ଗୁଳିମାଡ଼ରେ ପୂର୍ବତନ ୱାର୍ଡସଭ୍ୟଙ୍କ ମୃତୁ୍ୟ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ପୋଖରୀ ଖୋଳା ଓ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କନ୍ଧମାଳ ଗ୍ରାମରେ ଘଟିଛି ତୁମୁଳକାଣ୍ଡ । ଗୁଳିମାଡ଼ରେ ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଦଳେଇ ନାୟକ (୫୬)ଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ଗାଁ’ ଦାଣ୍ଡରେ ଅତି ନିକଟରୁ ଦେଶୀବନ୍ଧୁକରୁ ଗୁଳିମାଡ଼ କରାଯାଇଛି । ଗୁଳିମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ୩ ବର୍ଷର ଶିଶୁପୁତ୍ରକୁ ଧରି ବିଲମାଳ ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଛି । କଟୁରୀ ଚୋଟରେ ଉଭୟ ମା’ ଓ ପୁଅ ଗୁରୁତର ହୋଇଛନ୍ତି । ନାରକୀୟ କାଣ୍ଡ ଘଟାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଗଠିତ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପୁଲିସ୍ ସନେ୍ଦହରେ ଜଣକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଗ୍ରାମରେ ଉତ୍ତେଜନା ଦେଖାଦେଇଥିବା ବେଳେ ଗୋଟିଏ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିଛନ୍ତି ।
ପୁଲିସ୍ ସୂଚନା ଅନୁସାରେ, ଗେଙ୍ଗୁଟିଆ ପଞ୍ଚାୟତ କନ୍ଧମାଳ ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏକ ପୋଖରୀ ଖୋଳା ଚାଲିଛି । ଗ୍ରାମର ନୃପତି ନାୟକ ଓରଫ୍ ନରୁ (୩୬) ଏହି ପୋଖରୀର ଠିକାକାମ କରୁଛନ୍ତି । ସେ ଜଣେ ବିଜେଡି ସମର୍ଥକ ଓ ପୂର୍ବରୁ ୱାର୍ଡମେମ୍ବର ମଧ୍ୟ ରହିଥିଲେ । ପୋଖରୀର ଜମି ଓ ସ୍ଥାନ ନିର୍ଦ୍ଧାରଣକୁ ନେଇ ପୂର୍ବରୁ ବିବାଦ ରହିଥିଲା । ଏଥିସହିତ ପୋଖରୀରୁ ଉଠୁଥିବା ମାଟି ଟିପ୍ପର ସାହାଯ୍ୟରେ ଗାଁ ରାସ୍ତା ଦେଇ ପରିବହନ କରାଯାଉଥିବାରୁ ରାସ୍ତା କାଦୁଅ ହେଉଥିଲା । ଏହାର ପ୍ରତିବାଦ କରିଥିଲେ ନୃପତିଙ୍କ ସଂପର୍କୀୟ ଦାଦା ତଥା ପୂର୍ବତନ ୱାର୍ଡସଭ୍ୟ ଦଳେଇ ନାୟକ । ଦଳେଇଙ୍କ ବୋହୂ ପଙ୍କଜିନୀ ନାୟକ ଏଥର ନିର୍ବାଚନରେ ୱାର୍ଡସଭ୍ୟ ନିର୍ବାଚିତ ହୋଇଛନ୍ତି । ତେଣୁ ଗ୍ରାମ୍ୟ ରାସ୍ତାରେ ମାଟି ପରିବହନ ବନ୍ଦ କରିବାକୁ ଗ୍ରାମର ଲୋକେ ଦଳେଇଙ୍କ ପରିବାରକୁ ଅନୁରୋଧ କରିଥିଲେ । ଗ୍ରାମବାସୀଙ୍କ ବାରଣ ସତ୍ତେ୍ୱ ବି ନୃପତି ଗାଁ’ ରାସ୍ତା ଦେଇ ମାଟି ପରିବହନ ଜାରି ରଖିଥିଲେ । ରବିବାର ସକାଳେ ଟ୍ରାକ୍ଟର ଗାଁ ରାସ୍ତା ଦେଇ ମାଟି ପରିବହନ କରୁଥିବା ବେଳେ ଦଳେଇ ଏହାର ପ୍ରତିବାଦ କରିଥିଲେ । ଗାଁ’ ବାହାର ରାସ୍ତାରେ ମାଟି ନେବାକୁ ଦଳେଇ ପରାମର୍ଶ ଦେଇଥିବା ବେଳେ ମାଟି ବୋଝେଇ ଗାଡ଼ି ଗାଁ ରାସ୍ତା ଦେଇ ଯିବ ବୋଲି ନୃପତି ଜିଦ୍ ଧରିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା ।
ଏହାର କିଛି ସମୟ ପରେ ସକାଳ ପ୍ରାୟ ସାଢେ଼ ୭ଟା ସମୟରେ ନୃପତିଙ୍କ ସମେତ ତାଙ୍କ ଭାଇ ନିରଞ୍ଜନ, ନରହରି, ବାପା ଅଭିମନୁ୍ୟ , ସମ୍ପର୍କୀୟ ଭାଇ ବେଣୁଧର ନାୟକ, ମାନସ ନାୟକ ପ୍ରମୁଖ ମାରଣାସ୍ତ୍ର ଧରି ଦଳେଇଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ । ଦଳେଇଙ୍କ ସହ ଯୁକ୍ତିତର୍କ କରିଥିଲେ । ବିରୋଧ କରିବାରୁ ନୃପତି ଧରିଥିବା ଦେଶୀବନ୍ଧୁକରୁ ଦଳେଇଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଏକକାଳୀନ ୭ଟି ଗୁଳି ଦଳେଇଙ୍କ ଛାତି ଓ ବାମହାତରେ ବାଜିଥିଲା । ଗୁଳିମାଡ଼ରେ ଘଟଣାସ୍ଥଳରେ ଦଳେଇ ଟଳିପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗୁଳିମାଡ଼ କରି ନୃପତିଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାର କିଛି ସମୟ ପରେ ନୃପତିଙ୍କ ପତ୍ନୀ ସାରଥୀ ନାୟକ (୩୦) ନିଜର ୩ ବର୍ଷର ଶିଶୁପୁତ୍ର ନୀତିନ୍ଙ୍କୁ ସାଙ୍ଗରେ ଧରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ି ଲହୁଲୁହାଣ ହୋଇଥିଲେ । ଉଭୟ ମା ଓ ପୁଅଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ବେଳେ ସେମାନଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଦଳେଇଙ୍କ ସାନପୁଅ ତପନ ନାୟକ ଏକ ଧାରୁଆ କଟୁରୀରେ ଉଭୟଙ୍କୁ ଆକ୍ରମଣ କରିଥିବା ସାରଥୀ ପ୍ରକାଶ କରିଛନ୍ତି । ଏଥିସହ ଗ୍ରାମରେ ତାଙ୍କର ରହିଥିବା ଏକ ଦୋକାନରେ ପଶି ବ୍ୟାପକ ଭଙ୍ଗାରୁଜା କରାଯାଇଥିବା ସେ କହିଛନ୍ତି ।
ଏହି ଘଟଣା ପରେ ଗ୍ରାମରେ ସଦର ଥାନାର ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଗାଁରେ ପୁଲିସ୍ ପଇଁତରା ମାରୁଥିବା ବେଳେ ଏହାରି ଭିତରେ ଦଳେଇଙ୍କ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ରହିଥିବା ନୃପତିଙ୍କ ଭାଇ ତଥା ଅନ୍ୟତମ ଅଭିଯୁକ୍ତ ନିରଞ୍ଜନଙ୍କ ଚାଳଘରେ କେହି ନିଅାଁ ଲଗାଇ ଦେଇଥିଲେ । ଢେଙ୍କାନାଳ ଅଗ୍ନିଶମ ବାହିନୀ ନିଅାଁକୁ ଆୟତ୍ତ କରିଥିଲେ ହେଁ ଘରେ ଥିବା ବିଭିନ୍ନ ଆସବାବପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଛି । ସଦର ଥାନା ଅଧିକାରୀ ଅଭିନବ ଡାଳୁଆଙ୍କ ସମେତ ଥାନାର କର୍ମଚାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଦୁଇ ଦୁଇଟି ବଡଧରଣର ଅଘଟଣ ପରେ ଗାଁ ଏକପ୍ରକାର ପୁରୁଷଶୂନ୍ୟ ହୋଇପଡ଼ିଛି । ମହିଳାମାନେ ଭୟରେ ପଦାକୁ ବାହାରୁ ନାହାନ୍ତି । ଆଇନ୍ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ୍ ଫୋର୍ସ ଗାଁରେ ମୁତୟନ ରହିଛନ୍ତି । ମୃତକଙ୍କ ବଡ଼ପୁଅ ଦୀପକ ନାୟକଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ୩୦୨, ୩୪ ଆଇପିସି, ୨୫-୨୭ ଆର୍ମସ ଆକ୍ଟ ବଳରେ ପୁଲିସ୍ ମାମଲା ରୁଜୁ କରିଛି । ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ଗ୍ରାମରେ ପହଞ୍ଚି ତଦନ୍ତକୁ ଜୋର୍ଦାର କରିଛନ୍ତି । ଅପରାହ୍ନରେ ମୃତଦେହ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଦଳେଇଙ୍କ ଶରୀରରୁ ୭ଟି ଗୁଳି ବାହାରି ଥିବା ଜଣାପଡ଼ିଛି । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ବେଣୁଧର ନାୟକକୁ ସଦର ଥାନା ପୁଲିସ୍ ଅଟକ ରଖି ପଚରାଉଚୁରା କରୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତ ଏବଂ ପ୍ରତିପକ୍ଷ ମା ଓ ପୁଅଙ୍କୁ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ କର୍ତ୍ତୃପକ୍ଷ ୩ଟି ଗଠନ କରିଛନ୍ତି । ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ଟିମ୍ଗୁଡିକର ନେତୃତ୍ୱ ନେଉଛନ୍ତି । ଏହି ଟିମ୍ ଜିଲ୍ଲା ସମେତ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons