ଘର ତିଆରି ନକରି ଠକିଦେଲେ ଠିକାଦାର

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ): ନାଁ ତାଙ୍କର ଆଶାମଣି । ବୟସର ସାୟାହ୍ନରେ ଆଶା ଟିକକ ତାଙ୍କର ସମ୍ବଳ ଥିଲା । ଆଉ ସେଇ ଆଶା କଦିଛି ଧନଦରବ ବା ଐଶ୍ୱର୍ଯ୍ୟ ପାଇଁ ନଥିଲା । ଥିଲା କେବଳ ସରକାରୀ ଯୋଜନାରେ ବାସ ଖଣ୍ଡିକ ଯୋଗାଡ଼ କରି ମୁଣ୍ଡ ଗୁଞ୍ଜିବେ । ଜୀବନର ଶେଷ ସମୟତକ ଟିକେ ଶାନ୍ତିରେ କାଟିବେ । ହେଲେ ଏସବୁ ଆଶା ତାଙ୍କର ପାଣି ଫୋଟକା ଭଳି ମିଳେଇଗଲା । ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିଥିଲା, ମାତ୍ର ଠିକାଦାର ଠକିଦେଲେ । ମୋର କିଏ ସମ୍ବଳ ଅଛି? କାହା ସହିତ ଝଗଡ଼ା କରିବି? ବଳ, ବୟସ ତ ଗଲାଣି । ଭତ୍ତା ଟଙ୍କା ଆଉ ଚାଉଳ ଯାହା ମିଳେ, ମାସ ସାରା ହୁଏନି । ତେଣୁ ଗଛମୂଳରେ ରୋଷେଇ କରେ । ଦିନରେ ପାଇଖାନା ଆଉ ରାତିରେ ପର ଓଳିରେ ମୁଣ୍ଡ ଗୁଞ୍ଜେ । କ’ଣ କରିବି ଆଉ । ବାବୁ, କଲେକ୍ଟର କାନରେ ମୋ କଥା ଟିକେ ପକାଇ ଦେବୁ ତ? ଏମିତି ଦୁଃଖ ବଖାଣିବା ବେଳେ ବିଧବା ବୃଦ୍ଧାଙ୍କ ଆଖି ଲୁହରେ ଛଳ ଛଳ ହୋଇଗଲା । ଆଶାମଣିଙ୍କ ଘର ନୀଳଗିରି ବ୍ଲକ ଅଧୀନ ମହିସାପଟ୍ଟା ପଞ୍ଚାୟତ ଗୁଜୁଡ଼ିହା ଅଞ୍ଚଳରେ । ବୟସ ୭୦ ଛୁଇଁଲାଣି । ଦିନେ କି ମାସେ ନୁହେଁ । ପ୍ରାୟ ୫ ବର୍ଷ ହେଲାଣି ତାଙ୍କ ଜୀବନ ପାଇଖାନାରେ କଟୁଛି ।
ପ୍ରାୟ ୩୦ ବର୍ଷ ହେଲାଣି, ଆଶାମଣିଙ୍କ ସ୍ୱାମୀ ରମେଶ ନାଏକ ଆରପାରିକୁ ଚାଲିଗଲେଣି । ପୁଅ ନଥିବା ବେଳେ ବହୁ କଷ୍ଟରେ କାମ ଧନ୍ଦାକରି ଏକମାତ୍ର ଝିଅକୁ ବିବାହ କରାଇଥିଲେ । ଏବେ ବୟସ ସାୟାହ୍ନରେ ପହଞ୍ଚିଥିବା ବେଳେ ଆଶାମଣି ଆଉ କାମ କରିବାକୁ ସକ୍ଷମ ହେଉନାହାନ୍ତି । ମାସକୁ ୫କିଗ୍ରା ଚାଉଳ ଓ ଭତ୍ତା ୫୦୦ ଟଙ୍କାରେ ସେ ଜୀଉଁଛନ୍ତି । ଟଙ୍କା ସରିଗଲେ ଭୋକରେ ଦିନ କଟେ । ଏତିକିବେଳେ ସରକାରୀ ଯୋଜନାରେ ତାଙ୍କୁ ଗୋଟିଏ ପକ୍କା ଘର ମିଳିଥିଲା । ଏନେଇ ୯୦ ହଜାର ଟଙ୍କା ଉଠାଇ ଜଣେ ଠିକାଦାରଙ୍କୁ ସେ ଦେଇଥିଲେ । ମାତ୍ର ଠିକାଦାର ଘର କାମ ଅଧାପନ୍ତରିଆ କରି ଛୁ ମାରିଲେ । ପାଖରେ ଚାଳ ଘରଟିକୁ ଆଶାମଣି ମରାମତି କରି ପାରିଲେ ନାହିଁ । ଫଳରେ ନିଜର ହାଣ୍ଡି, କଡେ଼ଇ ସମେତ ଅନ୍ୟାନ୍ୟ ବାସନକୁସନ ଦି ଖଣ୍ଡ ଆଣି ପାଇଖାନାରେ ସେ ରଖିଛନ୍ତି । ସେହି ପାଇଖାନା ତାଙ୍କ ଘର ପାଲଟିଛି । ଦିନବେଳେ ଗଛମୂଳରେ ସେ ରୋଷେଇ କରୁଛନ୍ତି ଓ ପାଇଖାନାରେ ବିଶ୍ରାମ ନେଉଛନ୍ତି । ପାଖରେ ଜଙ୍ଗଲ । ଭାଲୁ ଓ ହିଂସ୍ର ଜନ୍ତୁଙ୍କ ଭୟ ରହିଛି । ଜୀବନକୁ ସୁରକ୍ଷା ପାଇଁ ରାତି ହେଲେ, ସେ ପରଓଳିରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ଏମିତି କହୁ କହୁ ଆଶାମଣିଙ୍କ ଆଖିରୁ ଲୁହ ଜକେଇ ଆସିଲା । ଏଥିସହିତ ଆମ ପ୍ରତିନିଧିଙ୍କୁ ସେ ଅନୁରୋଧ କହି କହିଲେ, ଟିକେ କଲେକ୍ଟରକୁ କହିବୁ ତ? ସେ ଜାଣିଲେ, ନିଶ୍ଚୟ ମୋ ଦୁଃଖ ଶୁଣିବେ । ୫ ବର୍ଷ ହେଲା ଆଶାମଣି ଏମିତି ଦୁର୍ଦ୍ଧଶା ଭୋଗୁଥିଲେ ମଧ୍ୟ କାହାରି ନଜର ତାଙ୍କ ଉପରେ ନ ପଡ଼ିବା ଦୁଃଖଦାୟକ । ଏନେଇ ନୀଳଗିରି ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଘଟଣାକୁ ଗୁରୁତ୍ୱ ସହ ବିଚାରକୁ ନେଇଛନ୍ତି । ଘଟଣାର ତଦନ୍ତ ପାଇଁ ବିଡିଓଙ୍କୁ ନିଦେ୍ର୍ଧଶ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons