ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ପ୍ରବଳ ବିରୋଧ:ଝାରପଡ଼ାରେ ପୁଲିସ-ଦୋକାନୀ ଧସ୍ତାଧସ୍ତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାତି ୯ଟାରେ ନୋଟିସ୍ ଦେଲେ । ରାତି ନ ପାହୁଣୁ ଭୋରରୁ ଆସି ଭାଙ୍ଗିଲେ । ସବୁକିଛି ଚୁରମାର୍ କରିଦେଲେ । ଦୋକାନରୁ ଜିନିଷ କାଢିବା ପାଇଁ ବି ସମୟ ଦେଲେନି । ଏସ୍କାଭେଟର ଥୋଡ଼ରେ ମାଟିରେ ମିଶିଲା ଝାରପଡ଼ା ଗଣେଶ ମଣ୍ଡପ ହାଟ । ଏହି ଉଚ୍ଛେଦ ପରେ ୨୦୦ରୁ ଅଧିକ ଦୋକାନୀ ବେସାହାରା ହୋଇଛନ୍ତି । ଉଚ୍ଛେଦକୁ ବିରୋଧ କରି ଦୋକାନୀମାନେ ତାତିଥିଲେ । ଏସ୍କାଭେଟର ଆଗରେ ଶୋଇ ରହି ଜୋର୍ଦାର ବିରୋଧ କରିଥିଲେ । କିଛି ସମୟ ପାଇଁ ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା । ପୁଲିସ ଓ ଦୋକାନୀଙ୍କ ଭିତରେ ଧସ୍ତାଧସ୍ତି ଚାଲିଥିଲା । ଏହି ଅଞ୍ଚଳରେ ନିର୍ବାଚନରେ ହାରିବା ରାଗରେ ଶାସକ ଦଳ ଦୋକାନ ଭାଙ୍ଗି ରାଗ ସୁଝାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ ।
୨୦୦୮ ମସିହାରୁ ଝାରପଡ଼ାରେ ଥିବା ସରକାରୀ ଜାଗାରେ ହାଟ ତିଆରି ହୋଇଥିଲା । ପ୍ରାୟ ୨୦୦ରୁ ଅଧିକ ବ୍ୟବସାୟୀ ଏହା ଉପରେ ନିର୍ଭର କରି ପରିବାର ଚଳାଉଥିଲେ । ୨୦୨୧ ମସିହାରେ ସାଧାରଣ ପ୍ରଶାସନ ବିଭାଗ ବିିଡିଏକୁ ଏହି ଜମି ହସ୍ତାନ୍ତର କରିଥିଲା । ବିଡିଏ ଏଠାରେ ଏକ ମାର୍କେଟ କମ୍ପେ୍ଲକ୍ସ କରିବା ପାଇଁ ଯୋଜନା କରିଥିଲା । ତେବେ ବେଆଇନ ଭାବେ ତିଆରି ଦୋକାନକୁ ହଟାଯାଇଛି ବୋଲି ବିଡିଏ ସଫେଇ ରଖିଛି ।
ଗତକାଲି ରାତିରେ ବିଡିଏ ହଠାତ୍ ଦୋକାନ ଭାଙ୍ଗିବା ପାଇଁ ନୋଟିସ୍ ଦେଇଥିଲା । ସକାଳୁ ସକାଳୁ ପୁଲିସ ଫୋର୍ସ ସହ ବିଡିଏ ଏବଂ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ପହଞ୍ଚି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ଉଚ୍ଛେଦ ଖବର ଶୁଣି ଶତାଧିକ ଦୋକାନୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଏପରି କି ଦୋକାନ ଭିତରେ ଜିନିଷପତ୍ର ଥିବା ବେଳେ ହଠାତ୍ ଭାଙ୍ଗିବାକୁ ନେଇ ପ୍ରଶାସନକୁ ଘେରିଥିଲେ ବ୍ୟବସାୟୀ । ତରବରିଆ ନୋଟିସ୍ ଦେଇ ଦୋକାନ ଭାଙ୍ଗିବା ପଛର କାରଣକୁ ନେଇ ଲୋକେ ତାତିଥିଲେ ।
ଦୋକାନ ଆଗରେ ଶୋଇ ରହି ପ୍ରତିବାଦ କରିଥିଲେ । ଫଳରେ ପୁଲିସ ଏବଂ ଦୋକାନୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । କିଛି ଦୋକାନୀ ଝାରପଡା ଓଭରବ୍ରିଜ୍ ରାସ୍ତାକୁ ଅବରୋଧ କରିଥିଲେ । ଦୁଇ ଘଣ୍ଟା ଧରି ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ । ପ୍ରବଳ ବିରୋଧ ପରେ ପୁଲିସ୍ ଏକାଧିକ ଦୋକାନୀଙ୍କୁ ସେଠାରୁ ଉଠାଇ ନେଇଥିଲା । ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖା ଦେଇଥିଲା । ଉଚ୍ଛେଦରେ ୩ଟି ଆଜବେଷ୍ଟସ୍ ଘର, ୯୭ଟି ଟିଣ କ୍ୟାବିନ୍, ୨୫ ପଲିଥିନ୍ ଘେରା ଦୋକାନ ସହ ୫୨ କାଠ କ୍ୟାବିନ୍ ଭାଙ୍ଗିଛି ।
ଦୋକାନ ଭଙ୍ଗାକୁ ନେଇ ବିଜେପି ଶାସକ ଦଳକୁ ଦାୟୀ କରିଛି । ଶାସକ ଦଳ ହାରିବା ପରେ ପ୍ରଶାସନକୁ ହାତ କରି ଦୋକାନ ଭଙ୍ଗିଥିବା ଅଭିଯୋଗ ଆଣିଥିଲା । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ବିଜେପି ନେତ୍ରୀ ସୁନୀତି ମୁଣ୍ଡ୍ଙ୍କ ନେତୃତ୍ୱରେ ବିଜେପିର ବହୁ କର୍ପୋରେଟର ଓ କର୍ମୀ ଦୋକାନୀଙ୍କ ସହ ମିଶି ଉଚ୍ଛେଦକୁ ବିରୋଧ କରିଥିଲେ । ଦୋକାନୀଙ୍କୁ ଅନ୍ୟତ୍ର ଥଇଥାନ ନ କରି ଜୋର ଜବରଦସ୍ତ ଭାଙ୍ଗିବାକୁ ସେମାନେ ପ୍ରତିବାଦ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons