କେବେ ତୁଟିବ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସମସ୍ୟା

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁରରେ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଦେଖା ଦେଇଥିବା ଦୀର୍ଘ ବର୍ଷର ସୀମା ବିବାଦ ଭୟଙ୍କର ରୂପ ଧାରଣ କରୁଛି । ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗର ତଟ ସୁରକ୍ଷା ପାଚେରି ନିର୍ମାଣ କାର୍ଯ୍ୟ ଅଟକୁ ନାହିଁ । ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପୂର୍ବ ମେଦିନୀପୁର ଜିଲ୍ଲାପାଳଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହୋଇଛନ୍ତି କି ନାହିଁ³ ତା’କୁ ନେଇ ଏବେ ପ୍ରଶ୍ନବାଚୀ । ୧୪୪ଧାରାକୁ ସମ୍ପୂର୍ଣ୍ଣ ବେଖାତିର କରି ପୁଣି ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହାକୁ ନେଇ ଉଭୟ ରାଜ୍ୟର ସୀମାନ୍ତବାସୀଙ୍କ ମହଲରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇବାରେ ଲାଗିଲାଣି । ମଙ୍ଗଳବାର ସକାଳେ ପୁଣି ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ସାହାବାଜିପୁର ସରପଞ୍ଚଙ୍କ ପ୍ରତିନିଧି ଅରୁଣ ଗିରି, ତାଳସାରୀ ସାମୁଦ୍ରିକ ଥାନା ଅଧିକାରିଣୀ ସୁଜାତା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅପରପକ୍ଷରେ ଲାଲ ପତାକା ଚିହ୍ନଟ ବିବାଦୀୟ ସ୍ଥାନଠାରୁ ମାତ୍ର ୫ ଫୁଟ୍ ଦୂରରେ ନିର୍ମାଣାଧୀନ କାର୍ଯ୍ୟ ଜାରି ରଖିଥିଲେ ବଙ୍ଗ ପ୍ରଶାସନ । ହେଲେ ପଶ୍ଚିମବଙ୍ଗ ଦବଙ୍ଗଗିରିକୁ ଉଚିତ୍ ଜବାବ ମିଳିଛି । ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା କାର୍ଯ୍ୟ ବନ୍ଦ କରିବା ସହ ଆଲୋଚନା ପାଇଁ ରାମନଗର ବ୍ଲକ ପ୍ରଶାସନକୁ ଖବର ଦେଇଥିଲେ । ମାତ୍ର ବଙ୍ଗ ପ୍ରଶାସନ ଏହାକୁ ମଧ୍ୟ ଅବମାନନା କରିଥିଲେ । ଫଳରେ ବାଧ୍ୟହୋଇ ଓଡ଼ିଶା ମଧ୍ୟକୁ ପଶ୍ଚିମବଙ୍ଗର ନିର୍ମାଣାଧୀନ ତଟ ସୁରକ୍ଷା ପାଚେରିକୁ ଜେସିବିରେ ଭାଙ୍ଗି ମାଟି ପକାଇ ସମତଳ କରିଦିଆଯାଇଛି ।
ବିବରଣୀରୁ ପ୍ରକାଶ, ବାତ୍ୟା “ୟାସ’ରେ ବେଳାଭୂମିର କ୍ଷତିଗ୍ରସ୍ତ ଅଞ୍ଚଳର ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନ । ଅର୍ଥ ମଞ୍ଜୁର ହେବା ପରେ ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ସହଯୋଗରେ ସମୁଦ୍ର ତଟର ସୁରକ୍ଷା ପାଇଁ ପାଚେରି ନିର୍ମାଣ ଜଳସମ୍ପଦ ବିଭାଗ କାର୍ଯ୍ୟ ଆରମ୍ଭ କରିଛନ୍ତି । ପାଚେରି ନିର୍ମାଣ କାର୍ଯ୍ୟ ବଙ୍ଗ ସୀମାରୁ ଆରମ୍ଭ କରି ଓଡ଼ିଶା ଭିତରକୁ ମଧ୍ୟ ପଶି ଆସିଛନ୍ତି । ଏହି ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ତାକୁ ବି ଖାତିର କରୁନାହାନ୍ତି । ଘଟଣାସ୍ଥଳରେ ପୁଲିସ ଜଗି ରହିଥିଲେ ବି ବଳପୂର୍ବକ କାର୍ଯ୍ୟ ଚଳାଇଛନ୍ତି । ମଙ୍ଗଳବାର ସକାଳେ କାର୍ଯ୍ୟ ହେଉଥିବା ଖବର ପାଇ ତହସିଲଦାର ଶ୍ରୀ ପଣ୍ଡା ପହଞ୍ଚି କାର୍ଯ୍ୟ ବନ୍ଦ କରିଥିଲେ । ବାରମ୍ବାର ବାଲେଶ୍ୱର ଏବଂ ଭୋଗରାଇ ପ୍ରଶାସନ କାର୍ଯ୍ୟ ବନ୍ଦ କରିବା ସହ ଆଲୋଚନା ପାଇଁ ଡାକୁଥିଲେ ମଧ୍ୟ ବଙ୍ଗ ପ୍ରଶାସନ ଆସୁନାହାନ୍ତି । ଏହାଛଡ଼ା ଆଲୋଚନା ପାଇଁ ଉପସ୍ଥିତ ଥିବା ଠିକାଦାରଙ୍କ ଜରିଆରେ ରାମନଗର ବ୍ଲକ ପ୍ରଶାସନକୁ ଭୋଗରାଇ ତହସିଲଦାର ଡାକିଥିଲେ । ମାତ୍ର ସେମାନେ ୩/୪ ଘଣ୍ଟା ବିଳମ୍ବରେ ପହଞ୍ଚିବେ ବୋଲି ଉତ୍ତର ଦେଇଥିଲେ । ଉଦୟପୁର ଠାରୁ ରାମନଗର ମାତ୍ର ୧୦କିମି ଦୂରତା ଥିବା ବେଳେ କଣ୍ଟାଇ ପ୍ରାୟ ୩୦କିମି ଦୂର । କିନ୍ତୁ ଘଟଣାସ୍ଥଳକୁ କେହି ଆସୁନାହାନ୍ତି । ଏହି ବେଆଇନ କାର୍ଯ୍ୟକୁ ତୀବ୍ର ବିରୋଧ କରାଯିବା ସହ ଚଳିତ ମାସ ୭ ତାରିଖରେ ଭୋଗରାଇ ଅତିରିକ୍ତ ତହସିଲଦାର ଶ୍ରୀ ପାଣିଗ୍ରାହୀ ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ । ଏହାଛଡ଼ା ପୁଲିସ ମଧ୍ୟ ଯୋଗାଇ ଦିଆଯାଇଥିଲା । ୮ ତାରିଖ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଅନୁଧ୍ୟାନ ସହ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ପୂର୍ବ ମେଦିନୀପୁର ଜିଲ୍ଲାପାଳଙ୍କ ସହ କଥା ହେବେ ବୋଲି କହିଥିଲେ । ଏହାର ଆଉ ଏକ ପାଦ ଆଗକୁ ଯାଇ ଗତ ୧୪ତାରିଖରେ ବାଲେଶ୍ୱର ସବଡିଭିଜନାଲ ମାଜିଷ୍ଟେ୍ରଟଙ୍କ ନିଦେ୍ର୍ଧଶ କ୍ରମେ କ୍ରିମିନାଲ ମିଶ କେଶ ନଂ୧୧୫/୨୦୨୧ ମୂଳେ ଉକ୍ତ ସ୍ଥାନରେ ୧୪୪ଧାରା ଜାରି ପୂର୍ବକ ଲାଲ ପତାକା ପୋତି ଦିଆଯାଇଥିଲା । ଓଡ଼ିଶାର ଉଦୟପୁର ବେଳାଭୂମିର ବ୍ଲାକ ଟପ ରାସ୍ତା ପାଖରୁ ପଶ୍ଚିମବଙ୍ଗର ଦୀଘା ଥାନା ଅଧୀନ ଗଦାଧରପୁର ୱାଚ୍ ଟାୱାର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ଉଭୟ ରାଜ୍ୟ କେହି କୌଣସି ନିର୍ମାଣା କାର୍ଯ୍ୟ କରିପାରିବେ ନାହିଁ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଥିଲା । ଏହାକୁ ଅବମାନନା କରି କାର୍ଯ୍ୟ କରୁଛନ୍ତି । ପଶ୍ଚିମବଙ୍ଗର କୌଣସି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳକୁ ନ ଆସି ଜବରଦସ୍ତ କାର୍ଯ୍ୟ କରିବା ସେମାନଙ୍କ ଦାଦାଗିରିର ପରିଚୟ ଦେଉଛି । ସେମାନଙ୍କୁ ଏକ ଉଚିତ ଜବାବ ଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ଆଜିର ଘଟଣାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା, ସାମୁଦ୍ରିକ ଥାନାର ଏଏସଆଇ ଅଘୋର ଦାସ, ଭଗବାନ ଦାସ, କଖଡ଼ା ଆରଆଇ ନିଶିକାନ୍ତ ସିଂ, ସମାଜସେବୀ ମାନସ ରଞ୍ଜନ ମହାନ୍ତି, ଅରୁଣ ସାହୁଙ୍କ ସମେତ ସୀମାନ୍ତ ଅଞ୍ଚଳର ବହୁ ଅଧିବାସୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons