ଦମ୍ପତିଙ୍କୁ ଦଳିଦେଲା ଦନ୍ତା :ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Get real time updates directly on you device, subscribe now.

ତାଳଚେର,(ବି.ବି.ନୁ୍ୟଜ): ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମର ନୂଆସାହିରେ ହାତୀ ଉତ୍ପାତ । ସୋମବାର ବିଳମ୍ବିତ ରାତ୍ରିରେ ଏକ ଦନ୍ତାହାତୀ ଘରେ ପଶି ଦମ୍ପତିକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତୁ୍ୟ ହୋଇଛି । ସ୍ୱାମୀ ଗୁରୁତର ଅବସ୍ଥାରେ ତାଳଚେର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ମହିଳା ହେଲେ କାଞ୍ଚନ ମୁଣ୍ଡା (୬୦) । ତାଙ୍କ ସ୍ୱାମୀ ମୁକୁନ୍ଦ ମୁଣ୍ଡା (୬୫)ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀ ସବୁଦିନ ପରି ମୂଲ କରି ଫେରିବା ପରେ ନିଜ କୁଡ଼ିଆ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଘରେ ପଶି ଉଭୟଙ୍କୁ ଆକ୍ରମଣ କରିଥିଲା । ପ୍ରଥମେ କାଞ୍ଚନଙ୍କୁ ଦନ୍ତା ଦଳି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ହାତୀ ଆକ୍ରମଣରେ ସ୍ୱାମୀ ମୁକୁନ୍ଦ ମଧ୍ୟ ଗୁରୁତର ହୋଇଥିଲେ । ଗ୍ରାମରେ ହାତୀ ଉତ୍ପାତ ଖବର ପହଞ୍ଚିବା ପରେ ସରପଞ୍ଚ ସହଦେବ ସାହୁଙ୍କ ସମେତ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ । ତାଳଚେର ପୁଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
କ୍ଷତିପୂରଣ ବାବଦକୁ ବନ ବିଭାଗ ପକ୍ଷରୁ ପ୍ରାରମ୍ଭିକ କ୍ଷତିପୂରଣ ଭାବେ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପୂର୍ବରୁ ସନ୍ଥପଡ଼ା ଓ ଆଖପାଖ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ସ୍ଥାନରେ ସୋଲାର ଫେନ୍ସିଂ ଲଗାଯିବା ପାଇଁ ଦାବି ହୋଇଆସୁଥିଲା । ମାତ୍ର ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଅକାରଣରେ ଅନେକ ନିରୀହ ଜୀବନ ଚାଲି ଯାଉଛି । ବ୍ୟାପକ ଫସଲ ହାନି ମଧ୍ୟ ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଖାଦ୍ୟ ଅନ୍ୱେଷଣରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଢେଙ୍କାନାଳ ଜିଲ୍ଲା ଅଞ୍ଚଳରୁ ସନ୍ଥପଡ଼ା ଏବଂ ଆଖପାଖ ଅଞ୍ଚଳରେ ପଶିଆସୁଛନ୍ତି । ବ୍ୟାପକ ଫସଲହାନୀ ସହ ଘର ଭଙ୍ଗାରୁଜା କରି ପୁଣି ନଦୀପାର ହୋଇ ଚାଲିଯାଉଛନ୍ତି । ଫଳରେ ଏଠାରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ହାତୀପଲ ବାରମ୍ବାର ଆସୁଥିବାରୁ ସ୍ଥାନୀୟ ବନବିଭାଗ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons