ଗୋଚାଲାଣକୁ ବିରୋଧ କରିବାରୁ ଗୁଳିମାଡ଼!

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ଆପ୍ର): ବେଆଇନ ଗୋଚାଲାଣକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ଶନିବାର ଅପରାହ୍ନରେ ଦୁଇ ରାଉଣ୍ଡ ଗୁଳି ଫୁଟିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବଜରଙ୍ଗ ଦଳର ମହାକାଳପଡ଼ା ବ୍ଲକ୍ ସହସଂଯୋଜକ ଲକ୍ଷ୍ମଣ ମଲିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଡାହାଣ ପାଦରେ ଗୁଳି ବାଜିଛି । ଚିକିତ୍ସା ଲାଗି ଲକ୍ଷ୍ମଣଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମହାକାଳପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ଛାନ୍ଭିନ୍ ଚଳାଇଛି ।
ଲକ୍ଷ୍ମଣଙ୍କ ଘର ମାର୍ଶାଘାଇ ବ୍ଲକ୍ ଅଧୀନ କଣିପଡ଼ା ଗ୍ରାମରେ । ଆଜି ବାରଡାଙ୍ଗରେ କୌଣସି ଏକ ପାରିବାରିକ ଜମିଜମା ବିବାଦ ମାମଲାରେ ଲକ୍ଷ୍ମଣଙ୍କ ସମେତ ବଜରଙ୍ଗ ଦଳର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ମହାକାଳପଡ଼ାକୁ ଆସିଥିଲେ । ମହାକାଳପଡ଼ା ଥାନାରେ ଏନେଇ ଆଲୋଚନା କରିବା ପରେ ସେମାନେ ମହାକାଳପଡ଼ା ବନ୍ଧ ତଳେ ଥିବା ଏକ ହୋଟେଲରେ ଅପରାହ୍ନ ପ୍ରାୟ ସାଢେ଼ ୪ଟା ବେଳେ ଖାଉଥିଲେ । ସେମାନେ ୧୦ରୁ ଅଧିକ ସଦସ୍ୟ ଥିବା ବେଳେ ଲକ୍ଷ୍ମଣଙ୍କ ସମେତ ଅନ୍ୟ ୩ଜଣ ଖାଉଥିଲେ । ଅବଶିଷ୍ଟ ସଦସ୍ୟ ହୋଟେଲ ବାହାରେ ଥିଲେ । ଏହି ସମୟରେ ଏକ ବୁଲେଟ୍ ଓ ଏଫ୍ଜେଡ୍ ଗାଡ଼ିରେ ବସିଥିବା ୬ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚି ବଜରଙ୍ଗ ଦଳର କର୍ମକର୍ତ୍ତା ରାକେଶ ମହାପାତ୍ରଙ୍କ ଭାଇ ବାପିଙ୍କୁ ଖୋଜିଥିଲେ । ହୋଟେଲ ବାହାରେ ଥିବା ବଜରଙ୍ଗ ଦଳର ଅନ୍ୟ ସଦସ୍ୟମାନଙ୍କୁ ‘ଖେଲା ହବେ’ ବୋଲି କହି ଧମକ ଦେବା ସହ ସେମାନଙ୍କୁ ଚିଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ବାହାରେ ବସିଥିବା ସଦସ୍ୟମାନେ ହୋଟେଲ ଭିତରେ ଖାଉଥିବା ଲକ୍ଷ୍ମଣ ଓ ତାଙ୍କ ବନ୍ଧୁମାନଙ୍କୁ ଏନେଇ ସୂଚନା ଦେଇଥିଲେ । ଲକ୍ଷ୍ମଣ ଏହା ଶୁଣି ବାହାରକୁ ଆସିବା ପରେ ସେମାନଙ୍କୁ କ’ଣ ପାଇଁ ଆସିଥିଲେ ବୋଲି ପଚାରିବାରୁ ଯୁବକମାନେ ତାଙ୍କୁ ଗାଳି କରିଥିଲେ । ସେମାନେ ଗାଡ଼ିରେ ପଳାଇବାକୁ ବାହାରିବାରୁ କାହାକୁ ଖୋଜୁଥିଲେ ବୋଲି ଲକ୍ଷ୍ମଣ ଦୋହରାଇଥିଲେ । ଏହା ପରେ ସେମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିରୁ ଗୋଟିଏ ଗୁଳି ତାଙ୍କର ଡାହାଣ ଗୋଡ଼ ପାଦରେ ବାଜିଛି । ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏନେଇ ମହାକାଳପଡ଼ା ଆଇଆଇସି ମନୋରଞ୍ଜନ ଚୌଧୁରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଘଟଣାସ୍ଥଳରେ ପହଞ୍ଚି ଏକ ଖୋକା ଜବତ କରିଛୁ । ଥାନାରେ ଏନେଇ କୌଣସି ଏତଲା ହୋଇ ନଥିବାରୁ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ । ସେମାନେ ବହୁ ଆଗରୁ ଲକ୍ଷ୍ମଣଙ୍କ ସହ ବଜରଙ୍ଗ ଦଳର ଅନ୍ୟ ସଦସ୍ୟମାନଙ୍କ ପିଛା କରୁଥିବା ଅନୁମାନ କରାଯାଉଛି । ଅନ୍ୟଥା ବଜରଙ୍ଗ ଦଳର ସଦସ୍ୟମାନେ ହୋଟେଲରେ ବସି ଖାଉଥିବା କଥା ଦୁର୍ବୃତ୍ତମାନେ କେମିତି ଜାଣିଲେ ବୋଲି ପୁଲିସ ସନେ୍ଦହ କରୁଛି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଡାକ୍ତରଖାନାର ଚିକିତ୍ସାଧିକାରୀ ଡାକ୍ତର ମାନସ ବିଶ୍ୱାଳ କହିଛନ୍ତି, ଏକ୍ସରେ ପରେ ଶରୀରରେ ଗୁଳି ଥିବା ଜଣାପଡ଼ିଛି । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉ କି ବଜରଙ୍ଗ ଦଳ ପକ୍ଷରୁ ମହାକାଳପଡ଼ା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ବେଆଇନ ଗୋଚାଲାଣକୁ ବିରୋଧ କରାଯାଉଛି । କିଛି ଦିନ ଆଗରୁ ବାହାକୁଦ ଘାଟଠାରେ ଗୋରୁ ବୋଝେଇ ଗାଡ଼ିକୁ ବିରୋଧ କରି ଗାଈମାନଙ୍କ ପଘା ଫିଟାଇ ଦିଆଯାଇଥିଲା । ବିଭିନ୍ନ ସମୟରେ ବେଆଇନ ଗୋରୁଚାଲାଣର ସେମାନେ ଦୃଢ଼ ପ୍ରତିବାଦ କରିଆସୁଛନ୍ତି । ଫଳରେ ଗୋମାଫିଆମାନଙ୍କ ପାଇଁ କଣ୍ଟା ହୋଇ ଠିଆ ହୋଇଥିଲେ ବଜରଙ୍ଗ ଦଳ କର୍ମୀ ଓ କର୍ମକର୍ତ୍ତା । ଗୋଚାଲାଣରେ ଅସୁବିଧା ହେବାରୁ ସେମାନେ କୌଣସିମତେ ସେମାନଙ୍କୁ ଭୟଭୀତ କରିବାକୁ ଚାହୁଁଥିଲେ । ଏଥିପାଇଁ ନିର୍ଦ୍ଧିଷ୍ଟ ଭାବେ ସେମାନଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons