ଦୂଷିତ ପାଣିରୁ ଝାଡ଼ାବାନ୍ତିରେ ଶତାଧିକ ଆକ୍ରାନ୍ତ

Get real time updates directly on you device, subscribe now.

କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ): ଦୂଷିତ ପାଣି ବ୍ୟବହାର କରି ୩ ଦିନରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । କବିସୂର୍ଯ୍ୟନଗରରେ ଏଭଳି ସ୍ଥିତିକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି । କବିସୂର୍ଯ୍ୟନଗର ଡାକ୍ତରଖାନାରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଅନେକ ରୋଗୀ ଆସିକା, ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ବ୍ୟବହାର କରି ଝାଡ଼ାବାନ୍ତି ବ୍ୟାପିଛି । ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଡାକ୍ତର ସୁଶାନ୍ତ କୁମାର କହିଛନ୍ତି ।
କବିସୂର୍ଯ୍ୟନଗର ସହରରେ ପ୍ରାୟ ଅଧିକାଂଶ ୱାର୍ଡରେ ହଇଜା ବ୍ୟାପିବାରେ ଲାଗିଛି । ୩ ଦିନରେ ତନ୍ତି ସାହି ଓ ନଇ ସାହିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ନଈସାହିରେ ଅଧିକ ଆକ୍ରାନ୍ତ ରହିଛନ୍ତି । ଦୂଷିତ ପାନୀୟ ଜଳ ପିଇ ଲୋକେ ଆକ୍ରାନ୍ତ ହୋଇଥିବା ସହରବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ କଲେ ବି କିଛି ପ୍ରତିକାର ହେଉନାହିଁ । ଅନେକ ସମୟରେ ପିଇବା ପାଣି ପାଇପ୍ ଫାଟି ରାସ୍ତାରେ ଯାଉଛି । ଦୁଇଟି ସାହିବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କବିସୂର୍ଯ୍ୟନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନେକ ଆକ୍ରାନ୍ତ ଆସିକା ଏବଂ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିପରି ଆଉ କିଛି ଆକ୍ରାନ୍ତ ମେଡିସିନ୍ ଦୋକାନରୁ ଔଷଧ କିଣି ଆଣି ଘରେ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସ୍ଥିତି ଅଣାୟତ ହେଉଥିବା ଗ୍ରାମବାସୀ କହିଛନ୍ତି । ପୋଖରୀ ପାଣି ଓ ଖୋଲା କୂଅ ପାଣି ବ୍ୟବହାର କରି ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଥିବା ଡାକ୍ତର ସୁଶାନ୍ତ କୁମାର କହୁଛନ୍ତି । ତଥାପି ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଡାକ୍ତର କହିଛନ୍ତି । ଲୋକପ୍ରତିନିଧି ଲୋକଙ୍କ ପାଖରେ ପହଞ୍ଚି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି । ଦୂଷିତ ପାଣି ବ୍ୟବହାର ନକରି ବିଶୁଦ୍ଧ ଜଳ ବ୍ୟବହାର କରିବାକୁ କୁହାଯାଇଛି । ଏପରିକି ପାଣି ଫୁଟାଇ ପିଇବା ଉଚିତ । ଆକ୍ରାନ୍ତଙ୍କ ୱାର୍ଡରେ ଓଆର୍ଏସ୍ ବଣ୍ଟନ କରାଯାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons