ନିଦରୁ ଉଠାଇ ଜଣଙ୍କ ପରେ ଜଣଙ୍କୁ ହାଣିଲି

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ବୁ୍ୟରୋ): ପ୍ରଥମେ ଭାଉଜଙ୍କୁ ଚୋଟ ପକାଇଲା । ଅଟକାଇବାକୁ ଆସି ଆକ୍ରମଣର ଶିକାର ହେଲେ ବଡ଼ ÿଭାଇ ଅଲେଖ । ଭାଇ, ଭାଉଜଙ୍କୁ ମାରି ତଳେ ପକାଇବା ପରେ ଝିଆରୀ ଓ ଦୁଇ ପୁତୁରାଙ୍କୁ କଟୁରିରେ ଘନଘନ ଆକ୍ରମଣ କରିଥିଲା ଶିବ । ଜୀବନ ବିକଳରେ ସାନ ପୁଅ ସ୍ମୃତି ସୌରଭ (ରିଷି) ଶିଡ଼ି ଚଢ଼ି ଛାତ ଉପରକୁ ଦୌଡୁଥିବା ବେଳେ ତାକୁ ଘୋଷାରି ଆଣି କଟୁରିରେ ହାଣି ପକାଇଥିଲା । – ଏ ଥିଲା ମାହାଙ୍ଗା କୁସୁପୁରରେ ୧୨ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଘଟଣା । ଯେଉଁ କାଳରାତିର କଥା ଆଜି ଟିକିନିଖିି ପୁଲିସ୍ ଆଗରେ ବଖାଣିଛି କୁସୁପୁର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିବ ।
କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଦେହଥରା କଥାମାନ ଶୁଣି ପୁଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଘଟଣାସ୍ଥଳରୁ ଶାବଳ, ଫ୍ୟାନ୍ କଭର୍, ପେଚକସ୍, ରକ୍ତ ଲାଗିଥିବା ଗାମୁଛା ଆଦି ଜବତ କରାଯାଇଛି । ରିମାଣ୍ଡର ଦ୍ୱିତୀୟ ଦିନରେ ଅଭିଯୁକ୍ତ ଶିବଠାରୁ ପୁଲିସ ଏଭଳି କିଛି ପ୍ରମାଣ ଯୋଗାଡ଼ କରିବାରେ ସଫଳ ହୋଇଛି । ଗତକାଲି ଗୁରୁବାର ଶିବକୁ ପୁଲିସ ରିମାଣ୍ଡରେ ଆଣିଥିଲା । ଗୁରୁବାର ଗୋଡ଼ ଯନ୍ତ୍ରଣା ନେଇ ପୁଲିସକୁ କୌଣସି ପ୍ରକାର ସହଯୋଗ କଲା ନାହିଁ ଅଭିଯୁକ୍ତ । ଯାହାଫଳରେ ପୁଲିସ ଚିକିତ୍ସା କରାଇ ତାକୁ ଥାନାରେ ରଖିଥିଲା । ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ଦିନ ପ୍ରାୟ ୧୧ଟା ବେଳେ ପୁଲିସ ଶିବକୁ ଧରି କୁସୁପୁର ଗ୍ରାମରେ ପହଞ୍ଚିଥିଲା । ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଅତିରିକ୍ତ ଏସ୍ପି ଅଶୋକ ବେହେରା, ଏସ୍ଡିପିଓ ବିମଳ ବାରିକ, ମାହାଙ୍ଗା ଥାନାଧିକାରୀ ନିହାର ମହାନ୍ତିଙ୍କ ସମେତ ପୁଲିସ ଅଫିସର୍ମାନେ ଉପସ୍ଥିତ ଥିଲେ । ଶିବକୁ ନେଇ ପୁଲିସ ସିଧାସଳଖ ତା ପୈତୃକ ଘରେ ପହଞ୍ଚିଥିଲା । ଘର ଭିତରକୁ ନେଇ ଯିବା ବେଳେ କେବଳ ପୁଲିସ କର୍ମଚାରୀମାନେ ଥିଲେ । କୌଣସି ବାହାର ଲୋକ ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ସେଠାରେ ଶିବ ୧୨ ତାରିଖ ରାତିର ଘଟଣା ସମ୍ପର୍କରେ ପୁଲିସକୁ କହିଥିଲା ।
ମିଳିଥିବା ସୂଚନା ମୁତାବକ, ୧୧ତାରିଖ ରାତିରେ ଶିବ ଓ ଅଲେଖ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ଘଟଣା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଅଲେଖ, ଦୁଇ ପୁଅ ମିଶି ଶିବଙ୍କୁ ମାଡ଼ ମାରିଥିଲେ । ଏହି ଘଟଣା ଦିନ ଶିବଙ୍କ ପତ୍ନୀ ସୁନିତା ସାହୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ମାଡ଼ ଖାଇବା ପରେ ଶିବ ନିଜ ରୁମ୍କୁ ଯାଇ ରାଗି ରକ୍ତ ଚାଉଳ ଚୋବାଇଥିଲା । ସକାଳ ହେବା ପୂର୍ବରୁ ଅଲେଖଙ୍କ ପୂରା ପରିବାରକୁ ସଫା କରିବାକୁ ଯୋଜନା କରିଥିଲା । ଏମିତିକି ରାତିରେ ଘରୁ କଟୁରି ଖୋଜି ନିଜ ପାଖରେ ରଖିଥିଲା । ୧୨ ତାରିଖ ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ପାଇଖାନା ଯିବାକୁ ମିଛ ନାଟକ ରଚିଥିଲା ଶିବ । ପାଇଖାନା ଚାବି ମାଗିବାକୁ ଯାଇ ଅଲେଖଙ୍କ ପରିବାରକୁ ନିଦରୁ ଉଠାଇଥିଲା । ଚାବି ମାଗିବା ବେଳେ ଭାଉଜ ରଶ୍ମିରେଖାଙ୍କ ସହ ପୁଣି ପାଟିତୁଣ୍ଡ ହେବା ପରେ ଶିବ ଦୌଡ଼ିଯାଇ କଟୁରି ନେଇଆସି ଭାଉଜଙ୍କୁ ଆକ୍ରମଣ କରିଥିଲା । ରଶ୍ମିରେଖାଙ୍କ ମୁଣ୍ଡରେ ଗୋଟିଏ ଚୋଟ ପଡ଼ିବା ପରେ ସେ ତଳେ ପଡ଼ିଯାଇଥିଲେ । ଭାଇ ଅଲେଖ ତାକୁ ଅଟକାଇବାକୁ ଚେଷ୍ଟା କରିବା ପରେ ଶିବ ତାଙ୍କୁ ଆକ୍ରମଣ କରିଥିଲା । ପରେ ଝିଆରୀ ଓ ଦୁଇ ପୁତୁରାଙ୍କୁ କଟୁରିରେ ହାଣିଥିଲା । ତେବେ ଏହି ସମୟରେ ଦୁଇ ପୁତୁରାଙ୍କ ସହ ତାର କିଛି ସମୟ ଧସ୍ତାଧସ୍ତି ହୋଇଥିବା ଶିବ ପୁଲିସ ସାମ୍ନାରେ ମାନିଛି ।
୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ରୁମ୍କୁ ଯାଇ ପିନ୍ଧିଥିବା ରକ୍ତାକ୍ତ ଲୁଙ୍ଗି ଓ ଗାମୁଛାକୁ ବଦଲାଇ ଗାଧୋଇଥିଲା ସେ । ପରେ ଘର ଆଗ ଆଡୁ ତାଲା ପକାଇ ସେଠାରୁ ଫେରାର୍ ହୋଇଯାଇଥିଲା । ଏହାର କିଛି ଘଣ୍ଟା ପରେ ଶିବ ଏକ ଭିଡିଓ ଜାରି କରି ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା । ତେବେ କେବଳ ହତ୍ୟା ସ୍ଥଳ ନୁହେଁ ଶିବ ରହୁଥିବା ଭଡ଼ା ଘରକୁ ଯାଇ ସେଠାରେ କିଛି ମିନିଟ୍ ପୁଲିସ ଛାନ୍ଭିନ୍ କରିଥିଲା । ଏ ସବୁ ସତ୍ତେ୍ୱ ଅନେକ ଦିଗରେ ତଦନ୍ତ ଅଧା ରହିଥିବା, ଅନେକ ପ୍ରଶ୍ନ ଏବେ ବି ଉଙ୍କି ମାରୁଥିବା କୁହାଯାଉଛି । ପୂର୍ବରୁ ଶିବର ପତ୍ନୀ ସୁନିତା କହିଛନ୍ତି ହତ୍ୟାକାଣ୍ଡ ଦିନ ଶିବ ତାଙ୍କୁ ଘରେ ପୂରାଇ ଆଗ ଆଡୁ ତାଲା ପକାଇ ଦେଇଥିଲା । ତେବେ ଏତେ ବଡ ଘଟଣା ଘଟିଲା ଅଥଚ ସୁନିତା ଜାଣି ପାରିଲେ ନାହିଁ କେମିତି? ପରେ ଘରୁ ବାହାରି ଏ ସମ୍ପର୍କରେ କାହାରିକୁ କିଛି ନକହି ସିଧା ଭଡ଼ା ଘରେ ଯାଇ ଚୁପ୍ ବସିଲେ କ’ଣ ପାଇଁ? ଅନ୍ୟପକ୍ଷରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ସମୟରେ ଅଭିଯୁକ୍ତ ଶିବର ଭିଡ଼ିଓ ଜାରି କରିବା ସମ୍ପର୍କରେ ପୁଲିସ କିଛି ପଚରାଉଚରା କରିନାହିଁ । ଅନ୍ୟପକ୍ଷରେ ଘଟଣା ପୂର୍ବରୁ ବା ପରେ ଶିବ କେଉଁମାନଙ୍କ ସହ ଫୋନ୍ରେ କଥା ହୋଇଛି ସେ ସମ୍ପର୍କରେ ପୁଲିସ ପାଖରେ ଏବେ ସୁଦ୍ଧା ତଥ୍ୟ ନାହିଁ । ସିଡିଆର୍ (କଲ୍ ଡିଟେଲ୍ସ ରେକର୍ଡ) ପାଇଁ ପୁଲିସ୍ ଆବେଦନ କରିଥିବା କହୁଛି । ସେହିପରି ଭିସେରା, ଫରେନସିକ୍ ଓ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଲେ ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେସବୁ ଜଣାପଡ଼ିବ ବୋଲି ଅତିରିକ୍ତ ଏସ୍ପି ଅଶୋକ ବେହେରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons