ଗଞ୍ଜେଇ ଚଢଉ ବେଳେ ପୁଲିସକୁ ଆକ୍ରମଣ

Get real time updates directly on you device, subscribe now.

ଲମତାପୁଟ,(ବି.ବି. ଆପ୍ର): ରାତିରେ ଗଞ୍ଜେଇ ଚଢଉ କରିବାକୁ ଯାଇଥିବା ବେଳେ ଲୋକଙ୍କ ମିଳିତ ଆକ୍ରମଣର ଶିକାର ହୋଇଛି ପୁଲିସ୍ । ଢେଲା ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଜଣେ ପୁଲିସ୍ କର୍ମଚାରୀ । ତାଙ୍କ ନାଁ ପ୍ରଦୀପ ନାୟକ । ଧନୁତୀର, ଟାଙ୍ଗିଆ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ରରେ ସଜ୍ଜିତ ହୋଇଥିବା ଲୋକଙ୍କ ହାବୁଡ଼ରୁ ବର୍ତ୍ତିବା ଲାଗି ପୁଲିସ୍ ପକ୍ଷରୁ କରାଯାଇଛି ଫାଙ୍କା ଗୁଳିଚାଳନା । ଗାଁ ଲୋକେ ପୁଲିସ୍ କର୍ମଚାରୀଙ୍କ ଦୁଇଟି ବାଇକ୍ ଜବତ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆହତ କର୍ମଚାରୀଙ୍କୁ ଅଟକ ରଖିଥିଲେ । ପରେ ମାଛକୁଣ୍ଡ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଆହତ ପ୍ରଦୀପଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ସେପଟେ ଗାଁ ଲୋକେ ଅଭିଯୋଗ କରିଛନ୍ତି ଯେ, ରାତି ଅଧରେ ପୁଲିସ୍ ସେମାନଙ୍କ ଘର କବାଟ ଭାଙ୍ଗି ସୁନା ଅଳଙ୍କାର ଲୁଟ୍ କରିଛି, ମହିଳାଙ୍କୁ ଅସଦାଚରଣ କରିଛି । ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ମାଥିଲି ଏସ୍ଡିପିଓ ଶୁଭେନ୍ଦୁ କୁମାର ପାତ୍ର । ସେ କହିଛନ୍ତି, ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି । ନିଦେ୍ର୍ଧଶ ମୁତାବକ ଆଗାମୀ ପଦକ୍ଷେପ ନିଆଯିବ ।
ଏସ୍ଡିପିଓ ଶ୍ରୀ ପାତ୍ରଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ସାଢେ ୭ଟା ବେଳେ ମାଲକାନଗିରି, ମାଥିଲି ଓ ଗୋବିନ୍ଦପାଲ୍ଲୀ ପୁଲିସ୍ ପକ୍ଷରୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ର ମାଟିଖାଲ ଗାଁରେ ଗଞ୍ଜେଇ ଚଢଉ କରାଯାଇଥିଲା । ତାଙ୍କ ନେତୃତ୍ୱରେ ମହିଳାଙ୍କୁ ମିଶାଇ ପ୍ରାୟ ୪୦ଜଣ ପୁଲିସ୍ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ମାଟିଖାଲ ଗାଁରେ ପହଞ୍ଚିବା ପରେ ମାଛକୁଣ୍ଡ ପୁଲିସ୍ ସହ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ତାହା ସମ୍ଭବ ହୋଇନଥିଲା । ଗାଁରେ ବିପୁଳ ଗଞ୍ଜେଇ ରହିଥିବା ଖବର ଥିବାରୁ ଚଢଉ କରାଯାଇଥିଲା । ଗାଁର କେତେକ ପୁରୁଷ ଓ ମହିଳାଙ୍କୁ ପ୍ରଥମେ ଡକାଯାଇଥିଲା । ପୁଲିସ୍ ପରିଚୟ ଦିଆଯାଇ ଘରେ ଗଚ୍ଛିତ ରଖିଥିବା ଗଞ୍ଜେଇ ଆଣିବାକୁ କୁହାଯାଇଥିଲା । କେତେକ ଲୋକ ନିଜ ଇଚ୍ଛାରେ ବିପୁଳ ଗଞ୍ଜେଇ ଆଣିଥିଲେ । ଅନ୍ୟ କେତେକ ଏହାକୁ ବିରୋଧ କରିଥିଲେ । ସେମାନଙ୍କୁ ବୁଝାସୁଝା ବେଳେ ହଠାତ୍ ଗାଁର କେତେକ ଲୋକ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଆକ୍ରମଣ ଉଦ୍ୟମ କରିଥିଲେ । ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଆଖିରେ ରଖି ପୁଲିସ୍ ସେଠାରୁ ବାହାରି ଆସିବାକୁ ଚେଷ୍ଟା କରିଥିଲା । କିନ୍ତୁ ଗାଁ ଲୋକେ ଗୋଡେ଼ଇ ଗୋଡେ଼ଇ ଢେଲାମାଡ଼ କରିଥିଲେ । ମୁଖ୍ୟରାସ୍ତା ଅବରୋଧ କରିଥିଲେ । ସେମାନଙ୍କ ହାତରେ ମାରଣାସ୍ତ୍ର ଦେଖି ପୁଲିସ୍ ଫାଙ୍କା ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିଲା । ସମସ୍ତ କର୍ମଚାରୀ ଜୀବନ ବଞ୍ଚାଇ ଫେରି ଆସିଥିଲେ ହେଁ, ପ୍ରଦୀପଙ୍କୁ ଗାଁ ଲୋକେ ନିଜ କବ୍ଜାକୁ ନେଇଯାଇଥିଲେ । ଏ ସମ୍ପର୍କରେ କୋରାପୁଟ ଏସ୍ପି ଜି. ବରୁଣଙ୍କୁ ଖବର ଦିଆଯିବା ପରେ ସେ ମାଛକୁଣ୍ଡ ଥାନାକୁ ଜଣାଇଥିଲେ । ମାଛକୁଣ୍ଡ ପୁଲିସ୍ ପହଞ୍ଚି ରାତି ପ୍ରାୟ ଗୋଟାଏ ବେଳେ ପ୍ରଦୀପଙ୍କୁ ଉଦ୍ଧାର କରିଥିଲା ।
ମାଟିଖାଲ ଗାଁ ଲୋକେ ଆଜି ମାଛକୁଣ୍ଡ ଥାନାରେ ପୁଲିସ୍ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲାରେ ସେମାନେ ଦର୍ଶାଇଛନ୍ତି ଯେ, ପୁଲିସ୍ ବେଶରେ ଡକାୟତମାନେ ପଶିଥିବା ସେମାନେ ଆଶଙ୍କା କରିଥିଲେ । ତେଣୁ ମିଳିତ ଭାବେ ଏହାର ପ୍ରତିବାଦ କରିଥିଲେ । ତଥାପି ପୁଲିସ୍ କର୍ମଚାରୀମାନେ କେତେକଙ୍କ ଘରୁ ସୁନା ଅଳଙ୍କାର ଲୁଟି ନେବା ସହ ମହିଳାଙ୍କୁ ଅସଦାଚରଣ କରିଥିଲେ । ଏଭଳି ଅଭିଯୋଗକୁ ଏସ୍ଡିପିଓ ଶ୍ରୀ ପାତ୍ର ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons