କିଏ ପିନ୍ଧିବ ଡେପୁଟି ମେୟର ମୁକୁଟ?

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନିର୍ବାଚନ ସରିଲା । ପ୍ରଥମଥର ପାଇଁ ନୂଆ ମହିଳା ମେୟର ନିର୍ବାଚିତ ହେଲେ । ଏବେ ଡେପୁଟି ମେୟର ପଦ ଉପରେ ସମସ୍ତଙ୍କ ନଜର । କିଏ ପିନ୍ଧିବ ମୁକୁଟ? କାହା ମୁଣ୍ଡରେ ଢଳାଯିବ ସୁନା କଳସ? ହେଭିୱେଟ୍ ନା ନବାଗତଙ୍କୁ ଦଳ ମୁଣ୍ଡାଇବ? କେଉଁ ବିଧାୟକଙ୍କ ଲବି କାମ କରିବ । ଏହାକୁ ନେଇ ଏବେ ଛକାପଞ୍ଝା ଆରମ୍ଭ ହୋଇଯାଇଛି ।
ଆସନ୍ତା ୧୦ ତାରିଖରେ ଡେପୁଟି ମେୟର ପାଇଁ ବିଏମ୍ସିରେ ନିର୍ବାଚନ ହେବ । ବିରୋଧୀ ବିଜେପି ମାତ୍ର ୧୦ଟି ଆସନରେ ଜିତିଥିବାରୁ ଡେପୁଟି ମେୟର ପାଇଁ ଦଳ ନିର୍ବାଚନରେ ଆଦୌ ପ୍ରାର୍ଥୀ ଦେବା ମୁଡ୍ରେ ନାହିଁ । ଏଣୁ ବିଜେଡି ଯାହାକୁ ପ୍ରାର୍ଥୀ କରିବ, ସେ ହିଁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିବ । ଡେପୁଟି ମେୟର କିଏ ହେବ ତାର ସୁରାକ୍ କେହି ପାଉନାହାନ୍ତି । କିନ୍ତୁ ଏଥିପାଇଁ ଲବି ଓ ଦାବି ଆରମ୍ଭ ହୋଇଗଲାଣି । ତିନି ବିଧାୟକ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଡେପୁଟି ମେୟର ପଦରେ ବସାଇବାକୁ ଚାହୁଁଛନ୍ତି । ସମସ୍ତେ ଜୋରଦାର ଲବି ଚଳାଇଛନ୍ତି । ଖାଲି ବିଧାୟକ ନୁହେଁ କିଛି ହେଭିୱେଟ୍ ନିଜ ଆଡୁ ଲବି କଲେଣି ।
ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ଅନେକ ଆଶାୟୀ ନିରାଶ ହୋଇଥିଲେ । ଏବେ ସେମାନେ ଡେପୁଟି ମେୟରକୁ ଆଖେଇଛନ୍ତି । ଡେପୁଟି ମେୟର ରେସ୍ରେ ଅନେକ ପୁରୁଖା କର୍ପୋରେଟରଙ୍କ ନାଁ ରହିଛି । ଏଥରକୁ ମିଶାଇ ଲଗାତର ୪ଥର ଜିତିଥିବା ବିରଞ୍ଚି ନାରାୟଣ ମହାସୁପକାର(ଲିଟୁ) ଡେପୁଟି ମେୟର ଦୌଡ଼ରେ ଅଛନ୍ତି । ଲିଟୁ ପୂର୍ବରୁ ତିନି ଥର ଜିତିଥିବାବେଳେ ଏଥର ପୁଣି ଜିତିଛନ୍ତି । ଲଗାତର ୪ଥର ଜିତି ଆସିଥିବାରୁ ଦଳ ତାଙ୍କୁ ଡେପୁଟି ମେୟର ପଦରେ ବସାଇବ ବୋଲି ଚର୍ଚ୍ଚା ହେଉଛି ।
ଅମରେଶ ଜେନା(ବାଇଁଆ) ଏଥର ହାଟ୍ରିକ୍ ବିଜୟ ପାଇଛନ୍ତି । ସେ ମଧ୍ୟ ଡେପୁଟି ମେୟର ରେସ୍ରେ ଆଗରେ ଅଛନ୍ତି । ନିଜ ୱାର୍ଡରୁ ୮୦ଧ ଭୋଟ୍ ପାଇବା ସହ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିଛନ୍ତି । ଭଲ ପ୍ରଦର୍ଶନ ପାଇଁ ଦଳ ତାଙ୍କୁ ଡେପୁଟି ମେୟର କରିପାରେ ବୋଲି ଚର୍ଚ୍ଚା ଉଡୁଛି । ୧ନଂ ୱାର୍ଡରୁ ଜିତିଥିବା ମିହିର ରାଉତ ମଧ୍ୟ ଡେପୁଟି ମେୟର ପାଇଁ ଦାବିଦାର ଅଛନ୍ତି । ଅନେକ ନବାଗତ ମଧ୍ୟ ସୁଯୋଗକୁ ଚାହିଁ ବସିଛନ୍ତି ।
ଖାଲି ପୁରୁଷ ନୁହେଁ, ଅନେକ ମହିଳା କର୍ପୋରେଟର ବି ଡେପୁଟି ମେୟର ପାଇଁ ଆଶା ଛାଡିନାହାନ୍ତି । ଦଳ ପୁଣି ମହିଳା କାର୍ଡ ଖେଳିପାରେ । ବିଜେପିର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆଗାମୀ ନିର୍ବାଚନରେ ଚେକ୍ ଦେବାକୁ ଦଳ ଯୋଜନା କରୁଛି । ମେୟରଙ୍କ ଭଳି ଡେପୁଟି ମେୟର ପଦରେ ମହିଳାଙ୍କୁ ବସାଇ ଦଳ ମହିଳାଙ୍କୁ ଅଗ୍ରାଧିକାର ଦେଉଛି ବୋଲି ବାର୍ତ୍ତା ଦେବାକୁ ରଣନୀତି ହୋଇଛି ବୋଲି ଆଉ ଏକ ମହଲ ଦାବି କରୁଛନ୍ତି । ଏହି ଚର୍ଚ୍ଚାକୁ ବିଶ୍ୱାସ କଲେ ପୂର୍ବରୁ ଡେପୁଟି ମେୟର ଥିବା ଭାରତୀ ସିଂ ଓ କେ ଶାନ୍ତିଙ୍କୁ ଦଳ ପୁଣି ରିପିଟ୍ କରିପାରେ । ମହାମାୟା ସ୍ୱାଇଁ ଓ ପ୍ରୀତିନନ୍ଦ ରାଉତରାୟଙ୍କ ନାଁ ବି ଶୁଣିବାକୁ ମିଳୁଛି । ତେବେ ମେୟର ପ୍ରାର୍ଥୀଙ୍କ ଭଳି ଶୂନ୍ୟରୁ ଆଣି ବା ଆଦୌ ଚର୍ଚ୍ଚାରେ ନଥିବା କୌଣସି କର୍ପୋରେଟରଙ୍କୁ ଡେପୁଟି ମେୟର କରାଯିବା ସମ୍ଭାବନା ଅଧିକ ବୋଲି ଦଳର ଆଉ କିଛି ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons