ଜିଲ୍ଲାପାଳ ଅଫିସ୍ ଆଗରେ ଖରାରେ ଛାତ୍ରଛାତ୍ରୀଙ୍କ ଧାରଣା:ବନ୍ଦ ସ୍କୁଲ ଖୋଲ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ଆପ୍ର): ଖରାରେ ଜିଲ୍ଲାପାଳ ଅଫିସ୍ ଆଗରେ ଠିଆ ହୋଇ ବ୍ୟାନର୍ ଧରି ଧାରଣା ଦେଲେ ଛାତ୍ରଛାତ୍ରୀ । ଅଭିଭାବକ ମଧ୍ୟ ସେମାନଙ୍କ ସହ ସାମିଲ୍ ହୋଇ କିଛି ଦୂରରେ ଧାରଣାରେ ବସି ରହିଲେ । ଜିଲ୍ଲାପାଳଙ୍କ ସହ ଆନେ୍ଦାଳନକାରୀଙ୍କ ଆଲୋଚନା ହେଲା । ମାତ୍ର ସ୍ଥିତି ଏମିତି ବିଗିଡିଲା ଯେ ପୁଣି ଖରାକୁ ଖାତିର ନକରି ଶହ ଶହ ଆନେ୍ଦାଳନକାରୀ ଛତ୍ରପୁର ଥାନା ଘେରାଉ କରିଲେ । ବୁଧବାର ଦିନତମାମ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ବନ୍ଦ କରାଯାଇଥିବା ପ୍ରାଥମିକ ସ୍କୁଲଗୁଡ଼ିକୁ ଖୋଲିବା ଦାବିରେ ବିଦ୍ୟାଳୟ ସୁରକ୍ଷା କମିଟି ନେତୃତ୍ୱରେ ତିନିଟି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗାଁର କୁନି ଛାତ୍ରଛାତ୍ରୀ ଓ ଅଭିଭାବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖରା ସତ୍ତେ୍ୱ ଦିନତମାମ ଧାରଣା ଦେଇଥିଲେ । ଦିଗପହଣ୍ଡି ବ୍ଲକ୍ର ନୂଅାଁ ଘନସିଂ, ଗାବରବାଲସା ଏବଂ ବିଜୟ ନଗର, ପୁରୁଷୋତ୍ତମପୁର ବ୍ଲକ୍ର ଢେପ ଅନ୍ତରିଗାଁ, ଶେରଗଡ଼ ବ୍ଲକ୍ର କମଳାଦେଇପୁର ଆଦି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଛି । ଆନେ୍ଦାଳନକାରୀ ଛତ୍ରପୁର ଅପର ବସ୍ଷ୍ଟାଣ୍ଡ୍ରୁ ଚାଲି ଚାଲି ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏପରିକି ବ୍ୟାନର୍ ମାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ବନ୍ଦ କରିଥିଲେ କୁନି କୁନି ଛାତ୍ରଛାତ୍ରୀ ଓ ଅଭିଭାବକ । ଖରାରେ ଅନେକ ସମୟ ଧରି ଧାରଣା ଦେଇଥିଲେ ହେଁ ଜିଲ୍ଲା ପ୍ରଶାସନର ବରିÂ ଅଧିକାରୀମାନେ ଚୁପ୍ ରହିଥିଲେ ।
ତେବେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିବା ପରେ ଆନେ୍ଦାଳନକାରୀ ଅଭିଭାବକ ଓ କମିଟି କର୍ମକର୍ତ୍ତାଙ୍କୁ ଡକାଇ ଆଲୋଚନା କରିଥିଲେ । ଛୋଟ ଛୁଆଙ୍କୁ ଧରି ଆନେ୍ଦାଳନ କାହିଁକି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଜିଲ୍ଲାପାଳ । ଏହା ପରେ ଆଲୋଚନାରେ ତିକ୍ତତା ସୃଷ୍ଟି ହେବାରୁ ଜିଲ୍ଲାପାଳ ଦୁଇ ଜଣଙ୍କୁ ଥାନାକୁ ନେଇଯିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଛତ୍ରପୁର ଥାନା ପୁଲିସ କମିଟି କର୍ମକର୍ତ୍ତା ସୋମନାଥ ବେହେରା ଏବଂ ନାରାୟଣ ସାହୁଙ୍କୁ ଥାନାକୁ ନେଇଯାଇଥିଲା । ଏଥିରେ କ୍ଷୁବ୍ଧ ହୋଇ ଶହ ଶହ ଆନେ୍ଦାଳନକାରୀ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀ ଥାନା ଘେରାଉ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ଥାନାରେ ପହଞ୍ଚିଥିଲେ ଛତ୍ରପୁର ଥାନା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନା ଆଇଆଇସି ସୀତାଂଶୁ ମାନ୍ଧାତା, ସାମୁଦ୍ରିକ ଥାନା ଆଇଆଇସି ଗୀତାଞ୍ଜଳି ସାମନ୍ତରାୟ ପ୍ରମୁଖ । ଏଏସ୍ପି ଠାକୁର ପ୍ରସାଦ ପାତ୍ର, ଏସ୍ଡିପିଓ ଗୌତମ କିଷାନ, ଉପଜିଲ୍ଲାପାଳ ନୀଳମାଧବ ଭୋଇ, ତହସିଲଦାର ପ୍ରକାଶ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ, ଅତିରିକ୍ତ ତହସିଲଦାର ଜସ୍ମିନ ସାହୁ ମଧ୍ୟ ପହଞ୍ଚି ଆନେ୍ଦାଳନକାରୀଙ୍କ ସାଙ୍ଗରେ ଆଲୋଚନା କରିଥିଲେ । ଥାନାରେ ଅଟକ ଦୁଇ କର୍ମକର୍ତ୍ତାଙ୍କୁ ନଛାଡିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି କହିଥିଲେ ଆନେ୍ଦାଳନକାରୀ । ସିଆରପିସି ୪୧ ଧାରାରେ ଦୁହିଁଙ୍କୁ ପୁଲିସ ଛାଡିଥିଲା । ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଉକ୍ତ ସମସ୍ୟା ନେଇ ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ୭ ଦିନ ମଧ୍ୟରେ ଏକ ଟିମ୍ ଯାଇ ସେହି ସ୍କୁଲ ଗୁଡିକ ବାବଦରେ ତଦନ୍ତ କରିବ ବୋଲି ପ୍ରତିଶୃତି ଦେବା ପରେ ଆନେ୍ଦାଳନକାରୀ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରି ଫେରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୮ ମସିହାରେ ଗଞ୍ଜାମ ଜିଲ୍ଲାର ୪୩୩ ସମେତ ରାଜ୍ୟର ମୋଟ ୧୪,୩୭୯ ସ୍କୁଲକୁ ଯଥେଷ୍ଟ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିଦ୍ୟାଳୟଗୁଡିକୁ ନିକଟସ୍ଥ ଅନ୍ୟ ସ୍କୁଲରେ ମିଶ୍ରଣ କରାଯାଇଛି । ତେବେ ଆନେ୍ଦାଳନକାରୀ ଦର୍ଶାଇଛନ୍ତି ଯେ, ଉପରୋକ୍ତ ସ୍କୁଲରେ ସରକାରୀ ଗାଇଡ୍ଲାଇନ୍ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ପଢିବା ପାଇଁ ପ୍ରସ୍ତୁତ ଅଛନ୍ତି ଯାହାର ବିବରଣୀ ବିଇଓ, ଡିଇଓଙ୍କୁ ପ୍ରଦାନ କରାଯାଇଛି । ପୂର୍ବରୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ବିଡିଓ, ଡିଇଓ, ବିଇଓଙ୍କୁ ଅବଗତ କରାଇଥିଲେ । ପିଲାଙ୍କୁ ୧ କିମିରୁ ଅଧିକ ଦୂର ସ୍କୁଲକୁ ପଠାଇବା ନେଇ ଗରିବ ଅଭିଭାବକ ଆଶଙ୍କାରେ ରହିଛନ୍ତି । ଆନେ୍ଦାଳନରେ ଏଆଇଡିିଏସ୍ଓ ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହି ଏବଂ ପ୍ରଫୁଲ୍ଲ ସେଠୀ, ରବି ସେଠୀ, ଦୁର୍ଯେ୍ୟାଧନ ସେଠୀ, ପ୍ରକାଶ ପାତ୍ର, କିରଣ ନାହାକ, ଅରୁଣ ନାହାକ, ମୋହନ ନାହାକ, ବିଷ୍ଣୁ ପ୍ରସାଦ ମହାରଣା, ପ୍ରତାପ ଗୌଡ଼, ପିଣ୍ଟୁ ଗୌଡ଼ ପ୍ରମୁଖ ଅଭିଭାବକ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons