ଜମ୍ମୁ ପଳାଇଲେ ୫୦ ପରିବାର

Get real time updates directly on you device, subscribe now.

ଶ୍ରୀନଗର: କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଲଗାତାର ଭାବେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବାରୁ ତାକୁ ନେଇ ସମଗ୍ର ଉପତ୍ୟକାରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ଯାହାଫଳରେ କାଶ୍ମୀରର ସଂଖ୍ୟାଲଘୁ ବିଶେଷକରି ଶିଖ୍ ଓ ପଣ୍ଡିତମାନେ ଉପତ୍ୟକା ଛାଡି ଜମ୍ମୁ ପଳାଉଛନ୍ତି । ଆତଙ୍କବାଦୀମାନେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ସରକାରୀ କର୍ମଚାରୀମାନେ ଅଫିସ ଯାଉନାହାନ୍ତି । ସେପଟେ ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଲୋକମାନଙ୍କୁ ଘରଛାଡି ନଯିବା ଲାଗି ନିବେଦନ କରିଛି । କହିଛି କିଛିଦିନ ଭିତରେ ସ୍ଥିତି ସ୍ୱାଭାବିକ ହୋଇଯିବ ।
ଆତଙ୍କୀମାନେ ଗତ ଏକ ସପ୍ତାହରେ କାଶ୍ମୀର ଘାଟିରେ ୨୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କଲେଣି । ସେମାନଙ୍କ ମଧ୍ୟରେ ସମସ୍ତେ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ । କିଛିଦିନ ତଳେ ଆତଙ୍କୀମାନେ ଏକ ସ୍କୁଲରେ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷା ଶିଖ୍ ହୋଇଥିଲା ବେଳେ ଶିକ୍ଷକ ଜଣକ କାଶ୍ମୀର ପଣ୍ଡିତ ଥିଲେ । ଏହାକୁ ଦେଖି କାଶ୍ମୀର ଘାଟିରୁ ସଂଖ୍ୟାଲଘୁ ଲୋକମାନେ ପଳାଇଯିବାକୁ ବାଧ୍ୟ ହେଉଛନ୍ତି । ନିଜ ନାମ ଗୋପନ ରଖିବା ସର୍ତ୍ତେରେ ଜଣେ କାଶ୍ମୀର ପଣ୍ଡିତ କହିଛନ୍ତି ପ୍ରାୟ ୪୦-୫୦ ପରିବାର ସୋମବାର ଜମ୍ମୁରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ କିଛି ସରକାରୀ କର୍ମଚାରୀ ଅଛନ୍ତି । ସେ କହିଛନ୍ତି ଗତ ୧୦ ବର୍ଷରୁ ଅଧିକ ସମୟ ହେଲା ସେମାନେ କାଶ୍ମୀରରେ ସରକାରୀ ଶିବିରରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ଲୋକଙ୍କ ଭିତରେ ଯେଭଳି ଭୟ ସୃଷ୍ଟି ହୋଇଛି ୨୦୦୩ରୁ ୨୦୧୬ ମଧ୍ୟରେ ଏଭଳି ଭୟ ଦେଖିବାକୁ ମିଳିନଥିଲା ।
ପ୍ରଶାସନ ଓ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ଆତଙ୍କୀମାନେ ଗୋଟିଏ ପରେ ଗୋଟିଏ ହତ୍ୟା ଭିଆଇ ଚାଲିଛନ୍ତି । ତାକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । କିଛି ଅଞ୍ଚଳରେ ଚେକ୍ ପଏଣ୍ଟ କରାଯାଇ ଯାଞ୍ଚ କରାଯାଉଛି । କୁଲଗାମ, ବାରାମୁଲା ଓ ଅନନ୍ତନାଗ ସମେତ ଅନ୍ୟ କେତେକ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଚଢ଼ାଉ କରାଯାଇ ଆତଙ୍କୀମାନେ ଯେଭଳି ନିଜ କାର୍ଯ୍ୟରେ ସଫଳ ନହେବେ ତାହା ସୁନିଶ୍ଚିତ କରାଯାଉଛି । ସ୍ଥାନୀୟ ରାଜନୈତିକ ଦଳ ପକ୍ଷରୁ ଶିଖ୍ ଓ ପଣ୍ଡିତମାନଙ୍କୁ କାଶ୍ମୀର ନ ଛାଡିବାକୁ ଅପିଲ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଆଜି ଜଣେ ପୀଡିତ ପରିବାରକୁ ଭେଟିଛନ୍ତି । କହିଛନ୍ତି ଆମେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବୁ ଏବଂ ଆତଙ୍କୀଙ୍କୁ ନିଜ କାର୍ଯ୍ୟରେ ସଫଳ ହେବାକୁ ଦେବୁନାହିଁ । ପୂର୍ବରୁ ମେହବୁବା ମୁଫତି ମଧ୍ୟ ଜଣେ ପୀଡିତ ପରିବାରକୁ ଭେଟିଥିଲେ । ସେପଟେ ଗୁପକାର ମେଣ୍ଟର ମୁଖପାତ୍ର ମହମ୍ମଦ ୟୁସୁଫ ତାରିଗାମୀ ବର୍ତ୍ତମାନର ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । କହିଛନ୍ତି ଏସବୁ କେନ୍ଦ୍ର ସରକାରଙ୍କ ବିଫଳତାର ପରିଣାମ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons