ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି ଦେଶରେ ଶହେ କୋଟି ଟିକାକରଣ, ଅର୍ଥ ବ୍ୟବସ୍ଥା ଏବଂ ଚାଷୀ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଗତକାଲି ଟିକାକରଣ କ୍ଷେତ୍ରରେ ଦେଶରେ ଏକ ମାଇଲଖୁଣ୍ଟ ପ୍ରତିÂା ହୋଇଛି । ୧୦୦ କୋଟିରୁ ଅଧିକ ଟିକାକରଣ କରାଯାଇଛି । ଏହା ନୂଆ ଭାରତର ପ୍ରତିବିମ୍ବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ୧୦୦ କୋଟି ଟିକା ଦେଇ ଏକ ଅସାଧାରଣ ତଥା କଠିନ ଲକ୍ଷ୍ୟ ପ୍ରାପ୍ତ କରିଛି । ଏହା ପଛରେ ୧୩୦ କୋଟି ଦେଶବାସୀଙ୍କର ସମର୍ଥନ ଓ ସହଯୋଗ ରହିଛି । ଏହା ପ୍ରତ୍ୟେକ ଦେଶବାସୀଙ୍କର ସଫଳତା । ୧୦୦ କୋଟି ଟିକାକରଣ କେବଳ ଏକ ଅଙ୍କ ନୁହେଁ ବରଂ ଏହା ନୂଆ ଭାରତର ପ୍ରତିବିମ୍ବ । ଏହା ଏଭଳି ଏକ ନୂଆ ଭାରତ ଯାହା କଠିନ ଲକ୍ଷ୍ୟ ହାସଲ କରିବାକୁ ଚାହେଁ । ଯାହା ନିଜର ସଂକଳ୍ପକୁ ସତ୍ୟରେ ରୂପାନ୍ତରିତ କରୁବାକୁ ପରିଶ୍ରମ କରେ । ଭାରତର ଏହି ପ୍ରୟାସକୁ ଆଜି ସମଗ୍ର ବିଶ୍ୱ ପ୍ରଶଂସା କରୁଛି ।
ଶତାବ୍ଦୀର ସବୁଠାରୁ ବଡ଼ ମହାମାରୀରେ ଯେତେବେଳେ ଭାରତ ଛଟପଟ୍ ହେଉଥିଲା । ସେତେବେଳେ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିଥିଲା । ଭାରତ କରୋନା ମହାମାରୀ ସହ ଲଢ଼ିପାରିବ କି ନାହିଁ । ଏତେ ଟିକା ପାଇଁ ଟଙ୍କା କେଉଁଠାରୁ ଆସିବ । ଭାରତ ଏତେ ଲୋକଙ୍କୁ ଟିକା ଦେଇପାରିବ କି ନାହିଁ । ଦେୟ ମୁକ୍ତ ଭାବେ ୧୦୦ କୋଟି ଟିକାକରଣ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି ବୋଲି ମୋଦି କହିଥିଲେ ।
ସବ୍ କା ସାଥ୍କୁ ନେଇ ଦେଶ ସମସ୍ତଙ୍କୁ ଟିକା-ମୁକ୍ତ ଟିକା ଅଭିଯାନ ଆରମ୍ଭ କରିଥିଲା । ଧନୀ-ଗରିବ, ଗାଁ-ସହର ଓ ଦେଶର ଗୋଟିଏ ମନ୍ତ୍ର ଥିଲା କି ରୋଗ ଭେଦଭାବ କରୁନଥିଲା ବେଳେ ଟିକାରେ ମଧ୍ୟ ଭେଦଭାବ ହେବା ଉଚିତ ନୁହେଁ । ତେଣୁ ଟିକାକରଣ କ୍ଷେତ୍ରରେ ଭିଆଇପି ସଂସ୍କୃତିର ଯେଭଳି ପ୍ରବେଶ ନ ଘଟିବ ତାହା ସୁନିଶ୍ଚିତ କରିବାକୁ ପଡିଥିଲା । ଭାରତୀୟ ଟିକାକରଣରେ ଧନୀଠାରୁ ଆରମ୍ଭ କରି ଗରିବ, ଗାଁଠାରୁ ସହର ସମସ୍ତଙ୍କୁ ସମାନ ଅଧିକାର ଓ ସମାନ ସୁଯୋଗ ମିଳିଛି ବୋଲି ସେ କହିଥିଲେ ।
ମହାମାରୀ ସହ ଦେଶ ଲଢୁଥିବା ସମୟରେ ଦେଶବାସୀ ଏକତାର ଶକ୍ତି ଭାବେ ତାଳି, ଥାଳି ବଜାଇ ଏକତା ଦେଖାଇଥିଲେ । ମହାମାରୀ ବିରୋଧୀ ଲଢେ଼ଇରେ ଦେଶବାସୀଙ୍କ ସହଯୋଗକୁ ଏକ ବଡ ଶକ୍ତି ଭାବେ ବ୍ୟବହାର କରାଯାଇଥିଲା । କୋ-ୱିନ ପୋର୍ଟାଲ ବିଶ୍ୱର ଆକର୍ଷଣର କେନ୍ଦ୍ର ସାଜିଛି । ଏହାଦ୍ୱାରା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଉପକୃତ ହୋଇପାରିଥିବା ମୋଦି ପ୍ରକାଶ କରିଥିଲେ ।
ସମ୍ବୋଧନରେ ମୋଦି ଆହୁରି ମଧ୍ୟ କହିଥିଲେ, ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ଏଜେନ୍ସି ସକରାତ୍ମକ ବୟାନ ଦେଉଛନ୍ତି । ଫଳରେ ଦେଶରେ ଯୁବକଙ୍କ ରୋଜଗାର ପାଇଁ ଅବସର ବଢ଼ୁଛି । ଷ୍ଟାର୍ଟଅପ୍ ସଂଖ୍ୟା ବଢ଼ୁଛି । ଘରୋଇ ନିବେଶରେ ଲୋକଙ୍କ ଆଗ୍ରହ ବଢ଼ୁଛି । ବ୍ୟବସ୍ଥାରେ ପରିବର୍ତ୍ତନ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଦ୍ରୁତ ଗତିରେ ଆଗକୁ ନେବାକୁ ସହାୟକ ହେଉଛି । ରେକର୍ଡ ସ୍ତରରେ ଧାନ ବିକ୍ରି ହେଉଛି । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି । କ୍ରୀଡ଼ାଠାରୁ ଆରମ୍ଭ କରି ମନୋରଞ୍ଜନ ସବୁଠି ସକରାତ୍ମକତା ନଜର ଆସୁଛି ବୋଲି ମୋଦି କହିଥିଲେ ।
ଟିକାକରଣ ଦ୍ୱାରା ସମସ୍ତେ କରୋନା କବଚ ପାଇଛନ୍ତି । କିନ୍ତୁ କବଚ ଯେତେ ବଡ଼ ତଥା ସୁରକ୍ଷିତ ହୋଇଥିଲେ ମଧ୍ୟ ଯୁଦ୍ଧ ଚାଲୁଥିବା ପର୍ଯ୍ୟନ୍ତ ଅସ୍ତ୍ର ଛାଡ଼ିବା ଉଚିତ ନୁହେଁ । ସେହିଭଳି ଟିକା ନେଲେ ମଧ୍ୟ ଏବେ କରୋନା ଯୁଦ୍ଧ ଜାରି ରହିଛି । ଏଣୁ ସତର୍କତା ପାଳନ କରିବା ନିହାତି ଜରୁରି । ମାସ୍କ ଲଗାଇବା, ସାମାଜିକ ଦୂରତା ରକ୍ଷା କରିବା ସହ ସମସ୍ତଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୋଦି ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons