ଦେବସ୍ନାନ ପୁର୍ଣ୍ଣମୀ ପାଇଁ ବିଭିନ୍ନ ନିଯୋଗ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରସ୍ତୁତି ବୈଠକ

Get real time updates directly on you device, subscribe now.

ପୁରୀ : ଦୀର୍ଘ ଦୁଇବର୍ଷ ପରେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା।‌ ଏଥିପାଇଁ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବିଭିନ୍ନ ନିଯୋଗ ସହ ଆଲୋଚନା କରିଛନ୍ତି । ଆସନ୍ତା ଜୁନ୍ ୧୪ରେ ସ୍ନାନ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ନୀତି କାନ୍ତି, ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି, ହାତୀ ବେଶ ଓ ଭକ୍ତଙ୍କ ଦର୍ଶନ ଉପରେ ଆଲୋଚନା କରାଯାଇଛି। ସେପଟେ ରଥଖଳାରେ ଆଗେଇଚାଲିଛି ରଥ ନିର୍ମାଣ କାର୍ୟ୍ୟ। ପବିତ୍ର ଭଉଁରୀ ଅବସରରେ ବିଧି ଅନୁଯାୟୀ ତିନି ରଥର ଛଅଟି ଚକ ଡେରାଯିବାକୁ ଥିବାରୁ ଏଥିପାଇଁ ତିନୋଟି ଅଖ ଓ ୬ଟି ଚକ ପ୍ରସ୍ତୁତ ହୋଇ ରଖାଯାଇଛି। ଦୀର୍ଘ ଦୁଇବର୍ଷ ପରେ ସ୍ନାନ ବେଦୀରେ ଚତୁର୍ଦ୍ଧା ମୁରତିକୁ ଚର୍ମ ଚକ୍ଷୁରେ ଦର୍ଶନ କରିବେ ଭକ୍ତ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଦଇତାପତି, ପୂଜାପଣ୍ଡା, ସିଂହାରୀ ଓ ଅନ୍ୟାନ୍ୟ ସେବାୟତ ନିଯୋଗ ସହ ପୃଥକ୍ ପୃଥକ୍ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ଆସନ୍ତା ଜୁନ୍ ୧୪ରେ ପବିତ୍ର ସ୍ନାନପୂର୍ଣ୍ଣମୀ ଥିବାରୁ ଏହିଦିନ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି, ମହାପ୍ରଭୁଙ୍କ ପହଣ୍ଡି, ଜଳ ବିଜେ ,ଜଳଲାଗି ଓ ହାତୀବେଶ କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ତେବେ ଜଳ ଲାଗି ସମୟରେ ବଡ଼ଦାଣ୍ଡରେ ଓ ହାତୀବେଶ ପରେ ଭକ୍ତମାନେ ଦୁଇଘଣ୍ଟା ପାଇଁ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିପାରିବେ। କିନ୍ତୁ ସ୍ନାନ ବେଦୀରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଭକ୍ତମାନେ ସ୍ପର୍ଶ କରିପାରିବେ ନାହିଁ ବୋଲି ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ।
ବିନା ଭକ୍ତରେ ଗତ ୨ ବର୍ଷ ଧରି ମହାପ୍ରଭୁଙ୍କ ସମସ୍ତ ଯାତ୍ରା ହୋଇଥିବା ବେଳେ ଏଥର କରୋନା ସ୍ଥିତି ସ୍ବଭାବିକ ଥିବାରୁ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା କରିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଦେବସ୍ନାନ ପୂର୍ଣ୍ଣମୀରେ ନୀତି ସହ ଜଡ଼ିତ ସବୁ ସେବାୟତ ନିଜ ନିଜ ମଧ୍ୟରେ ସମନ୍ଵୟ ରକ୍ଷା କରି ସମସ୍ତ ନୀତିକାନ୍ତି କିଭଳି ଠିକ୍ ସମୟରେ ସାରିବେ ସେ ନେଇ ଆଲୋଚନା କରାଯାଇଛି। ବିଶେଷ କରି ପ୍ରଭୁଙ୍କ ଜଳଲାଗି ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ସେ ସମ୍ପର୍କରେ ନିଯୋଗ କର୍ମକର୍ତ୍ତାକୁ ପରାମର୍ଶ ଦିଆଯାଇଛି। ହାତୀ ବେଶ ସମୟରେ ଭକ୍ତମାନେ କେଉଁ ବାଟ ଦେଇ ଆସିବେ ଓ କେଉଁ ବାଟ ଦେଇ ଫେରିବେ ସେ ଉପରେ ମଧ୍ୟ ଆଲୋଚନା ହୋଇଛି। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ କମିଟି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons