ଦେଢ଼ ଲକ୍ଷରେ ରାଜସ୍ଥାନରେ ମହିଳାଙ୍କୁ ବିକ୍ରି!

Get real time updates directly on you device, subscribe now.

ଝାରସୁଗୁଡ଼ା, (ବି.ବି.ନୁ୍ୟଜ): ଝାରସୁଗୁଡ଼ାର ଜଣେ ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ ଲକ୍ଷ ଟଙ୍କା ବିନିମୟରେ ଦଲାଲଙ୍କ ଜରିଆରେ ବିକ୍ରି କରିଛି । ଏହି ଘଟଣାରେ ଝାରସୁଗୁଡ଼ା ଟାଉନ ଥାନା ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୀଡ଼ିତା ମହିଳାଙ୍କୁ ରାଜସ୍ଥାନରୁ ଉଦ୍ଧାର କରିଛି । ଘଟଣା ସମ୍ପର୍କରେ ଆଜି ଏସପି ବିକାଶ ଚନ୍ଦ୍ର ଦାଶ ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଏସ୍ଆଇ ଛକ ନୂଆପଡ଼ାର କିରନ ସେଠୀ ଓରଫ ପୁଷ୍ପାଞ୍ଜଳୀ ବେହେରା, ଝାରସୁଗୁଡ଼ା ଭୁଲିଆଟିକ୍ରା (ମୂଳ ନିବାସୀ ସୁବର୍ଣ୍ଣପୁର ଜିଲ୍ଲା ଖମସାରିପାଲି)ର ହୃଷୀକେଶ ସେଠୀ (୨୯), ବ୍ରଜରାଜନଗର ନୂଆପଡ଼ାର ଦାନିଶ ବେହେରା ଓରଫ ଆକାଶ (୧୮)ଙ୍କୁ ଗତ ୯ ତାରିଖ ଗିରଫ କରାଯାଇ ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ସେହିପରି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟପ୍ରଦେଶ ନିମୁଚ ଜିଲ୍ଲା ଅନ୍ତର୍ଗତ ରାମପୁରା ଥାନାଞ୍ଚଳର ମନୋଜ ପ୍ରଜାପତି (୨୮) ଏବଂ ମଧ୍ୟପ୍ରଦେଶ ମଣ୍ଡସୌର ଜିଲ୍ଲା ବାଣପୁରା ଥାନାଞ୍ଚଳର ସୁପ୍ରିୟା ଓରଫ ରଜନୀ ବଳ ଓରଫ ପ୍ରଜାପତି (୨୫)ଙ୍କୁ ଗିରଫ କରାଯାଇ ମଧ୍ୟପ୍ରଦେଶର ମନସା ଜେଏମଏଫସି କୋର୍ଟରେ ହାଜର କରାଯିବା ସହ କୋର୍ଟଙ୍କ ଆଦେଶ କ୍ରମେ ଟ୍ରାନଜିଟ୍ ରିମାଣ୍ଡରେ ଉଭୟଙ୍କୁ ଝାରସୁଗୁଡ଼ା ଅଣାଯାଇ ପୁଲିସ ତଦନ୍ତ କରୁଛି । ଏହି ଗ୍ୟାଙ୍ଗ ମହିଳା ତଥା ଯୁବତୀ ଚାଲାଣ ଭଳି ଅନ୍ୟ ମାମଲାରେ ମଧ୍ୟ ସଂପୃକ୍ତ ଥିବା ପୁଲିସ କହିଛି । ଯାହାର ତଦନ୍ତ ଚାଲିଛି ।
ଗତ ୭ ତାରିଖ ଦିନ କ୍ରିଷ୍ଣା କୁମାର (୨୩) ନାମକ ଜଣେ ବ୍ୟକ୍ତି ଝାରସୁଗୁଡ଼ା ଟାଉନ ଥାନାରେ ଏକ ଏତଲା ଦେଇଥିଲେ । ସେ ସ୍କ୍ରାପ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । ପ୍ରାୟ ଦେଢ଼ ବର୍ଷ ତଳେ ସେ ସମ୍ୱଲପୁର ସାକ୍ଷୀପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସେମାନେ ଝାରସୁଗୁଡ଼ା ମଙ୍ଗଳବଜାର ଠାରେ ରହୁଥିଲେ । ପରେ ସେମାନେ ରାଉରକେଲା ଠାରେ ସଂପର୍କୀୟଙ୍କ ଘରେ ଏବଂ କିଛି ଦିନ ପରେ ଝାରସୁଗୁଡ଼ା ପୁରୁଣାବସ୍ତି ଠାରେ ଭଡ଼ା ଘରେ ରହୁଥିଲେ । ତାଙ୍କ ପତ୍ନୀ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଉକ୍ତ ଶିଶୁଟି ମୃତୁ୍ୟବରଣ କରିଥିଲା । ବୈବାହିକ ସମ୍ପର୍କରେ ତିକ୍ତତା ପରେ ତାଙ୍କ ପତ୍ନୀ ଝାରସୁଗୁଡ଼ା ଭୁଲିଆଟିକ୍ରା ଠାରେ କିରନ ସେଠୀଙ୍କ ଘରେ ରହିଥିଲେ । ପ୍ରାୟ ୧୫ ଦିନ ପରେ କ୍ରିଷ୍ଣା ଜାଣିବାକୁ ପାଇଥିଲେ ଯେ ତାଙ୍କ ପତ୍ନୀ ଆଉ କିରନ ସେଠୀଙ୍କ ଘରେ ନାହାଁନ୍ତି । କିରନଙ୍କୁ ପଚରା ଯିବାରୁ ତାଙ୍କ ପତ୍ନୀ ଅନ୍ୟ କାହା ସହ ଫେରାର ହୋଇଯାଇଥିବା କହିଥିଲେ । ଗତ ଅପ୍ରେଲ ୩ ତାରିଖ ତାଙ୍କ ପତ୍ନୀ ଅନ୍ୟ ଜଣକୁ ଫୋନ କରି ତାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନର ଜଣେ ବ୍ୟକ୍ତି ପାଖରେ ବିକ୍ରି କରାଯାଇଥିବା କହିଥିଲେ । ଏନେଇ ଝାରସୁଗୁଡ଼ା ପୁଲିସକୁ ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ସହ ପୀଡ଼ିତାଙ୍କୁ ରାଜସ୍ଥାନରୁ ଗତ ୧୨ ତାରିଖ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons