ଜଣଙ୍କ ଜୀବନ ନେଇ ସାରିଥିବା ଏହି ଦନ୍ତା ପୁଣି ଗତ ଗୁରୁବାର କକା ଓ ପୁତୁରାଙ୍କୁ ରାଞ୍ଚି-ବିଜୟୱାଡ଼ା ରାଜପଥରୁ ଟାଣି ନେଇ ଜଙ୍ଗଲରେ ଦଳି ଦେଇଛି । ଏଭିଳି ହୃଦୟ ବିଦାରକ ଘଟଣା ଘଟିଛି ରେଢ଼ାଖୋଲ ବନଖଣ୍ଡର ଡିମିରିକୁଦା ଗାଁରେ । ମୃତକ ଦ୍ୱୟ ହେଲେ ରେଢ଼ାଖୋଲ ସହର ଡିମିରିକୁଦା ଗାଁର କକା ଦୁଃଶାସନ ଭୋଇ (୨୭) ଓ ପୁତୁରା ଲତିକ ଭୋଇ (୫) ।
ଗୁରୁବାର ସନ୍ଧ୍ୟାରେ କାକା ଦୁଃଶାସନ ପୁତୁରା ଲତିକଙ୍କୁ ସାଇକଲରେ ବସାଇ ରାଞ୍ଚି-ବିଜୟୱାଡ଼ା ରାସ୍ତାରେ ଯାଉଥିବା ବେଳେ ଗାଁଠାରୁ ଅଳ୍ପ ଦୂର ରାସ୍ତା ଉପରେ ଏକ ଦନ୍ତାକୁ ଦେଖିଥିଲେ । ଜୀବନ ବଞ୍ଚାଇବାକୁ କାକା ରାସ୍ତାରେ ସାଇକଲକୁ ପକାଇ ପୁତୁରାକୁ ସାଙ୍ଗରେ ନେଇ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ । ହେଲେ ରକ୍ତମୁଖା ଦନ୍ତା ସେମାନଙ୍କୁ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ଭିତରକୁ ଟାଣି ନେଇ ଅତି ନୃଂଶସ ଭାବରେ ଦଳି ମାରି ଦେଇଥିଲା । କାକା ଓ ପତୁରା ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ସେମାନଙ୍କ ପତ୍ତା ନମିଳିବାରୁ ଗ୍ରାମବାସୀ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଗତକାଲି ସକାଳେ ପୁଣି ପରିବାର ଲୋକ ଖୋଜାଖୋଜି କରିବା ସମୟରେ ରାସ୍ତା କଡ଼ରେ ସାଇକଲ ପଡ଼ିଥିବା ଦେଖିଥିଲେ । ପରେ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇ ଖୋଜିବା ବେଳେ ଉଭୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିଥିଲେ ।
ଏନେଇ ବନ ଓ ପୁଲିସ ବିଭାଗକୁ ଖବର ଦେବା ପରେ ରେଞ୍ଜ ଅଧିକାରୀ ମୈତ୍ରୀ ମନଜିତ ବିଶ୍ୱାଳ ବନ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ରେଢ଼ାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ପହଞ୍ଚି ଶବ ଜବତ କରିଥିଲେ । ଦନ୍ତା କାକା ଓ ପୁତୁରାଙ୍କୁ ମାରିଦେଇଥିବା ଖବର ପ୍ରଚାରିତ ହେବା ପରେ ଡିମିରିକୁଦା ଗାଁ ସହିତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । କ୍ରମାଗତ ଭାବରେ ଦନ୍ତା ଉପଦ୍ରବ ଜାରିଥିବା ବେଳେ ଜଣକ ପରେ ଜଣକ ଜୀବନ ନେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରୁ ଶବ ଦୁଇଟିକୁ ଅଣାଯିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଶବ ରଖି ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ସ୍ଥାନନ୍ତର, ହାତୀପଲଙ୍କ ଉପଦ୍ରବରୁ ଜନସାଧାରଣଙ୍କୁ ରକ୍ଷା କରିବା, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ସହ ବନବିଭାଗରେ ପରିବାର ଜଣକୁ ଚାକିରି ପ୍ରଦାନ କରିବାକୁ ଦାବି କରିଥିଲେ । ଡିଏଫ୍ଓ ରମାକାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ହାତୀକୁ ଘଉଡ଼ାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ସହିତ ମୃତକଙ୍କ ପରିବାରରୁ ଜଣଙ୍କୁ ବନ ବିଭାଗରେ ଗଜସାଥୀ ଭାବେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ଉଭୟଙ୍କ ଅନ୍ତିମ ସଂସ୍କାର ପାଇଁ ୪୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ଓ ଆବଶ୍ୟକ କାଗଜପତ୍ର ପରେ ବାକି ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା ।
ପ୍ରକାଶଥାଉ ରକ୍ତମୁଖା ଦନ୍ତା ଗତ ମେ’ ୬ ତାରିଖ ରେଢ଼ାଖୋଲ ରେଞ୍ଜ ଜରିପାଣି ଗାଁ ପାଖ କୁସୁମଖୋଳ ନିକଟରେ ଧନୁ ଦେହୁରୀ ନାମକ ଜଣେ ଚାଷୀଙ୍କୁ ଦନ୍ତା ପାଦରେ ଦଳି ମାରିଦେଇଥିଲା । ସେହି ମାସ ୩୦ ତାରିଖ ଋଷିବଡ଼ମାଳ ଗାଁର ଭର୍ଜିଲ ଲାକ୍ରା ନାମକ ଚାଷୀ ଗାଁ ନିକଟ ଜମିକୁ କନ୍ଦା ଖୋଳିବାକୁ ଯାଇଥିବା ବେଳେ ଦନ୍ତା ଦଳି ମାରିଦେଇଥିଲା । ସେହିପରି ଗତ ଜୁନ ୧୯ ତାରିଖ ରାତି ଲୁହାପଙ୍କ ନିକଟ ଗାଡୁମୁଣ୍ଡା କେନ୍ଦୁପତ୍ର ଫଡ଼ିରେ କେନ୍ଦୁପତ୍ର ବନେ୍ଧଇ ଶ୍ରମିକ ବିମ୍ୱାଧର ନାଏକଙ୍କୁ ଫଡ଼ି ଭିତରୁ ଟାଣି ଆଣି ଦନ୍ତା ମାରିଦେଇଥିବା ବେଳେ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ସେପ୍ଟେମ୍ୱର ୨୩ ତାରିଖ ରାତି ବ୍ରାହ୍ମଣୀ ଗାଁର ସୁମିତ୍ରା ଦେହୁରୀ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଖୋଜିବାକୁ ଯାଉଥିବା ବେଳେ ଗାଁ ନିକଟ ରାଉତପଡ଼ା ନିକଟରେ ଦନ୍ତା ଦଳି ମାରିଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons