ନାବାଳକ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Get real time updates directly on you device, subscribe now.

କଟକ,(ବି.ବି.ଆପ୍ର): କଟକ ସଦର ଥାନା ଅନ୍ତର୍ଗତ ଶଙ୍ଖତ୍ରାସ ସରକାରୀ ହାଇସ୍କୁଲ୍ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଜଣେ ନାବାଳଳ ଓ ଜଣେ ନାବାଳିକାଙ୍କ ମୃତଦେହ । ମୃତକ ଦୁହେଁ ହେଲେ ପାଖ ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ରପ୍ରକାଶ ଭୋଇ(୧୭) ଓ ଖଲର୍ଦ୍ଧା ଗ୍ରାମର ଅଜୟ ବାରିକଙ୍କ ଝିଅ ସୋନାଲି ବାରିକ (୧୭) ।
ଶନିବାର ଭୋର୍ରେ ହାତ ବନ୍ଧା ହୋଇଥିବା ଅବସ୍ଥାରେ ସ୍କୁଲ୍ ବାରଣ୍ଡାରେ ଦୁଇ ଜଣ ଝୁଲୁଥିବା ଦେଖି କିଛି ସ୍ଥାନୀୟ ଯୁବକ ଉଭୟଙ୍କ ମୃତଦେହକୁ ତଳକୁ ଓହ୍ଲାଇଥିଲେ । ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏହା ଆଦୌ ମିଳିତ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟାକାଣ୍ଡ ବୋଲି ମୃତ ରୁଦ୍ରପ୍ରକାଶଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାସ୍ଥଳର ପାରିପାଶ୍ୱିର୍କ ସ୍ଥିତି ମଧ୍ୟ ହତ୍ୟା ଅଭିଯୋଗକୁ ଦୃଢ ସାବ୍ୟସ୍ତ କରୁଛି । ଦୁଇଟିଯାକ ମୃତଦେହର ହାତ ବନ୍ଧା ହୋଇରହିଛି । ଏଭଳି ଅବସ୍ଥାରେ ଦୁହେଁ ଆତ୍ମହତ୍ୟା କରିବା ସମ୍ଭବ ମନେହେଉନାହିଁ । ତେଣୁ ପୁଲିସ ମଧ୍ୟ ଏହାକୁ ସନ୍ଦିଗ୍ଧ ମୃତୁ୍ୟ ରୂପେ ଗ୍ରହଣ କରିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୃତ ଦୁଇ କିଶୋର କିଶୋରୀ ପରସ୍ପରକୁ ଦୀର୍ଘ ଦିନ ହେବ ପ୍ରେମ କରୁଥିଲେ । ଉଭୟଙ୍କ ପ୍ରେମ ସଂପର୍କକୁ ବିରୋଧ କରି କେହି ପରିଚିତ ଲୋକ ଦୁଇ ଜଣଙ୍କୁ ମାରିଦେଇ ସେଠାରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି । ପ୍ରକାରାନ୍ତରେ ଏହା ‘ଅନର୍ କିଲିଂ’ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି । ପୁଲିସ ବି ସେଭଳି ସନେ୍ଦହ କରି ସେ ଦିଗରେ ତଦନ୍ତ ଚଳାଇଛି ।
ପୁଲିସ ସୂଚନା ଅନୁସାରେ, ରୁଦ୍ରପ୍ରକାଶ ଓ ସୋନାଲି ଶଙ୍ଖତ୍ରାସ ହାଇସ୍କୁଲରେ ଏକାଠି ପଢ଼ୁଥିଲେ । ଦୁଇ ଜଣ ମାଟ୍ରିକ ପାସ କଲା ପରେ ରୁଦ୍ରପ୍ରକାଶ ବ୍ରାହ୍ମଣଝରିଲୋ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିଲେ । ସୋନାଲି ମାଟ୍ରିକ୍ ପରେ ଘରେ ଥିଲେ । ଗତ ଚାରି ଦିନ ହେବ ସୋନାଲି ଶଙ୍ଖତ୍ରାସରେ ଥିବା ତାଙ୍କ ମଉସା ଘରେ ଆସି ରହୁଥିଲେ । ଆଜି ସକାଳୁ ମଉସା ଘର ଲୋକେ ସୋନାଲି ଘରେ ନଥିବା ଜାଣିବାକୁ ପାଇଥିଲେ । କିଛି ସମୟ ପରେ ପରେ ଘର ଲୋକେ ଖବର ପାଇଥିଲେ କି, ସୋନାଲିର ମୃତଦେହ ଶଙ୍ଖତ୍ରାସ ହାଇସ୍କୁଲ ବାରଣ୍ଡାରେ ପଡ଼ିଛି । ପରେ ସୋନାଲିଙ୍କ ବାପାଙ୍କୁ ଏହି ଖବର ତାଙ୍କ ମଉସା ଦେଇଥିଲେ । ଖବର ପାଇ ସୋନାଲିଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ସୋନାଲି ସହିତ ରୁଦ୍ରପ୍ରକାଶଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ । ସେତେବେଳକୁ ସ୍ଥାନୀୟ ଲୋକେ ଏ ବିଷୟ ସଦର ଥାନା ପୁଲିସକୁ ଅବଗତ କରିସାରିଥିଲେ । କିଛି ସମୟ ମଧ୍ୟରେ ରୁଦ୍ରପ୍ରକାଶଙ୍କ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ମୃତଦେହ ପାଖରେ ଏକ ଶାଢ଼ି, ଦୁଇଟି ଛୋଟ ଦଉଡ଼ି ଭଳି ଫିତା ଓ ଏକ ବଡ଼ ଷ୍ଟୁଲ୍ ପଡ଼ିରହିଥିଲା । ପୁଲିସ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ କି, ଶନିବାର ଭୋର୍ ପ୍ରାୟ ୬ଟା ସମୟରେ ସୁମାଣ୍ଡି ଗ୍ରାମ ଯଜ୍ଞର କଳସ ଶୋଭାଯାତ୍ରା ସ୍କୁଲ୍ ନିକଟ ରାସ୍ତାରେ ଯାଉଥିଲା । ଗ୍ରାମର କିଛି ଯୁବକ ଶୋଭାଯାତ୍ରାର ଫଟୋ ଉଠାଇବା ପାଇଁ ସ୍କୁଲ୍ ପାଚେରି ଉପରେ ଚଢ଼ିବା ବେଳେ ସୋନାଲି ଓ ରୁଦ୍ରପ୍ରକାଶ ବାରଣ୍ଡାରେ ଏକ ଶାଢ଼ିରେ ବନ୍ଧା ହୋଇ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଦୁହେଁ ବଞ୍ଚିଥିବା ଭାବି ସେହି ଯୁବକମାନେ ତୁରନ୍ତ ମୃତଦେହ ଦୁଇଟିକୁ ଶାଢ଼ିରୁ ଫିଟାଇ ତଳକୁ ଓହ୍ଲାଇ ଗାଁ ଲୋକଙ୍କୁ ଡାକିଥିଲେ । ମୃତଦେହ ଝୁଲୁଥିବା ବେଳେ ସେମାନଙ୍କ ହାତ ପଛପଟୁ ବନ୍ଧା ହୋଇଥିବା ବିଷୟ ମଧ୍ୟ ସ୍ଥାନୀୟ ଯୁବକମାନେ ପୁଲିସକୁ ଜଣାଇଛନ୍ତି ।
ଦୁଇ ମୃତକଙ୍କ ବେକରେ କଳା ରଙ୍ଗର ଦାଗ ରହିଛି । ହାତରେ ମଧ୍ୟ ସରୁ ଦାଗ ଅଛି । ମାତ୍ର ଉଭୟଙ୍କ ପାଖରୁ କୌଣସି ମୋବାଇଲ୍ ଫୋନ୍ ମିଳିନି । ଘଟଣାସ୍ଥଳରେ ଏସିପି ଚନ୍ଦନ ଘଡେ଼ଇ ଓ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ରୁଦ୍ରପ୍ରକାଶଙ୍କ ବାପା ରାଜକିଶୋର ଭୋଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ମାରିସାରିବା ପରେ ସେଠାରେ ଝୁଲାଇ ଆତ୍ମହ୍ୟାର ରୂପ ଦେବାକୁ ଉଦ୍ୟମ ହୋଇଛି । ଏନେଇ ସେ ସଦର ଥାନାରେ ଲିଖିତ ଭାବେ ଏତଲା ମଧ୍ୟ ଦାଏର କରିଛନ୍ତି । ସୋନାଲିଙ୍କ ବାପା ମଧ୍ୟ ଲିଖିତ ଭାବେ ସଦର ଥାନାରେ ଝିଅର ମୃତୁ୍ୟ କଥା ଜଣାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା, ରୁଦ୍ରପ୍ରକାଶ ଓ ସୋନାଲି ଉଭୟ ସ୍କୁଲ ବେଳଠୁ ପରସ୍ପରକୁ ଭଲ ପାଉଥିଲେ । ଦୁଇ ଜଣ ଭିନ୍ନ ଜାତିର । ତେଣୁ ଦୁଇ ପରିବାର ଏହି ପ୍ରେମସଂପର୍କକୁ ଠିକରେ ଗ୍ରହଣ କରୁନଥିଲେ । ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ମତାନ୍ତର ଓ ବିବାଦ ରହିଥିଲା । ଗତକାଲି ରାତିରେ ସୋନାଲି ଓ ରୁଦ୍ରପ୍ରକାଶ ଲୁଚି କରି ଶଙ୍ଖତ୍ରାସ ସ୍କୁଲ୍ରେ ପରସ୍ପରକୁ ଭେଟ କଲା ବେଳେ ଉଭୟଙ୍କ ପରିବାରର କେହି ସମ୍ପର୍କୀୟ ଏହା ଦେଖିବାକୁ ପାଇଥିବା ଅନୁମାନ କରାଯାଉଛି । ଗ୍ରାମବାସୀଙ୍କ ସନେ୍ଦହ ଯେ, ସେହି ସମ୍ପର୍କୀୟ କିମ୍ବା ପରିଚିତ ଲୋକ ଦୁହିଙ୍କୁ ଏକାଠି ଦେଖି ଉତ୍ତେଜିତ ହୋଇ କିଛି ଗୋଟେ ବଡ଼ ନିଷ୍ପତ୍ତି ନେଇ ସେଠାରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଟାଙ୍ଗି ଦେଇଛନ୍ତି । ଗ୍ରାମବାସୀମାନେ ଏ କଥା ପୁଲିସକୁ ବି ଜଣାଇଛନ୍ତି । ଅନ୍ୟପଟେ ସଦର ଥାନା ପୁଲିସ ପ୍ରାଥମିକ ଭାବେ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି କହିଛି । ପ୍ରେମରେ ବିଫଳ ହେବା ଆଶଙ୍କାରେ ଦୁହେଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଏସିପି ଶ୍ରୀ ଘଡେ଼ଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଗ୍ରାମବାସୀଙ୍କ ବୟାନ, ନାବାଳକଙ୍କ ପରିବାରର ଏତଲା ଓ ପାରିପାଶ୍ୱିର୍କ ସ୍ଥିତିକୁ ବିଚାର କରାଯାଇ ତଦନ୍ତ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ । ତଦନ୍ତ, ପଚରାଉଚରା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଘଟଣାଟି ସମଗ୍ର ସଦର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons