ଗୁଳିମାଡ଼ କରି ଅପହରଣ ମାମଲା:ଜେଲ୍ ଗଲେ ଆଉ ୨ ଅଭିଯୁକ୍ତ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଗୁଳିମାଡ଼ କରି ଯୁବକଙ୍କୁ ଅପହରଣ ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଟାଉନ ପୁଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ କୋରାପୁଟ ଟିକ୍ରାସାହିର ଗୌତମ ଟାକ୍ରି(୩୨) ଏବଂ ଓଏମ୍ପି ଅଞ୍ଚଳର ଦୀପକ ଖରା(୨୪) । ସେମାନଙ୍କ ପାଖରୁ ଆକ୍ରମଣରେ ବ୍ୟବହୃତ ଏକ ସାଇଜ୍ କାଠ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଏସଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି । ଏହି ମାମଲାର ଜଣେ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଗିରଫଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଫେରାର ଥିବା ଅନ୍ୟ ୫ ଜଣଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।
ସ୍ଥାନୀୟ ଟାଉନ ଥାନାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବେହେରା କହିଛନ୍ତି, ଗୌତମ ପୁଲିସ ଆଖିରେ ଧୂଳିଦେଇ ଭୁବନେଶ୍ୱରରେ ରହୁଥିଲା । ଏସ୍ଆଇ ସିଦ୍ଧାନ୍ତ ବେହେରା ଏବଂ ଟିମ୍ ଭୁବନେଶ୍ୱରରେ ପହଞ୍ଚି ତାକୁ କାବୁ କରିଥିଲେ । ୭ ତାରିଖ ସନ୍ଧ୍ୟାରେ ଟିମ୍ ଏଠାରେ ପହଞ୍ଚିଥିଲା । ସେହିପରି ଦୀପକକୁ କୋରାପୁଟରୁ ଧରାଯାଇଥିଲା । ପଚରାଉଚରା ବେଳେ ମାମଲାରେ ତା’ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିଲା । ତଦନ୍ତ ବେଳେ ଉଭୟଙ୍କ ପାଖରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଗୌତମ ନାଁରେ କୋରାପୁଟ ଥାନାରେ ୩ଟି ମାମଲା ରହିଛି । ସେ ଭିତରେ ରହିଛି ନିଜ ସ୍ତ୍ରୀକୁ ହତ୍ୟା, ଗଣ୍ଡଗୋଳ, ମରଣାନ୍ତକ ଆକ୍ରମଣ ଭଳି ସଙ୍ଗୀନ ମାମଲା । ଅନ୍ୟ ଥାନାରେ ତା’ ନାଁରେ ମାମଲା ରହିଛି କି ନା, ସେ ସମ୍ପର୍କରେ ଯାଞ୍ଚ ଚାଲିଛି । ଦୀପକ ନାଁରେ ଏହା ପୂର୍ବରୁ କୌଣସି ମାମଲା ଥିବା ଜଣାପଡିନି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସଡିପିଓ ଶ୍ରୀ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ମାର୍ଚ୍ଚ ୧୯ ଅପରାହ୍ନ ୪ଟାରେ ଗୋପବନ୍ଧୁନଗରର କାର୍ତ୍ତିକ ନାଗ ସାଙ୍ଗମାନଙ୍କ ସହ ୨ଟି ବାଇକ୍ରେ ଗାନ୍ଧିଛକ ଆଡେ଼ ଯାଉଥିଲେ । ଏହି ସମୟରେ ଉମୁରୀର ସଞ୍ଜୟ ସୁନା ଏବଂ ଅନ୍ୟମାନେ କାର୍ତ୍ତିକଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଗୁଳିଟି ଦେହରେ ନବାଜି ବାଇକ୍ରେ ବାଜିଥିଲା । ପରେ ଆକ୍ରମଣକାରୀମାନେ କାର୍ତ୍ତିକଙ୍କୁ ଅପହରଣ କରି ହାତୁଡ଼ି ଭଳି ସମଗ୍ରୀରେ ମାଡ଼ମାରି କୁମୁଲିପୁଟ ଡାକ୍ତରଖାନା ପାଖରେ ପକାଇ ଫେରାର ହୋଇଯାଇଥିଲେ । ଖବର ପାଇ ପୁଲିସ କାର୍ତ୍ତିକଙ୍କୁ ଉଦ୍ଧାର କରିଥିଲା । ୨୦ ତାରିଖରେ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ସ୍ଥାନୀୟ ଲିଙ୍ଗରାଜନଗରର ଚନ୍ଦ୍ରସାଇ ସଗରିଆ(୪୨), କୁମୁଲିପୁଟର ପ୍ରଶାନ୍ତ ଖରା(୨୯), ଅଜୟ ହରିଜନ(୨୫) ଏବଂ କୋରାପୁଟ ଏଲ୍ଆଇସି କଲୋନିର ରାକେଶ ଦାଶ(୩୦) । ଘଟଣାରେ ବ୍ୟବହୃତ ଗୋଟିଏ କାର୍ ଏବଂ ୨ଟି ବାଇକ୍କୁ ଜବତ କରାଯାଇଥିଲା । ୩୦ ତାରିଖରେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ସୁନା ସ୍ଥାନୀୟ ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲା । ତାକୁ ୨ ଦିନିଆ ରିମାଣ୍ଡରେ ନେବା ଲାଗି ମାନ୍ୟବର କୋର୍ଟ ପୁଲିସକୁ ଅନୁମତି ଦେଇଛନ୍ତି । ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ଏହାକୁ ଅରେଞ୍ଜ ପ୍ଲାଗ୍ କାଟେଗୋରିରେ ସାମିଲ କରାଯାଇଛି । ପୂର୍ବତନ ତଦନ୍ତକାରୀ ଅଧିକାରୀ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳଙ୍କ ବଦଳରେ ଏସଡିପିସ ଶ୍ରୀ ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons