ଡବଲ ମର୍ଡର ମାମଲା :ଅନୁପ ସାଏଙ୍କୁ ଆଜୀବନ ଜେଲ୍

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ଏକ ହାଇ-ପ୍ରୋଫାଇଲ ଡବଲ ମର୍ଡର (ମା କଳ୍ପନା ଦାଶ ଓ ନାବାଳିକା ଝିଅ ବବ୍ଲି) ମାମଲାରେ ଛତିଶଗଡ଼ ରାୟଗଡ଼ର ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ ଆଜି ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଶୁଣାଇଛନ୍ତି । ତେବେ ମାମଲାର ସହ-ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିଦେ୍ର୍ଧାଷରେ ଖଲାସ କରାଯାଇଛି ।
୨୦୧୬ ମସିହା ମେ ମାସ ୬-୭ ତାରିଖରେ ହୋଇଥିବା ଏହି ନୃଶଂସ ହତ୍ୟା ଘଟଣାରେ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଛତିଶଗଡ଼ ପୁଲିସ ୨୦୨୦ ମସିହା ଫେବ୍ରୁଆରୀ ୧୨ ତାରିଖ ରାତିରେ ଅନୁପ ସାଏଙ୍କୁ ଗିରଫ କରି ସମସ୍ତଙ୍କୁ ଚମକାଇଥିଲା । ଏହାପରଠାରୁ ତାଙ୍କ ଭବିଷ୍ୟତ ଓ ରାଜନୈତିକ ଜୀବନରେ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି ଏବଂ ଜେଲର ଚାରି କାନ୍ଥ ମଧ୍ୟରେ ସେ ଜୀବନ କାଟିବା ସ୍ପଷ୍ଟ ହୋଇଯାଇଛି ।
ଏହି ମାମଲାର ଗୁରୁତ୍ୱକୁ ଦେଇ ରାୟଗଡ଼ କୋର୍ଟ ଏହାର ତ୍ୱରିତ ଶୁଣାଣି କରିଥିଲେ । ଆଜି ରାୟ ପ୍ରକାଶ ସମୟରେ ଉଭୟ ଅଭିଯୁକ୍ତ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋ କୋର୍ଟରେ ଉପସ୍ଥିତ ଥିଲେ । ମୋଟ ୫୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ଆଇପିସିର ଧାରା ୩୦୨ (ଆଜୀବନ କାରାଦଣ୍ଡ), ଦଫା ୨୦୧ (ଆଜୀବନ କାରାଦଣ୍ଡ) ଏବଂ ଦଫା ୧୨୦ (ବି)ରେ ୭ ବର୍ଷର କାରାଦଣ୍ଡାଦେଶ ଶୁଣାଇଥିବା କହିଛନ୍ତି ସରକାରୀ ଓକିଲ ଦୀପକ ଶର୍ମା । ତେବେ ବର୍ଦ୍ଧନ ଦୋଷମୁକ୍ତ ହୋଇଥିବାରୁ ଏହି ରାୟ ବିରୋଧରେ ଉପର କୋର୍ଟକୁ ପୁଲିସ ଯିବନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଅନୁପଙ୍କ ଓକିଲ ଆଶିଷ କୁମାର ମିଶ୍ର କହିଛନ୍ତି, ମାମଲାର ସହ-ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋ ନିଦେ୍ର୍ଧାଷରେ ଖଲାସ ହୋଇଥିବାରୁ ଉଚ୍ଚ ଅଦାଲତରେ ଅନୁପଙ୍କୁ ନ୍ୟାୟ ପାଇଁ ଅପିଲ କରାଯିବ । ପୂର୍ବରୁ ଅନୁପଙ୍କ ଓକିଲ ତିନି ଥର ବିଳାସପୁର ହାଇକୋର୍ଟରେ ଜାମିନ ଆବେଦନ କରିବା ପରେ ମଧ୍ୟ କୋର୍ଟ ତାହା ଅଗ୍ରାହ୍ୟ କରିଥିଲେ ।
କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ମୃତ କଳ୍ପନାଙ୍କ ପ୍ରଥମ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ । ସେ କହିଛନ୍ତି, କଳ୍ପନା ଏବଂ ବବ୍ଲିଙ୍କୁ ହତ୍ୟା ମାମଲାରେ ଅନୁପଙ୍କୁ ଫାଶୀ ଦଣ୍ଡାଦେଶ ହେବା କଥା । ବବ୍ଲିଙ୍କ ଭଳି ଜଣେ ନିଷ୍ପାପ ଝିଅକୁ ନିର୍ମମ ଭାବେ ହତ୍ୟା କରିବା ଅତି ଜଘନ୍ୟ ଅପରାଧ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons