ଝିଅର ମୃତଦେହ ବାଇକ୍ରେ ବୋହିଲେ ବାପା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ମହାପ୍ରୟାଣ ଗାଡ଼ିର ସୁବିଧା ନ ମିଳିବା ଯୋଗୁଁ ୭ ବର୍ଷର କୁନି ଝିଅର ମୃତଦେହକୁ ବାପା ଓ ଦାଦା ମିଶି ବାଇକ୍ରେ ବୋହି ଘରକୁ ନେଲେ । ଜିଲ୍ଲା ହସପିଟାଲ୍ରୁ ପ୍ରାୟ ୨୦ କିଲୋମିଟର ଦୂର ଗାଁକୁ ବାଇକ୍ରେ ଏକ କୁନିଝିଅର ମୃତଦେହ ବୋହି ନିଆଯିବା ଘଟଣା ଆଜି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଡେରାବିଶ ଥାନା ଅଧୀନ ଛଚିଣା ଗ୍ରାମର ସୁନାକର କାଣ୍ଡିଙ୍କ ୭ ବର୍ଷର ଝିଅ ବୈଶାଳୀ ଘରେ ଶୋଇଥିବା ବେଳେ ସର୍ପ ଦଂଶନର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା । ମୃତଦେହ ନେବା ନିମନ୍ତେ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ଥିଲେ ବି ସୁନାକର ଏଥିରୁ ବଞ୍ଚିତ ହୋଇଥିଲେ । ଆର୍ଥିକ ଅନଟନ କଥା କହି କାକୁତି ମିନତି ହେବା ସତ୍ତେ୍ୱ ତାଙ୍କୁ ଏହି ସୁବିଧା ମିଳିନଥିଲା । ଝିଅର ଅକାଳ ମୃତୁ୍ୟରେ ମ୍ରିୟମାଣ ହୋଇ ପଡ଼ିଥିବା ସୁନାକର ବାଧ୍ୟ ହୋଇ ବାଇକ୍ରେ ଝିଅର ମୃତଦେହକୁ ଗ୍ରାମ ପର୍ଯ୍ୟନ୍ତ ନେଇଥିଲେ । କେନ୍ଦ୍ରାପଡ଼ା ସହର ମଧ୍ୟସ୍ଥ ନୂଆ ବସ୍ଷ୍ଟାଣ୍ଡ ବାଟ ଦେଇ ଗଲାବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ମୃତଦେହ ବାଇକ୍ରେ ବୁହା ହୋଇ ଯାଉଥିବାର ଦେଖିବା ପରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଥିଲା । ଅର୍ଥାଭାବରୁ ଅନ୍ୟ ଗାଡ଼ି ବ୍ୟବସ୍ଥା କରି ନ ପାରି ସୁନାକର ନିଜ ଝିଅର ମୃତଦେହକୁ ବାଇକ୍ରେ ନେଇ ଯାଉଥିବା କଥା ଲୋକଙ୍କୁ କହିଥିଲେ । ପରେ ଏନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ମହାପ୍ରୟାଣ ଗାଡ଼ି ଥିଲେ ମଧ୍ୟ ସୁନାକରଙ୍କ ପାଇଁ କାମରେ ଆସିନଥିଲା ।
କେନ୍ଦ୍ରାପଡ଼ା ସିଡିଏମ୍ଓ ଡ. ଅନିତା ପ;ନାୟକଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଛନ୍ତି ଯେ, ମହାପ୍ରୟାଣ ଗାଡ଼ି ପାଇଁ ଅଭିଯୋଗକାରୀ ଆବେଦନ କରିନଥିଲେ । ଏଡିଏମ୍ଓ ଅବା ଅନ୍ୟ କେହି ତାଙ୍କୁ ଏ ବାବଦରେ ଜଣାଇ ବି ନଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ସେମାନେ ନିଜ ଇଚ୍ଛାରେ ବାଇକ୍ରେ ମୃତଦେହକୁ ନେଇ ଯାଇଥିଲେ । ଆମକୁ ହସପିଟାଲରେ ଏ ବିଷୟ ଜଣାଇଥିଲେ ନିଶ୍ଚିତ ମହାପ୍ରୟାଣ ଗାଡ଼ିର ସୁବିଧା ଯୋଗାଇ ଦିଆଯାଇଥାନ୍ତା ବୋଲି ସିଡିଏମ୍ଓ କହିଛନ୍ତି । ପ୍ରକାଶ ଥାଉ କି’ କଳାହାଣ୍ଡିର ଦାନ ମାଝି ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଘରକୁ ନେବାର ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ସରକାର ୨୦୧୬ ଅଗଷ୍ଟ ମାସରେ ମହାପ୍ରୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ତେବେ କେନ୍ଦ୍ରାପଡ଼ାରେ ଏ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିବା ସହ ଆଜିକା ଘଟଣାର ତଦନ୍ତ ଓ କାର୍ଯ୍ୟାନୁÂାନ ଦାବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons