ଗାଙ୍ଗପୁର ଥାନା ଆଇଆଇସି ମୃତୁ୍ୟ ଘଟଣା:ଜିରୋ ରେଞ୍ଜରୁ ଫୁଟିଥିଲା ଗୁଳି

Get real time updates directly on you device, subscribe now.

ଗଞ୍ଜାମ,(ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କଠାରୁ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତୁ୍ୟ ଉପରୁ ଏବେ ବି ପରଦା ହଟିପାରୁନି । ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସେ ଆତ୍ମହତ୍ୟା କରିଥିଲେ ନା ଦୁର୍ଘଟଣାଜନିତ ଗୁଳି ଫୁଟି ତାଙ୍କର ମୃତୁ୍ୟ ହୋଇଛି ଅସ୍ପଷ୍ଟ ରହିଛି । ଜିରୋ ରେଞ୍ଜ୍ରୁ ଗୁଳି ଫୁଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇସାରିଛି । ଜଣେ ଇନ୍ସପେକ୍ଟରଙ୍କ ମୃତୁ୍ୟ ଘଟଣା ହୋଇଥିବାରୁ ଗୁରୁତ୍ୱ ଦେଇ ଏମ୍କେସିଜି ଏଫ୍ଏମ୍ଟି ବିଭାଗ ଡାକ୍ତର ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଶନିବାର ରିପୋର୍ଟ ପୁଲିସକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଏମ୍କେସିଜି ଏଫ୍ଏମ୍ଟି ବିଭାଗ ପ୍ରଫେସର ଡା.ସୁଦୀପା ଦାସ । ଶବ ବ୍ୟବଚ୍ଛେଦରେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ମୃତୁ୍ୟ ହୋଇଥିବା ସ୍ପଷ୍ଟ ହୋଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ଦୁର୍ଘଟଣା ଜନିତ ଗୁଳି ଫୁଟିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳର ପାରିପାଶ୍ୱର୍ିକ ସ୍ଥିତି ଅନୁଧ୍ୟାନ ଏବଂ ସାଇଣ୍ଟିଫିକ୍ ସ୍ଥିତି ଦେଖିବା ପରେ ହିଁ ଗୁଳି କେମିତି ଫୁଟିଛି ଜଣାପଡିବ ବୋଲି କହିଛନ୍ତି ଏଫ୍ଏମ୍ଟି ବିଭାଗ ଆସୋସିଏଟ୍ ପ୍ରଫେସର ଡା.କିରଣ ପଟ୍ଟନାୟକ ।
ଇନ୍ସପେକ୍ଟର ଦେବ କୁମାର ଗମାଙ୍ଗଙ୍କୁ ଜିରୋ ରେଞ୍ଜ୍ରୁ ଗୁଳି ବାଜିବା ପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଛି । ଯାହାଫଳରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡୁଛି । ଦେବ ଗମାଙ୍ଗ ନିଜେ କିମ୍ବା ଦୁର୍ଘଟଣାବଶତଃ ଗୁଳି ଫୁଟିବା ଫଳରେ ଅଣ୍ଟା ତଳକୁ ଗୁଳି ବାଜିଥିଲା । ଅଣ୍ଟାତଳକୁ ଗୁଳି ବାଜିଲେ ସାଧାରଣତଃ କାହାର ମୃତୁ୍ୟ ହୋଇନଥାଏ । କିନ୍ତୁ ଦେବ କୁମାର ଗମାଙ୍ଗଙ୍କୁ ଗୁଳି ଶରୀରକୁ ଯିବା ପରେ ହାଡ଼କୁ ବାଜିଥିଲା ଏବଂ ଗୁଳିର ଦିଶା ବଦଳିଯାଇଥିଲା । ଯାହାଫଳରେ ତାଙ୍କର ମୂତ୍ରାଶୟ ଫାଟିଯିବା ସହ ରକ୍ତନାଡି ମଧ୍ୟ କଟି ଯାଇଥିଲା । ପ୍ରବଳ ରକ୍ତସ୍ରାବ ହୋଇ ତାଙ୍କର ମୃତୁ୍ୟ ହୋଇଥିଲା ବୋଲି ଡା. ପଟ୍ଟନାୟକ କହିଛନ୍ତି । ଦୁର୍ଘଟଣାବଶତଃ ଗୁଳି ଫୁଟିଛି ନା ସେ ନିଜେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତୁ୍ୟକୁ ନେଇ ସେହି ଥାନାରେ ହିଁ ମାମଲା ରୁଜୁ ହୋଇଛି । ଏଚ୍ଆର୍ପିସି ଡିଏସ୍ପି ସାମୁଏଲ୍ ପ୍ରଧାନ ଏହାର ତଦନ୍ତ କରୁଛନ୍ତି । ସେହିଦିନ ଇନ୍ସପେକ୍ଟର ଗମାଙ୍ଗଙ୍କ ରିଭରଭଲ୍ ଜବତ ହୋଇଛି । ଏଥିରେ କାହାର ଫିଙ୍ଗରପ୍ରିଣ୍ଟ କାହାର ଅଛି ତଦନ୍ତ ପରେ ହିଁ ଜଣାପଡିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ପହଞ୍ଚିବା ପରେ ପୁଲିସ କ’ଣ ପଦକ୍ଷେପ ନେଉଛି ତାହା ଦେଖାଯିବ ।
ସେପଟେ ଗାଙ୍ଗପୁର ଥାନା ଆଇଆଇସି ମାନସିକ ଦୁଶ୍ଚିନ୍ତାରେ ଥିବା ପୂର୍ବରୁ ଜଣାଥିଲା । କିନ୍ତୁ ଏଭଳି ଅବସ୍ଥାରେ ତାଙ୍କୁ ଡୁ୍ୟଟି କାହିଁକି ଦିଆଯାଉଥିଲା ତାକୁ ନେଇ ମଧ୍ୟ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି । ୨୦୧୯ରୁ ଜଣେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ଚିକିତ୍ସିତ ହେଉଥିବା ଜଣାଥିଲେ ମଧ୍ୟ ତାଙ୍କୁ କିଭଳି ଗୋଟିଏ ଥାନାରେ ଆଇଆଇସି କରାଗଲା । ତାଙ୍କ ସ୍ତ୍ରୀ ଓ ମାଆ ଘଟଣାର ୧୦ଦିନ ପୂର୍ବରୁ ଅର୍ଥାତ୍ ୧୬ତାରିଖରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଜଣାଇଛନ୍ତି ଏବଂ ଦେବ କୁମାର ଗମାଙ୍ଗଙ୍କୁ ଛୁଟିରେ ଛାଡିବାକୁ କହିଛନ୍ତି । ତଥାପି ଛୁଟିରେ କାହିଁକି ଛଡାଗଲା ନାହିଁ ତାହା ମଧ୍ୟ ଏଠାରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ମାର୍ଚ୍ଚ ୨୫ତାରିଖରେ ଏହି ଘଟଣା ଘଟିଥିଲା । ସେହିଦିନ ଆଇଆଇସିଙ୍କ ଭଉଣୀ ବିଷ୍ଣୁପ୍ରିୟା ଗମାଙ୍ଗ ଏସ୍ଡିପିଓ ଶୁଭ୍ରାଂଶୁ ଶେଖରଙ୍କ ସହ ଫୋନ୍ରେ କଥା ହୋଇଯାଇଛନ୍ତ ଯାହାର ଅଡିଓ ଭାଇରାଲ୍ ହେଉଛି । ଏହି ଅଡିଓରେ ବିଷ୍ଣୁପ୍ରିୟା କହୁଛନ୍ତି, ଦେବ ମାନସିକ ଭାରାକ୍ରାନ୍ତ ହୋଇ ହାତରେ ରିଭରଭଲ ଧରିଛନ୍ତି । ମୁଁ ଆଉ ରହିବିନି ଏମିତି କ’ଣ କ’ଣ କହୁଛନ୍ତି । ତା’ପାଖକୁ କାହାକୁ ପଠାନ୍ତୁ । ମାଆ କ୍ୱାର୍ଟରରେ ଏକା ଅଛି ବୋଲି କହୁଥିବାର ଅଡିଓ ଭାଇରାଲ୍ ହୋଇଛି । ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ଫୋନ୍ରେ ଆଇଆଇସି ଗମାଙ୍ଗଙ୍କ ସହ ମଧ୍ୟ କଥା ହୋଇଛନ୍ତି । କଥା ହେବା ସମୟରେ ଛୁଟି ମଞ୍ଜୁର ହୋଇଛି, ସର୍ଭିସ୍ ରିଭରଭଲ ଦେଇ ଗାଁକୁ ବୁଲି ଆସିବାକୁ କହୁଛନ୍ତି । ଆଇଆଇସିଙ୍କ ସ୍ତ୍ରୀ କିରଣ ମହାନ୍ତି ଦେବଙ୍କ ସହ ମଧ୍ୟ ଏସ୍ଡିପିଓ ଶୁଭା୍ରଂଶୁ ଶେଖର କଥା ହୋଇଛନ୍ତି । ଶୀଘ୍ର ଆସି ଦେବକୁ ଏଠାରୁ ନେଇ ଚିକିତ୍ସା କରାଇବାକୁ କହିଛନ୍ତି । ତେବେ ଇନ୍ସପେକ୍ଟରଙ୍କ ମୃତୁ୍ୟ ଉପରୁ ପୁଲିସ ହିଁ ପରଦା ହଟାଇ ପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons