କୋୟା ପୁଅ ପାଇଲେ ଓଏଏସ

Get real time updates directly on you device, subscribe now.

କୋରାପୁଟ, (ସତ୍ୟ ନାରାୟଣ ସାହୁଙ୍କଠାରୁ): ଜିଲ୍ଲା କୋୟା ସମ୍ପ୍ରଦାୟର ଯୁବକ ଉମାଶଙ୍କର କୋୟା ଓଏଏସରେ ସଫଳତା ହାସଲ କରିଛନ୍ତି । ତାଲିକାରେ ୧୦୭ ନମ୍ବର ସ୍ଥାନରେ ଥିବା ବେଳେ ସଂରକ୍ଷଣରେ ୨ ନମ୍ବରରେ ରହିଛନ୍ତି । ତାଙ୍କ ସଫଳତା ପରେ ବାପାମା’ଓ ସହରର ସାଙ୍ଗସାଥୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଆଜି ଭୁବନେଶ୍ୱରରୁ କୋରାପୁଟ ଆସିବା ପରେ ପରିବାରବର୍ଗ ଓ ସାଥୀମାନେ ଟ୍ରାଫିକ ଛକ ନିକଟରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ମଣିଷକୁ ସଫଳତା ଦିଏ ବୋଲି ଉମା କହିଛନ୍ତି ।
ସ୍ଥାନୀୟ ଅମଲାକୁଟୀର ରୋଡ଼ରେ ସାଇକେଲ ମରାମତି ଦୋକାନ କରିଛନ୍ତି ଉମାଙ୍କ ବାପା ଲକ୍ଷ୍ମଣ କୋୟା । ମରାମତି କାମ କରି ସେ ପରିବାର ଭରଣ ପୋଷଣ କରୁଛନ୍ତି । ପୁଅ ଓଏଏସ୍ (ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷାରେ ସଫଳ ହୋଇଥିବାରୁ ସେ ବେଶ ଖୁସି ଅଛନ୍ତି । ଏହି ସଫଳତାକୁ ନେଇ ଲକ୍ଷ୍ଣଣ କହିଛନ୍ତି, ଭଗବାନଙ୍କ ଆଶୀର୍ବାଦ ଓ ନିଜର ପରିଶ୍ରମ ଯୋଗୁ ଉମା ସଫଳତା ପାଇଛନ୍ତି । ତେବେ ଏହା ନିଶ୍ଚିତଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ହେଲେ ଉମା । ଶିଶୁମନ୍ଦିରରେ ଦଶମ ପଢ଼ିବା ପରେ ସେ କୋରାପୁଟ ଟ୍ୟାଲେଣ୍ଟ କଲେଜରୁ ଯୁକ୍ତ-୨ ବିଜ୍ଞାନରେ ପାସ କରିଥିଲେ । ଏହାପରେ ବ୍ରହ୍ମପୁର ନିଷ୍ଟରେ ଇଲେଟ୍ରିକାଲ ବିଟେକ୍ ପାସ କରିଥିଲେ । ଛତିଶଗଡ଼ ରାଜ୍ୟର ଏକ ଘରୋଇ କମ୍ପାନିରେ ସେ ପ୍ରଥମେ ଚାକିରି କରିଥିଲେ । ଏହାପରେ ନବରଙ୍ଗପୁର ଜିଲ୍ଲାରେ ବଜାର ନିରୀକ୍ଷକ ଭାବେ ନିଯୁକ୍ତି ପାଇ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons