ଚନ୍ଦନେଶ୍ୱର ଚଡ଼କ ପର୍ବର ପାଟଯାତ୍ରା ସମ୍ପନ୍ନ

Get real time updates directly on you device, subscribe now.

ଚନ୍ଦନେଶ୍ୱର,(ବି.ବି.ନୁ୍ୟଜ): ଦୀର୍ଘ ୧୩ ଦିନ ଧରି ପାଳନ ହୋଇ ଆସୁଥିବା ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ପର୍ବର ମୁଖ୍ୟ ପାଟଯାତ୍ରା ବୁଧବାର ଶେଷ ହୋଇଛି । ଏହି ଅବସରରେ ଦଶ ନଖି ବେଶକୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଘଟକୁ ସାନଡଭା ଗାଁର ଗୌରୀ ଶଙ୍କର ପଣ୍ଡିତ ମୁଣ୍ଡରେ ଧାରଣ କରି ବାଡ଼ସରିଷା ହାକାଣ୍ଡ ପୋଖରୀ ନିକଟରୁ ମନ୍ଦିର ପର୍ଯ୍ୟନ୍ତ ନେଇ ଆସିଥିଲେ । ବରବରିଆ ଗାଁର ବାଦ୍ୟକାରଙ୍କ ପାରମ୍ପରିକ ବାଦ୍ୟର ତାଳେ ତାଳେ ସେବାୟତମାନେ ରାସ୍ତା ଯାକ ନାଚି ନାଚି ଆନନ୍ଦ ଉଲ୍ଲାସରେ ମନ୍ଦିରରେ ପହଞ୍ଚି ଥିଲେ । ଏହାକୁ ରାସ୍ତାର ଉଭୟ ପଟେ ଭକ୍ତମାନେ ଦର୍ଶନ କରିବା ସହିତ ଦୁଇ ହାତ ଉପରକୁ ଟେକି ହରିବୋଲ ଧ୍ୱନି ଦେଉଥିବା ଦେଖିବାକୁ ମିଳିଥିଲା । ଆଗରେ ଆମ୍ବଚୁଆ ଗାଁର ନାପିତ ସୁକୁମାର ବାରିକ, ଉମାକାନ୍ତ ବାରିକ ଓ ପୂର୍ଣ୍ଣଚନ୍ଦ୍ର ବାରିକ ମଶାଲ ଧରି ଯାଉଥିଲେ । ଶେଷରେ ଚଳିତ ବର୍ଷର ଅନ୍ତିମ ଅର୍ଘ୍ୟ ପ୍ରଦାନ କରା ଯାଇଥିଲା । ଗୁରୁବାର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀଜିଉଙ୍କଠାରେ ପଣା ଭୋଗ ଲାଗି କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟର ଦ୍ୱିତୀୟ ସର୍ବ ବୃହତ ମେଳା ଭାବେ ପରିଚିତ ଚନ୍ଦନେଶ୍ୱର ଚଡ଼କ ମେଳାର ପାଟଯାତ୍ରା ଯଥାରୀତି ସମ୍ପନ୍ନ ହୋଇଛି । ମେଳାରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଦେଉଳିଆ ଅଜିତ ପାତ୍ର, ଶ୍ରୀବେକଡି ନିରଞ୍ଜନ ଲେଙ୍କା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ବିଭିନ୍ନ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ମେଳା ଉପଭୋଗ କରିବାକୁ ଆସୁଥିବା ବେଳେ ମହାମାରୀ କରୋନା ପାଇଁ ଚଳିତ ବର୍ଷ ମଧ୍ୟ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହା ଉପରେ ଅଙ୍କୁଶ ଲଗାଇଥିଲେ । ମାତ୍ର ଅଳ୍ପ କେତେ ଜଣ ମୁଖ୍ୟ ଭକ୍ତ ବେକରେ ପଇତା ଧାରଣ କରି ଏହି ମେଳାର କୌଳିକ ନୀତିକାନ୍ତି ସମାପନ କରିଥିଲେ । ସେମାନଙ୍କୁ ସହଯୋଗ କରିବାରେ ସମସ୍ତ ସେବାୟତ, ମାଳାକାର, ନାପିତ ଓ ବାଦ୍ୟକାରଙ୍କୁ ଅନୁମତି ମିଳିଥିଲା । ଏହି ଅବସରରେ ବୁଧବାର ଅପରାହ୍ନରେ ପାଟଭକ୍ତ, ଦେଉଳିଆ, ଶ୍ରୀବେକଡିଙ୍କ ସମସ୍ତ ଉପବୀତଧାରୀ ଭକ୍ତ ମନ୍ଦିରରୁ ବାହାରି ବାଡ଼ସରିଷା ହାକାଣ୍ଡ ପୋଖରୀ ନିକଟରେ ପହଞ୍ଚିଥିଲେ । ସେଠାରେ ପୋଖରୀ ମାର୍ଜନା କରିବା ସହିତ ଦଶ ନଖି ଘଟକୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ପଟୁଆରରେ ମନ୍ଦିର ଅଭିମୁଖେ ନେଇ ଆସିଥିଲେ । କେତେକ ଉପବୀତଧାରୀ ଭକ୍ତ ନିଜ ନିଜ ମଧ୍ୟରେ ମାଳା ଚନ୍ଦନ କରିଥିଲେ । ଏଥିରେ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ ତଥା ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ଭୋଗରାଇ ବ୍ଲକ୍ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ପୂର୍ବତନ ଜିଲ୍ଲା ପରିଷଦ ଦେବାଶିଷ ଚାନ୍ଦ, ଟ୍ରଷ୍ଟ ବୋର୍ଡର ମୌରସୀ ତପନ କୁମାର ପଣ୍ଡା, ସେବାୟତ ଗଣେଶ ଲାଲ ପଣ୍ଡା, ବୁଦ୍ଧଦେବ ପଣ୍ଡା, ଟ୍ରଷ୍ଟି ଆଶିଷ ପଣ୍ଡା, ଗୌତମ ପଣ୍ଡା, ମିହିର ପଣ୍ଡା, ସପନ ପଣ୍ଡା, ସରୋଜ ପଣ୍ଡା, ହରେକୃଷ୍ଣ ପଣ୍ଡା, ଶରତ ପଣ୍ଡା, ବିବେକ ପଣ୍ଡା, ମିହିର ପଣ୍ଡା, ଧୀରାଜ ପଣ୍ଡା, ନିମାଇଁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶାନ୍ତି ଶୃଙ୍ଖଳା ଲାଗି ୨ ପ୍ଲାଟୁନ ପୁଲିସ ସମେତ ତାଳସାରୀ ସାମୁଦ୍ରିକ ଥାନାର ପୁଲିସ ଉପସ୍ଥିତ ଥିଲେ । ସେହିପରି ଏସିଆର ସର୍ବ ବୃହତ ଶିବଲିଙ୍ଗ କୁମ୍ଭୀରଗଡି ପଞ୍ଚାୟତର ବାବା ଭୁଷଣ୍ଡେଶ୍ୱରଙ୍କ ପୀଠରେ ମଧ୍ୟ ଚଡକ ପର୍ବ ଯଥାରୀତି ସମ୍ପନ୍ନ ହୋଇଛି । ପାଟଭକ୍ତ ନାରାୟଣ ସାହୁ, ଶ୍ରୀବେକଡି ହରେନ୍ଦ୍ର ବାରିକ, ଦେଉଳିଆ ପିଣ୍ଟୁ ବାରିକଙ୍କ ସମେତ ସମସ୍ତ ଉପବୀତଧାରୀ ଭକ୍ତ ସାମିଲ ଥିଲେ । ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons