ତରଭାରେ କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

Get real time updates directly on you device, subscribe now.

ସୁବର୍ଣ୍ଣର୍ପୁର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି । ସହରର ଗଡ଼ଭିତର ପଡ଼ାରେ ଥିବା ନିଜ ଅଜାଘରେ ୧୦ନଂ ୱାର୍ଡର କାଉନସିଲର ନଳିନୀ ନାଏକଙ୍କ ସ୍ୱାମୀ ସଞ୍ଜୀବ କୁମାର ଗୁରୁ(୩୬) ଶୋଇଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ମୃତକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଖୋଳତାଡ଼ ଆରମ୍ଭ କରିଛି ।
ଅଭିଯୋଗ ମତେ, ତରଭାସ୍ଥିତ ଗଡ଼ଭିତର ପଡ଼ାର ସଞ୍ଜୀବ ନିଜ ଘରଠାରୁ ଶହେ ମିଟର ଦୂରରେ ଥିବା ଅଜା ଗଣ୍ଡାରାମ ଗୁରୁଙ୍କ ଦେହାନ୍ତ ପରେ ପ୍ରତିଦିନ ରାତିରେ ସେଠାରେ ଶୋଉଥିଲେ । ଗତକାଲି ରାତି ୯ଟା ପର୍ଯ୍ୟନ୍ତ ସଞ୍ଜୀବ ଘରକୁ ଫେରିନଥିଲେ । ତେଣୁ ତାଙ୍କ ରାତ୍ରିଭୋଜନ ପାଇଁ ରୁଟି, ତରକାରୀ ବାଢି ରଖିଦେଇ ପତ୍ନୀ ନଳିନୀ ପୁଅ ସହ ଶୋଇପଡ଼ିଥିଲେ । ହେଲେ ସଞ୍ଜୀବ ରାତିରେ ଘରକୁ ଫେରିନଥିଲେ । ସକାଳ ସାଢେ଼ ୬ଟାରେ ସ୍ୱାମୀଙ୍କୁ ଖୋଜିବାକୁ ନଳିନୀ ସଞ୍ଜୀବଙ୍କ ଅଜା ଗଣ୍ଡାରାମଙ୍କ ଘରକୁ ଆସିଥିଲେ । ଘର କବାଟ ଠେଲି ଭିତରକୁ ଦେଖିଲା ବେଳକୁ ସଞ୍ଜୀବ ରକ୍ତ ଜୁଡୁବୁଡୁ ହୋଇ ଖଟରେ ପଡ଼ିଥିଲେ । ଘଟଣା ସମ୍ପର୍କରେ ତୁରନ୍ତ ପରିବାରଲୋକଙ୍କୁ ଜଣାଇଥିଲେ । ସଞ୍ଜୀବଙ୍କୁ ଉଦ୍ଧାର କରି ତୁରନ୍ତ ତରଭା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଞ୍ଜୀବଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଧାରୁଆ ଅସ୍ତ୍ରରେ କେହି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ତରଭା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅତିରିକ୍ତ ଏସପି ଜଗଜ୍ଜୀବନ ପଟେଲ ଓ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗିଙ୍କ ନେତୃତ୍ୱରେ ତରଭା ଥାନାଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ସ୍କ୍ୱାର୍ଡ ମଧ୍ୟ ପହଞ୍ଚି ଘଟଣାର ଛାନଭିନ କରିଛନ୍ତି । ପ୍ରକାଶ ଯେ, ସଞ୍ଜୀବ ଗତକାଲି ରାତିରେ ଘରକୁ ଖାଇବାକୁ ଆସିନଥିବାରୁ ସେ କେଉଁଠି ଓ କାହାକାହା ସହ ମିଶି ଖାଇଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଙ୍ଗ ସାଥୀଙ୍କ ସହ ମିଶି ଭୋଜିଭାତ କରି କୌଣସି ଅଘଟଣ ହୋଇଥିଲା ନା କୌଣସି କାରଣକୁ ନେଇ କାହା ସହିତ ଶତ୍ରୁତା ରହିଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନେ ଖୁବଶୀଘ୍ର ଧରାପଡ଼ିବେ ବୋଲି ଥାନାଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons