ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ:ସାନ ଭାଇର ଛୁରା ମାଡ଼ରେ ବଡ଼ ମୃତ

Get real time updates directly on you device, subscribe now.

ନିଆଳି,(ବି.ବି.ନୁ୍ୟଜ): ମାହାଙ୍ଗା କୁସୁପୁର ଗଣହତ୍ୟାକୁ ସପ୍ତାହେ ନ ପୂରୁଣୁ ଭାଇଭାଗ ଓ ସଂପତ୍ତି କଳିକୁ କେନ୍ଦ୍ର କରି ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ନିଆଳି ଥାନା ଜଲ୍ଲାରପୁର ପଞ୍ଚାୟତ ଟୋଲା ଗୋପିନାଥପୁର ଗ୍ରାମରେ । ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତୁ୍ୟ ଘଟିଛି । ମୃତକ ହେଲେ ଟୋଲା ଗୋପିନାଥପୁର ଗ୍ରାମର ଅର୍ଜୁନ ଚରଣ ସାହୁ (୬୩) । ଏ ସମ୍ୱନ୍ଧରେ ମୃତ ଅର୍ଜୁନଙ୍କ ବୋହୂ ଜ୍ୟୋତ୍ସ୍ନାରାଣୀ ସାହୁ ନିଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ଅଭିଯୋଗ ମୁତାବକ, ଅର୍ଜୁନ ଓ ତାଙ୍କ ସାନ ଭାଇ ନୃସିଂହ ଚରଣ ସାହୁଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ପୂର୍ବରୁ ବିବାଦ ଲାଗି ରହିଥିଲା । ଅଧିକାଂଶ ସମୟରେ ଏଥିପାଇଁ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଗତ ୧୬ ତାରିଖ ଶନିବାର ଅପରାହ୍ନରେ ଜମିବାଡ଼ି ଭାଗବାଣ୍ଟ ପୁରୁଣା କଥାକୁ ନେଇ ସାନଭାଇ ନୃସିଂହ, ବଡ଼ ଭାଇ ଅର୍ଜୁନଙ୍କ ଘର ଆଗରେ ଗାଳିଗୁଲଜ କରିବା ସହ ତାଙ୍କୁ ଧମକ ଚମକ ଦେଇଥିଲା । ଘରୁ ବାହାରକୁ ଆସି ଅର୍ଜୁନ ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ନୃସିଂହ ହାତରେ ଧରିଥିବା ଏକ ଶାବଳ ଉଠାଇ ଅର୍ଜୁନଙ୍କ ମୁଣ୍ଡକୁ ପିଟିବାକୁ ଉଦ୍ୟମ କରିବାରୁ ସେ ଏହାକୁ ଛଡ଼ାଇ ଫୋପାଡ଼ି ଦେଇଥିଲେ । ଏହାପରେ ନୃସିଂହ ପାଖରେ ରଖିଥିବା ଏକ ଧାରୁଆ ଛୁରିରେ ଅର୍ଜୁନଙ୍କ ପେଟକୁ ଭୁସି ଦେଇଥିଲା । ଆହତ ଅର୍ଜୁନଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ନିଆଳି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି । ଅପରପକ୍ଷରେ, ଏହି ଘଟଣାରେ ଅର୍ଜୁନଙ୍କ ପରିବାର ଲୋକେ ମଧ୍ୟ ନୃସିଂହଙ୍କୁ ପାଲଟା ଆକ୍ରମଣ କରି ଆହତ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅର୍ଜୁନଙ୍କ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇ ନୃସିଂହ ମେଡିକାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons