ଟ୍ରେନ ଧକ୍କାରେ ଚାଲିଗଲା ବାପା-ଝିଅ ଜୀବନ

Get real time updates directly on you device, subscribe now.

ରାଉରକେଲା,(ବି.ବି.ବୁ୍ୟରୋ): ମୁମ୍ବାଇ-ହାୱଡ଼ା ରେଳପଥର କଲୁଙ୍ଗା ରେଳ ଫାଟକରେ ଆଜି ଅପରାହ୍ନରେ ଏକ ଟ୍ରେନ୍ ଧକ୍କାରେ ବାପା-ଝିଅର ଜୀବନ ଯାଇଛି । ଜିଆରପି ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାର ମର୍ଗରେ ରଖିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଲାଠିକଟା ବ୍ଲକର ବଲଣ୍ଡା ପଞ୍ଚାୟତରେ ଶମ୍ଭୁ ସିଂହ ସପରିବାର ରୁହନ୍ତି । ତାଙ୍କ ଝିଅ ମୁନ୍ମୁନ୍ ରାଉରକେଲା ସେକ୍ଟର-୨ ସ୍ଥିତ ଶୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତଦୁଇରେ ପାଠ ପଢନ୍ତି । ପ୍ରତି ଦିନ ଝିଅ ମୁନ୍ମୁନ୍ଙ୍କୁ ବାପା ଶମ୍ଭୁ ସ୍କୁଟିରେ ନେଇ କଲୁଙ୍ଗା ବସ୍ଷ୍ଟାଣ୍ଡରେ ଛାଡ଼ିଥାନ୍ତି ଏବଂ ଝିଅ ଫେରିବା ପରେ ପୁଣି ସେଠାରୁ ଘରକୁ ଆଣିଥାନ୍ତି । ଆଜି ମଧ୍ୟ ଝିଅ ମୁନ୍ମୁନ୍ କଲେଜରୁ ବସ୍ ଯୋଗେ କଲୁଙ୍ଗା ବସ୍ଷ୍ଟାଣ୍ଡରେ ପହଞ୍ଚି ଥିଲେ । ବାପା ଶମ୍ଭୁ ଝିଅକୁ ଆଣିବା ଲାଗି ନିଜ ସ୍କୁଟି ନଂ.ଓଆର୧୪ଏକ୍ସ-୨୨୦୨ ଯୋଗେ କଲୁଙ୍ଗା ବସ୍ଷ୍ଟାଣ୍ଡକୁ ଯାଇଥିଲେ । ବସ୍ଷ୍ଟାଣ୍ଡରୁ ଝିଅକୁ ସ୍କୁଟିରେ ବସାଇ ବଲଣ୍ଡା ସ୍ଥିତ ଘରକୁ ଯାଉଥିବା ବେଳେ କଲୁଙ୍ଗା ଠାରେ ରେଳଫାଟକର ଗେଟ୍ ପଡ଼ିଥିଲା । ଗେଟ୍ ଉଠିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଫାଟକ କଡ଼ ଦେଇ ବାପା ଝିଅ ସ୍କୁଟିରେ ଯାଉଥିବା ବେଳେ ହଠାତ ଉକ୍ରଳ ଏକ୍ସପ୍ରେସ୍ ଦ୍ରୁତ ବେଗରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାପା-ଝିଅ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ସ୍କୁଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons